ୟୁନିଟ-୧ ହାଟରେ ଚାଲିଛି ମନମାନି : ବିଏମ୍‌ସି ଦିନକୁ ହରାଉଛି ୧୭ହଜାର

ବ୍ୟବସାୟୀଙ୍କୁ ଦୈନିକ ଟିକେଟ ଦିଆଯାଉନି, ଡେପୁଟି କମିସନରଙ୍କ ରିପୋର୍ଟକୁ ବି କାର୍ଯ୍ୟକାରୀ କରାଯାଉନି

ଭୁବନେଶ୍ବର : ଲୋକଙ୍କୁ ‌େମୗଳିକ ସେବା ଯୋଗାଇବାରେ ବିଫଳ ହୋଇଥିବା ବିଏମ୍‌ସି ଏବେ ଠିକ୍ ଭାବେ ରାଜସ୍ବ ଆଦାୟ କରିପାରୁନି। ବିଭିନ୍ନ ପ୍ରକଳ୍ପ କଲା ବେଳକୁ କର୍ତ୍ତୃପକ୍ଷ କହୁଛନ୍ତି, ବିଏମ୍‌ସି ପାଖରେ ଟଙ୍କା ନାହିଁ। ହେଲେ ରାଜସ୍ବ କିପରି ବଢ଼ିବ, ସେ କଥା କେହି ଚିନ୍ତା କରୁନାହାନ୍ତି। ଏପଟେ କିଛି କର୍ମଚାରୀ ନିଜ ପକେଟ୍ ଗରମ କରିବାରେ ଲାଗି ପଡ଼ିଛନ୍ତି। ଯେଉଁଥିପାଇଁ ବିଏମ୍‌ସି ୟୁନିଟ-୧ ହାଟରୁ ଦିନକୁ ପ୍ରାୟ ୧୭ହଜାର ଟଙ୍କା ରାଜସ୍ବ ହରାଉଛି। ଏନେଇ ବିଏମ୍‌ସି କମିସନରଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନି।

ମିଳିଥିବା ସୂଚନା ଅନୁଯାୟୀ, ୟୁନିଟ-୧ ହାଟ ଭିତରେ ୩୮୭ଜଣ ବ୍ୟବସାୟୀ ଦୈନିକ ବ୍ୟବସାୟ କରୁଥିଲେ ହେଁ ବିଏମ୍‌ସି କର୍ମଚାରୀ ମାତ୍ର ୧୬୦ଜଣଙ୍କଠାରୁ ଦୈନିକ ଟିକେଟ୍‌ ବାବଦକୁ ୧୦ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି। ବାକି ୨୦୦ରୁ ଅଧିକ ଜଣଙ୍କଠାରୁ ଟଙ୍କା ଆଦାୟ ହେଉନଥିବା ରେକର୍ଡ କହୁଛି। ମାନେ ଟଙ୍କା ଆଦାୟ ହେଉଛି ହେଲେ ବିଏମ୍‌ସି‌ ରସିଦ୍ କଟାଯାଉନି। ଦୈନିକ ଫି’ ଆଦାୟ କରୁଥିବା କର୍ମଚାରୀ, ହାଟ ସୁପରଭାଇଜର୍ ଏବଂ ସୁପରିନଟେଣ୍ଡେଣ୍ଟ ମିଳିମିଶି ଏହି ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଛି। ଏପଟେ ହାଟ ଚାରିପଟେ ପ୍ରାୟ ୧୫୦୦ଜଣ ବ୍ୟବସାୟ କରୁଥିବା ବେଳେ ବିଏମ୍‌ସି ୧୨୦୦ଜଣଙ୍କୁ ଟ୍ରେଡ୍ ଲାଇସେନ୍ସ ଦେଇଛି। କିନ୍ତୁ ଏହି ୧୨୦୦ ଜଣଙ୍କଠାରୁ ବି ଦୈନିକ ୧୦ଟଙ୍କା ଲେଖାଏଁ ହିସାବରେ ଫି’ ଆଦାୟ ହେଉନି। ଏହିପରି ବିଏମ୍‌ସି ଦୈନିକ ରାଜସ୍ବ ହରାଉଥିଲେ ହେଁ ବିଏମ୍‌ସି ଅଧିକାରୀମାନଙ୍କର ଏହା ଉପରେ ନଜର ପଡ଼ୁନି। ହାଟରେ ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ଟିକେଟ୍‌ ଦେଇ ଫି’ ନେଲେ ଭବି‌ଷ୍ୟତରେ ବିଏମ୍‌ସିକୁ ସେମାନଙ୍କୁ ଦୋକାନ ଦେବାକୁ ପଡ଼ିପାରେ। ଏହାବାଦ୍ ଆବଶ୍ୟକସ୍ଥଳେ ବିଭିନ୍ନ ସହାୟତା ଦେବାକୁ ପଡ଼ିପାରେ। ତେଣୁ ବ୍ୟବସାୟୀମାନେ ଟିକେଟ୍‌ ମାଗିଲେ ବି ବିଏମ୍‌ସି କର୍ମଚାରୀ ଟିକେଟ୍‌ ଦେଉନାହାନ୍ତି କି ରେକର୍ଡରେ ତାଙ୍କ ନାମ ଚଢ଼ାଉ ନାହାନ୍ତି। ଯଦି କେହି ଜିଦ୍ କରୁଛନ୍ତି ତେବେ ଦୋକାନ ଉଠାଇ ଦେବାକୁ ଧମକ ଦେଉଛନ୍ତି। ୟୁନିଟ-୧ ହାଟ ଦାୟିତ୍ବରେ ଥିବା ସୁପରଭାଇଜର୍‌ ଏବଂ ସୁପରିନଟେଣ୍ଡେଣ୍ଟଙ୍କ ଏହି ହେରାଫେରି ନେଇ ଅଭିଯୋଗ ହେଉଥି‌େଲ ହେଁ ଏନେଇ କିଛି ପଦ‌େକ୍ଷପ ନିଆଯାଉନି ବୋଲି ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘର ସଭାପତି ଗୟାଧର ସ୍ବାଇଁ କହିଛନ୍ତି।

ଏପଟେ ବିଏମ୍‌ସି କମିସନର୍‌ଙ୍କ ନିକଟରେ ଅଭିଯୋଗ ହେବା ପରେ ବିଏମ୍‌ସିର ମାର୍କେଟ୍ ଦାୟିତ୍ବରେ ଥିବା ଡେପୁଟି କମିସନର ହାଟ ପରିଦର୍ଶନ କରି ରିପୋର୍ଟ ଦେଇଛନ୍ତି ଯେ ହାଟ ଭିତରେ ୩୦୦ରୁ ଅଧିକ ବ୍ୟବସାୟୀ ଦୈନିକ ବ୍ୟବସାୟ କରୁଛନ୍ତି। ତେଣୁ ସେମାନଙ୍କଠାରୁ ଦୈନିକ ଫି’ ଆଦାୟ ହେବା ଦରକାର। ଡେପୁଟି କମିସନର୍‌ ଦୁଇ ସପ୍ତାହ ହେଲା ଏହି ରିପୋର୍ଟ ଦେଇଥିଲେ ହେଁ ଏହାକୁ ଏବେ ସୁଦ୍ଧା ବି କାର୍ଯ୍ୟକାରୀ କରାଯାଉନି। ଯେଉଁଥିପାଇଁ ଏବେ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି।

ସମ୍ବନ୍ଧିତ ଖବର