ନିଟ୍‌ ପରୀକ୍ଷା ଲାଗି ୧୩ରେ ୟୁନିଟ୍‌-୧ ହାଟ ବନ୍ଦ

ଭୁବନେଶ୍ୱରରେ ରହିବା ପାଇଁ ୧୫୨୧ ପଞ୍ଜୀକରଣ

ଭୁବନେଶ୍ୱର : ମେଡିକାଲ ନାମଲେଖା ଲାଗି ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌ ପରୀକ୍ଷା ଲାଗି ଭୁବନେଶ୍ବରରେ ୩୧ଟି ପରୀକ୍ଷା କେନ୍ଦ୍ର ହୋଇଛି। ସେଥିମଧ୍ୟରୁ ୟୁନିଟ୍‌-୧ସ୍ଥିତ ମଦର ପବ୍ଲିକ ସ୍କୁଲରେ ଗୋଟିଏ ପରୀକ୍ଷା କେନ୍ଦ୍ର ରହିଛି। ସେପ୍ଟେମ୍ବର ୧୩ ତାରିଖ ଅପରାହ୍‌ଣ ୨ଟାରୁ ୫ଟା ମଧ୍ୟରେ ପରୀକ୍ଷା ହେବ। ତେବେ ପୂର୍ବାହ୍ନ ସାଢ଼େ ୧୧ଟାରେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ଛଡ଼ାଯିବ ଏବଂ ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ୟୁନିଟ୍‌-୧ରେ ଗହଳି ହେବ। ତାହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୩ ତାରିଖ ୟୁନିଟ୍‌-୧ ହାଟ ସମ୍ପୂର୍ଣ୍ଣ ବନ୍ଦ ରହିବ। ହୋଲସେଲ୍‌ ଓ ରିଟେଲ୍‌ ଦୋକାନଗୁଡ଼ିକ ବନ୍ଦ ରହିବ ବୋଲି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ପରୀକ୍ଷାର୍ଥୀଙ୍କ ସୁରକ୍ଷା ଲାଗି ଭୁବନେଶ୍ବରରେ ୬ଟି ରହଣୀ କେନ୍ଦ୍ର ହୋଇଛି। ଶନିବାରଠାରୁ ଛାତ୍ରଛାତ୍ରୀ ସେଠାରେ ରହି ପାରିବେ। ପରୀକ୍ଷା ଦିନ ପରୀକ୍ଷାର୍ଥୀଙ୍କୁ ସେଠାରୁ ନେବା ଆଣିବା କରିବା ଲାଗି ସ୍ବତନ୍ତ୍ର ବସ୍‌ ଯୋଗାଇ ଦିଆଯିବ। ଫଳରେ ପରୀକ୍ଷାର୍ଥୀ ଆଉ ଟ୍ରାଫିକ୍‌ରେ ଫସିବେ ନାହିଁ। ୬ଟି ରହଣୀ ସ୍ଥଳରେ ରହିବା ଲାଗି ଆଜି ସନ୍ଧ୍ୟା ସୁଦ୍ଧା ୧୫୨୧ ଜଣ ନାମ ପଞ୍ଜୀକରଣ କରିଛନ୍ତି। ଯେଉଁଥିରେ ୬୮୬ଜଣ ଛାତ୍ର, ୩୯୦ଜଣ ଛାତ୍ରୀ, ୪୪୩ଜଣ ଅଭିଭାବକ ଓ ୪ଜଣ ଏକ୍ସର୍ଟ ଷ୍ଟାଫ୍‌ ରହିଛନ୍ତି। ସିଭି ରମଣ ଗ୍ଲୋବାଲ ୟୁନିଭରସିଟିରେ ସର୍ବାଧିକ ୪୯୧ଜଣ ରହିବାକୁ ଥିବା ବେଳେ ସିପେଟ୍‌ରେ ୪୦୬, ମହାବୀର ଇଞ୍ଜିନିୟରିଂରେ ୩୨୩, ସିଲିକନ୍‌ରେ ୧୨୭, ଗୀତାରେ ୧୨୦ ଓ କୌସ୍ତଭରେ ୫୪ ରହିବାକୁ ପଞ୍ଜୀକରଣ କରିଛନ୍ତି।

ସମ୍ବନ୍ଧିତ ଖବର