ଭୁବନେଶ୍ବର : ୟୁନିଟ-୧ ହୋଲ୍ସେଲ୍ ପରିବା ମାର୍କେଟ ଭଗବାନପୁରକୁ ସ୍ଥାନାନ୍ତର ହେବ। ଏନେଇ ବିଏମ୍ସି ପ୍ରକ୍ରିୟା ଆରମ୍ଭ କରିଛି। ସେଠାରେ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବା ପାଇଁ କସରତ ଆରମ୍ଭ ହୋଇଛି। ସେଠାରେ ୧୦ ଏକର ଜାଗା ଚିହ୍ନଟ କରାଯାଇଛି। ସହର ଭିତରୁ ଗହଳି କମାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ବିଏମ୍ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ପରିବା ବ୍ୟବସାୟୀଙ୍କ ପାଇଁ ସେଠାରେ ଏକ ଶୀତଳଭଣ୍ଡାର ନିର୍ମାଣ କରାଯିବ। ତା ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ। ଏନେଇ ଆଜି ବିଏମ୍ସିରେ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତ ନିଆଯାଇଛି। ଆସନ୍ତାକାଲି କିମ୍ବା ଦୁଇଦିନ ଭିତରେ ବ୍ୟବସାୟୀ ଓ ଅଧିକାରୀଙ୍କୁ ନେଇ ଏକ ଟିମ୍ କ୍ଷେତ୍ର ପରିଦର୍ଶନ କରିବ। ଟିମ୍ ଏହାକୁ ଯୋଗ୍ୟ ଅନୁଭବ କଲେ, ଏଠାରେ ଭିତ୍ତିଭୂମି ପ୍ରସ୍ତୁତି ଆରମ୍ଭ ହେବ। ବୈଠକରେ ଯୋଗ ଦେଇଥିବା ହୋଲ୍ସେଲ୍ ବ୍ୟବସାୟୀ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। କିନ୍ତୁ ସେଠାରେ ଯଥେଷ୍ଟ ପରିମାଣର ପାଇଖାନା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ରହିବା ଜରୁରୀ। ପ୍ରତ୍ୟେକ ଦିନ ଏଠାକୁ ଶହ ଶହ ଗାଡ଼ି ଯାତାୟାତ କରିବ। ଚାଷୀଙ୍କ ପରିବା ଅନ୍ଲୋଡ୍ ହେବା ସହ ରାଜ୍ୟ ବାହାରକୁ ଯିବାପାଇଁ ପାରିବା ଲୋଡ୍ ହେବ। ଏଣୁ ଶହ ଶହ ଲୋକଙ୍କର ମଧ୍ୟ ଯାତାୟାତ ହେବ। ଏଣୁ ଏଠାରେ ଏହି ସବୁ ଅତ୍ୟାବଶ୍ୟକ ସେବା ଓ ସୁବିଧା ଉପଲବ୍ଧ କରିବାକୁ ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ବାଇଁ କହିଛନ୍ତି।
ତେବେ ଏହି ପ୍ରସଙ୍ଗ ନୂଆ ନୁହେଁ। ୧୯୫୭ ମସିହାରୁ ଏଠାରେ ଖୁଚୁରା ସହ ପାଇକାରୀ ପରିବା ବ୍ୟବସାୟ ଚାଲିଛି। ପାଖାପାଖି ୫୦ ବ୍ୟବସାୟୀ ଏଠାରେ ବ୍ୟବସାୟ କରୁଛନ୍ତି। ପ୍ରତ୍ୟେକ ଦିନ ଏଠାକୁ ୨ଶହରୁ ଅଧିକ ଟ୍ରକ୍ ଯାତାୟାତ କରୁଛି। ଏଠାରୁ ପରିବା ଲୋଡ୍ କରି ଟ୍ରକ୍ ଗୁଡ଼ିକ ରାଜ୍ୟ ସମେତ ବାହାରକୁ ମଧ୍ୟ ଯାଉଛନ୍ତି। ଫଳରେ ବିଶେଷ କରି ସକାଳ ବେଳା ଏଠାରେ ଭୟଙ୍କର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ସ୍ଥାନୀୟ ଲୋକ ଯମଯନ୍ତ୍ରଣା ଭୋଗୁଛନ୍ତି। ଫଳରେ ସ୍ଥାନୀୟ ଲୋକଙ୍କ ସମେତ ଖୋଦ୍ ପରିବା ବ୍ୟବସାୟୀ ମଧ୍ୟ ୨୦୧୦ ମସିହାରୁ ଏହାର ସ୍ଥାନାନ୍ତର ଦାବି କରି ଆସୁଥିଲେ। ପରିବା ବ୍ୟବସାୟୀମାନେ ଯଥେଷ୍ଟ ପରିମାଣର ଜାଗା ଯେଭଳି ଶହ ଶହ ଟ୍ରକ୍ ଏକ ସମୟରେ ଲୋଡ୍ ଅନ୍ଲୋଡ୍ କରିପାରିବେ ସେଥିପାଇଁ ବିଏମ୍ସିକୁ ଲେଖିଥିଲେ। ଅତି କମ୍ରେ ୧୦ ଏକର ଜାଗା ଆବଶ୍ୟକ ବୋଲି ସେମାନେ ଆକଳନ କରିଥିଲେ। ଦୀର୍ଘ ଦିନରୁ ଏଭଳି ଏକ ପ୍ରସ୍ତାବ ରହିଥିଲେ ମଧ୍ୟ ଜାଗାକୁ ନେଇ ବିଏମ୍ସି ଚିନ୍ତାରେ ପଡ଼ିଥିଲା। ଆଜିର ବୈଠକରେ ଭଗବାନପୁରର ଏହି ଜାଗା ଉପରେ ମୋହର ବାଜିଛି। ଖୁବ୍ଶୀଘ୍ର ପ୍ରକ୍ରିୟା ଆରମ୍ଭ ହୋଇ ଏହି ମାର୍କେଟକୁ ସ୍ଥାନାନ୍ତର କରାଯିବ ବୋଲି ବିଏମ୍ସି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/unit-1-wholesale-market.jpg)