ୟୁନିଟ-୨ ରୂପ ବଦଳିବ, ଭାଙ୍ଗାଯିବ ୪୧୬ ସରକାରୀ କ୍ବାର୍ଟର୍ସ

ଜନପଥ ପୁନଃ ଉନ୍ନତୀକରଣ ଯୋଜନାରେ ସାମିଲ ହେବ
ପିପିପି ମୋଡ଼ରେ ହେବ ବାଣିଜ୍ୟିକ-ଆବାସିକ ପ୍ରକଳ୍ପ
ଜନପଥ କଡ଼ର ସବୁ କ୍ବାର୍ଟର୍ସ ଭଙ୍ଗା ହେବ
୩୮ଏକର ଜମି ଫାଙ୍କା ହେବ, ୨୦ଏକର ଜମିରେ ପ୍ରକଳ୍ପ ହେବ

ଭୁବନେଶ୍ବର : ଜନପଥ କଡ଼ରେ ଥିବା ସରକାରୀ କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗି ଦିଆଯିବ। ସେଠାରେ ବାଣିଜ୍ୟିକ-ଆବାସିକ ପ୍ରକଳ୍ପ ହେବ। ଏଠାରେ ନିର୍ମାଣ ହେବାକୁ ଥିବା ବହୁତଳ ବିଶିଷ୍ଟ କୋଠାଗୁଡ଼ିକରେ ଜନପଥ ପାର୍ଶ୍ବକୁ ବ୍ୟ‌ାବସାୟିକ ଉଦ୍ଦେଶ୍ୟରେ ଏବଂ ଏହାର ପଛ ପାର୍ଶ୍ବକୁ ଆବାସିକ କ୍ବାର୍ଟର୍ସ ପାଇଁ ବ୍ୟବହାର କରାଯିବ। ପିପିପି ମୋଡରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ମଧ୍ୟରେ ଥିବା‌ ୟୁନିଟ-୨ ଅଞ୍ଚଳର କ୍ବାର୍ଟର୍ସଗୁଡ଼ିକୁ ଉଚ୍ଛେଦ କରାଯିବ। ଖୁବ୍‌ ଶୀଘ୍ର ୟୁନିଟ-୨ରେ ଏହି ପ୍ରକଳ୍ପ ପାଇଁ ୪୧୬ଟି କ୍ବାର୍ଟର୍ସ ଉଚ୍ଛେଦ ହେବ। କ୍ବାର୍ଟର୍ସ ଉଚ୍ଛେଦ ହେଲେ କ୍ବାର୍ଟର୍ସ ପାଇଥିବା ସରକାରୀ କର୍ମଚାରୀ ଓ ରାଜନେତାମାନଙ୍କୁ ଘର ଭଡ଼ା ଦିଆଯିବ, ନଚେତ୍‌ ସେମାନଙ୍କୁ ଅନ୍ୟତ୍ର କ୍ବାର୍ଟର୍ସ ଯୋଗାଇ ଦିଆଯିବ। ଏବେ ପର୍ଯ୍ୟାୟ କ୍ରମେ କ୍ବାର୍ଟର୍ସ ଖାଲି କରି ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଛି।

ୟୁନିଟ-୨ ଅଞ୍ଚଳର ୩୮ଏକର ଜମିରେ ଥିବା ସରକାରୀ କ୍ବାର୍ଟର୍ସକୁ ଭଙ୍ଗାଯିବ। ଏବେ କ୍ବାର୍ଟର୍ସ ନଂ ଭିଏ-୧୩/୧ ରୁ ଭିଏ- ୩୬/୪ ପର୍ଯ୍ୟନ୍ତ ଅଞ୍ଚଳକୁ ଭଙ୍ଗାଯିବ। ଏହାକୁ ଭଙ୍ଗାହେଲେ ୫୦ହଜାର ୪୦୦ ବର୍ଗମିଟର ଅର୍ଥାତ ପ୍ରାୟ ୧୨ଏକର ଜମି ଖାଲି ହେବ। ସେହିପରି ଜନପଥ କଡ଼ରେ ଥିବା ଭିଆଇପି କ୍ବାର୍ଟର୍ସ ବା ବଡ଼ ବଡ଼ କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗିଲେ ୧ଲକ୍ଷ ୮ହଜାର ବର୍ଗମିଟର ଜମି ବା ୨୬ଏକର ଜମି ଫାଙ୍କା ହେବ। ମୋଟ୍‌ ୩୮ଏକର ଜମିରୁ କ୍ବାର୍ଟର୍ସ ଭଙ୍ଗା ହେବାକୁ ଥିବା ବେଳେ ୨୦ଏକର ଜମିରେ ଏହି ପ୍ରକଳ୍ପ ହେବାର ଯୋଜନା ଅଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରକଳ୍ପ ପିପିପି ମୋଡରେ ହେବ। ଏକାଧିକ ସଂସ୍ଥାକୁ ନିୟୋଜିତ କରି କୋଠା ନିର୍ମାଣ ହେବ। ଯେଉଁ ସଂସ୍ଥା ପୁଞ୍ଜିନିବେଶ କରିବ ସେହି ସଂସ୍ଥା ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହେବ। ରାଜ୍ୟ ସରକାର ଜମି ଯୋଗାଇବେ ଓ ଘରୋଇ ସଂସ୍ଥା ପୁଞ୍ଜିନିବେଶ କରିବ। ତେଣୁ କାହାର କେତେ ପ୍ରତିଶତ ଭାଗ ରହିବ ତାହା ସ୍ଥିର ହେବ। ଏହି ପ୍ରକଳ୍ପ ଆରମ୍ଭ କରିବା ପାଇଁ କ୍ବାର୍ଟର୍ସ ଉଚ୍ଛେଦ କରିବା ଏବଂ ଆବଜର୍ନା ଉଠାଇବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର ଅର୍ଥ ପ୍ରଦାନ କରିବେ।

ଅପରପକ୍ଷେ ଶିଶୁ ଭବନରୁ ଗୁରୁଦ୍ବାର ପର୍ଯ୍ୟନ୍ତ ଜନପଥ କଡ଼ରେ ଥିବା ସରକାରୀ କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗି ନୂଆ ପ୍ରକଳ୍ପ କରିବାକୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଯୋଜନା ହୋଇଥିଲେ ହେଁ ଏହାକୁ ପୂର୍ତ୍ତ ବିଭାଗ କରିବ ବୋଲି ନିଷ୍ପତ୍ତି ହୋଇଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କୌଣସି ଗୃହ ପ୍ରକଳ୍ପ କରିବନି ବୋଲି ନିଷ୍ପତ୍ତି ନେଇ ଥିବାରୁ ପୂର୍ତ୍ତ ବିଭାଗ ଏହି କାମ କରିବ। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ ଥିବା କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗି ୨୦ ଏକର ଜମିରେ ଏହି ପ୍ରକଳ୍ପ କରାଯିବ। ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ରାଜମହଲରୁ ଶିଶୁଭବନ ଏବଂ ତୃତୀୟ ପର୍ଯ୍ୟାୟରେ ମାଷ୍ଟରକ୍ୟାଣ୍ଟିନରୁ ଗୁରୁଦ୍ବାର ପର୍ଯ୍ୟନ୍ତ କ୍ବାର୍ଟର୍ସଗୁଡ଼ିକୁ ଉଚ୍ଛେଦ କରାଯିବ।

କେଉଁ କ୍ବାର୍ଟର୍ସ ଭଙ୍ଗା ହେବ
ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭିଏ-୭/୧ରୁ ଭିଏ୧୨/୪ ମଧ୍ୟରେ ଥିବା ୨୪ଟି କ୍ବାର୍ଟର୍ସ, ଭିଆଡି/ଏସ୍‌-୩/୧ରୁ ଭିଆଇଡି/ଏସ୍‌-୪/୨ ମଧ୍ୟରେ ଥିବା ୪ଟି କ୍ବାର୍ଟର୍ସ, ବି ଟାଇପ୍ କ୍ବାର୍ଟର୍ସ ଗୋଟିଏ, ଭିଆର୍‌-୧/୧ରୁ ଭିଆର୍‌ ୪/୨ କ୍ବାର୍ଟର୍ସ ୮ଟି, ଆଇଭିଏ-୯/୧ରୁ ଆଇଭିଏ-୪୮/୬ ମଧ୍ୟରେ ଥିବା ୯୬ଟି କ୍ବାର୍ଟର୍ସ, ଆଇଭିଆର୍‌-୧/୧ରୁ ଆଇଭିଆର୍‌ ୩୩/୨ ମଧ୍ୟରେ ଥିବା ୨୬ଟି କ୍ବାର୍ଟର୍ସ, ୨ଆର୍‌ଏ-୧ରୁ ୨ଆର୍‌ଏ-୫୪ ମଧ୍ୟରେ ଥିବା ୪୦ଟି କ୍ବାର୍ଟର୍ସ, ଟୁ ଟାଇପ୍ କ୍ବାର୍ଟର୍ସ ୯୬ଟି, ୨ଆର୍‌ବି-୧/୧ ଗୋଟିଏ, ଟୁ ଆର୍‌ପିଏଫ୍‌-୭/୧ରୁ ଟୁ ଆର୍‌ପିଏଫ୍‌- ୧୦/୬କ୍ବାର୍ଟର୍ସ ୨୪ଟି ସମେତ ଜନପଥକୁ ମୁହଁ କରିଥିବା ଏବଂ ବିପରୀତ ପାର୍ଶ୍ବରେ ଥିବା ଭିଏ-୧୩/୧ରୁ ଭିଏ ୩୬/୪ ପର୍ଯ୍ୟନ୍ତ ୯୬ଟି କ୍ବାର୍ଟର୍ସକୁ ଭଙ୍ଗାଯିବ। ଏହିପରି ମୋଟ୍ ୪୧୬ଟି କ୍ବାର୍ଟର୍ସ ଭାଙ୍ଗିବାକୁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର