ଭୁବନେଶ୍ବର: ସକାଳୁ ସକାଳୁ ଭିଜିଲାନ୍ସ ଡିଏସ୍ପି ତନୁଜା ମହାନ୍ତିଙ୍କ ସରକାରୀ କ୍ବାର୍ଟର୍ସରେ ପଶି ଲୁଟେରାମାନେ ଲୁଟ୍ କଲେ। ସ୍ବାମୀ ଓ ଝିଅର ଉପସ୍ଥିତିରେ ଲୁଟେରାମାନେ ତନୁଜାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ସୁନା ଚୁଡ଼ି ଓ କାନଫୁଲ ନେଇଗଲେ। ଏହି ଖବର ପଦାକୁ ଆସିବା ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଗଲା। ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କଠାରୁ ଲୁଟ୍ ହୋଇଥିବାରୁ କମିସନରେଟ୍ ପୁଲିସ୍ ଦୁଇ ଦୁଇଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିଛି। କିନ୍ତୁ ଏ ପର୍ଯ୍ୟନ୍ତ ସଫଳତା ମିଳି ପାରିନାହିଁ। ତେବେ ଏହି ହାଇପ୍ରୋଫାଇଲ୍ ଲୁଟ୍ ଘଟଣାକୁ ସପ୍ତାହେ ପୂରି ନଥିବା ବେଳେ ଲୁଟେରାମାନେ ଆଜି ପୁଣିଥରେ ସେହି ଅଞ୍ଚଳରୁ ଲୁଟ୍ପାଟ୍ କରିଛନ୍ତି। ତନୁଜାଙ୍କ ଘରଠାରୁ ମାତ୍ର କେଇ ମିଟର ଦୂରରେ ଥିବା ଅନ୍ୟ ଏକ ସରକାରୀ କ୍ବାର୍ଟର୍ସରେ ପଶି କଳାକନା ବୁଲାଇ ଦେଇଛନ୍ତି। ମାତ୍ର କିଛି ଦିନର ବ୍ୟବଧାନରେ ଗୋଟିଏ ଅଞ୍ଚଳରୁ ଲୁଟ୍ପାଟ୍ କରି ଲୁଟେରାମାନେ କମିସନରେଟ୍ ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଲୁଟେରାମାନେ ୟୁନିଟ୍-୩ କ୍ୱାର୍ଟର୍ ନମ୍ବର ଆଇଭି ବି-୨୪/୧ରେ ରହୁଥିବା ସାମ୍ବାଦିକ ଲିଙ୍ଗରାଜ ମହାନ୍ତିଙ୍କ ଘରୁ ଲୁଟ୍ କରିଛନ୍ତି।
ଗତକାଲି ଲିଙ୍ଗରାଜ ପୁରୁଣା ଭୁବନେଶ୍ୱରରେ ଥିବା ତାଙ୍କ ଘରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଗ୍ରିଲ୍ ଓ କବାଟ ତାଡ଼ି ଘରେ ଥିବା ଏସି, ପ୍ରିଣ୍ଟର୍, ଆଟାଚ୍, ଚେୟାର ଟେବୁଲ୍ ସହ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ଲୁଟି ନେଇଛନ୍ତି। ଏହାସହ ପୂରା ଘରକୁ ଘାଣ୍ଟି ଚକଟି ଦେଇଛନ୍ତି। ବ୍ୟାଗ୍ଗୁଡ଼ିକୁ କାଟି ପକାଇବା ସହ ଅନ୍ୟାନ୍ୟ ଜିନିଷପତ୍ରକୁ ଖେଳାଖେଳି କରି ଦେଇଛନ୍ତି। ଆଜି ପୂର୍ବାହ୍ନରେ ଘରୁ ଫେରି ଲିଙ୍ଗରାଜ ଏ ସଂପର୍କରେ ଜାଣିବା ପରେ ଖାରବେଳନଗର ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ହେଁ ଖବର ଲେଖା ହେବା ବେଳକୁ ଲୁଟେରାଙ୍କ ସଂପର୍କରେ ଟେର୍ ପାଇ ପାରିନଥିଲା।
ଉଲ୍ଲେଖଯୋଗ୍ୟ, ଭିଜିଲାନ୍ସ ଡିଏସ୍ପିଙ୍କଠାରୁ ଲୁଟ୍ ଘଟଣା ପରେ ସେଠାରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଥିବା ପୁଲିସ୍ ପକ୍ଷରୁ କୁହାଯାଇଥିଲା। ଫଳରେ ସେଠାରେ ରହୁଥିବା ବାସିନ୍ଦାମାନେ ଆଶ୍ବସ୍ତ ହୋଇଥିଲେ। କିନ୍ତୁ ଗତକାଲିର ଏହି ଘଟଣା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/fd89h7dg98hj7dg8gjdgjjgddgj.jpg)