୪ ନମ୍ବର ମାଛ ମାର୍କେଟ୍‌ ସିଲ୍‌

ଭୁବନେଶ୍ବର : ୟୁନିଟ୍‌-୪ ଅଞ୍ଚଳରେ ଥିବା ମାଛ ମାର୍କେଟ୍‌କୁ ସିଲ୍‌ କରିଛି ବିଏମ୍‌ସି। ରବିବାର ସଟ୍‌ଡାଉନ୍‌ ସତ୍ତ୍ବେ ଏଠାରେ ‌ମାଛ, ମାଂସ ଦୋକାନ ଖୋଲା ରହିବା ସହ ଭିଡ଼ ଜମିଥିବାରୁ ବିଏମ୍‌ସି ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଖୁଚୁରା ଓ ହୋଲ୍‌ସେଲ୍‌ ଦୋକାନ ଖୋଲା ଥିବା ଦେଖାଯାଇଥିଲା। ଏଣୁ ବଜାରକୁ ସିଲ୍‌ କରାଯାଇଛି। ବ୍ୟାରିକେଡ୍‌ କରାଯାଇ ସର୍ବସାଧାରଣ ପ୍ରବେଶ ଉପରେ କଟକଣା କରାଯାଇଛି। ଏହା ଭିତରକୁ ପ୍ରବେଶ କଲେ କୋଭିଡ୍‌-୧୯ ମହାମାରୀ ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦିଆଯାଇଛି।

ଏ ନେଇ ବିଏମ୍‌ସି କମିସନର ସଞ୍ଜୟ ସିଂହ କହିଛନ୍ତି, ସଟ୍‌ଡାଉନ୍‌ ନିଶ୍ଚିତ କରିବା ପାଇଁ ବିଏମ୍‌ସି ଉଦ୍ୟମ ଜାରି ରଖିଛି। କିନ୍ତୁ ଏଠାରେ ସଟ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ଦୋକାନ ଖୋଲାଥିଲା। ଏଣୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୂର୍ବରୁ ଏହି ବଜାରରେ କୋଭିଡ୍‌ କଟକଣା ଉଲ୍ଲଂଘନ ନେଇ ଅଭିଯୋଗ ହୋଇଥିଲା। ପ୍ରମାଣ ମିଳିବା ପରେ ଜୁନ୍‌ ୧୮ ତାରିଖରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହି ବଜାରକୁ ସିଲ୍‌ କରାଯାଇଥିଲା। ଆଜି ମଧ୍ୟ କୋଭିଡ୍‌ କଟକଣା ଉଲ୍ଲଂଘନର ପୁନରାବୃତ୍ତି ହୋଇଥିବାରୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ କରାଯାଇନାହିଁ। କୋଭିଡ୍‌ କଟକଣା ନିଶ୍ଚିତ କରିବା ପାଇଁ ଆଗକୁ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ରବିବାର ଥିବାରୁ ଏହି ମାର୍କେଟ୍‌ରେ ପ୍ରବଳ ଭିଡ଼ ହୋଇଥିଲା। ଏନେଇ ଖବର ଆସିବା ପରେ ସକାଳ ପ୍ରାୟ ୮ଟା ୨୦ ମିନିଟ୍‌ ପରେ କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଅନେକ ବ୍ୟବସାୟୀ ମାସ୍କ ପିନ୍ଧି ନଥିଲେ। ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ମଧ୍ୟ ନଥିଲା। ଏଣୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ତୁରନ୍ତ ସମ୍ପୃକ୍ତ ଅଞ୍ଚଳକୁ ବ୍ୟାରିକେଡ୍‌ କରାଯିବା ସହ ସର୍ବସାଧାରଣଙ୍କ ପ୍ରବେଶ ବାରଣ କରାଯାଇଥିଲା। ଚଢ଼ଉ କରିଥିବା ସ୍କ୍ବାଡ୍‌ରେ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଦକ୍ଷିଣ ପୂର୍ବ ଜୋନର ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ ଓ ସହକାରୀ କମିସନର (ଏନଫୋର୍ସମେଣ୍ଟ) ଲିଲନ ପ୍ରସାଦ ସାହୁ ସାମିଲ ଥିଲେ।

ସମ୍ବନ୍ଧିତ ଖବର