ଭୁବନେଶ୍ୱର: କ୍ୟାପିଟାଲ୍‌ ହାଟ ପରେ ୟୁନିଟ୍‌-୪ ହାଟ ହେଉଛି ରାଜଧାନୀର ଅନ୍ୟତମ ବଡ଼ ଓ ନିର୍ଭରଯୋଗ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ବେପାର କେନ୍ଦ୍ର। ଦିନେ ଏହା କେବଳ ବଡ଼ ମାଛ ହାଟର ପରିଚୟ ‌ବହନ କରୁଥିଲା। ଏବେ କିନ୍ତୁ ଏହା ମାଛ, ପରିବାଠାରୁ ଆରମ୍ଭ କରି ତେଜରାତି ଦୋକାନ ଆଦିରେ କ୍ୟାପିଟାଲ ହାଟ ସହ ସମକକ୍ଷ ହୋଇଗଲାଣି। ଦୈନିକ ହଜାର ହଜାର ଲୋ‌କ ଏହି ହାଟ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏଠ‌ାରେ ସମସ୍ୟା ହ୍ରାସ ପାଇବା ବଦଳରେ ବଢ଼ିବଢ଼ି ଯାଉଛି। ମୂଳରୁ ଯେଉଁ ସମସ୍ୟା ସବୁ ଥିଲା, ସେସବୁ ସୁଧୁରିବା ନାଁ ଧରୁନାହିଁ। ଶୌଚାଳୟ, ପିଇବା ପାଣି, ପାର୍କିଂ ଆଦି ମୌଳିକ ସମସ୍ୟା ପୂର୍ବରୁ ଯେମିତି ଥିଲା, ବଢ଼ିଛି ସିନା କମିନାହିଁ ବୋଲି ଅଭିଯୋଗ ହୋଇଆସୁଛି।

Advertisment

ଏହି ମାର୍କେଟରେ ଜବରଦଖଲ ବଢ଼ିବାରେ ଲାଗିଛି। ଫଳରେ ପାର୍କିଂ ପ୍ରମୁଖ ସମସ୍ୟା ପାଲଟିଛି। ପାର୍କିଂଜନିତ ସମସ୍ୟା ଥିବାରୁ ଲୋକେ ରାସ୍ତାରେ ଗାଡ଼ି ରଖିବାକୁ ବାଧ୍ୟ ହେଉଛନ୍ତି ଏବଂ ରାସ୍ତା ସଙ୍କୁଚିତ ହୋଇଯାଉଛି। ତେଣୁ ଭିଡ଼ ଭିତରେ ଥରେ ଫସିଲେ, ବାହାରିବା ମୁସ୍କିଲ ହୋଇପଡ଼ୁଛି। ସେହିପରି ହାଟ ମଧ୍ୟରେ ପିଇବା ପାଣି ଓ ଶୌଚାଳୟର ସୁବିଧା ନାହିଁ। ମାର୍କେଟ ମଧ୍ୟରେ ଥିବା ଭ୍ରାମ୍ୟମାଣ ଶୌଚାଳୟ ଅଚଳ ପଡ଼ିଛି। ଯେଉଁ ଶୌଚାଳୟ ଅଛି, ସେଠାକୁ ପାଣି ଆସୁନି। ସେଥିପାଇଁ ଲୋକମାନେ ବାଧ୍ୟ ହୋଇ ବାହାରେ ପରିସ୍ରା କରୁଛନ୍ତି। ଫଳରେ ପରିସ୍ରା ଗନ୍ଧରେ ନାକ ଫାଟି ପଡ଼ୁଛି। ପରିମଳ ବ୍ୟବସ୍ଥା କଥା ନ ସରେ। ଯୁଆଡ଼େ ପାଦ ପକାଇବ ଆବର୍ଜନା ଉପରେ ପଡ଼ିବ। ମାଛ ମାର୍କେଟ୍‌ର ଅବସ୍ଥା ସବୁଠୁ ବଡ଼ କଦର୍ଯ୍ୟ। ମାଛ ଧୂଆ ପାଣି ରାସ୍ତା ଉପରେ ବହୁଛି।

ମାଛ ଆବର୍ଜନା, କୁକୁଡ଼ା ପର ଓ ଚିଙ୍ଗୁଡ଼ି ଖୋଳ ଦିନ ଦିନ ଧରି ଗଦା ହୋଇ ରହୁଛି। ଡ୍ରେନଗୁଡ଼ିକ ମାଛ କାତି ଓ କୁକୁଡା ପରରେ ଭର୍ତ୍ତି ହୋଇରହୁଛି। ମାଛ ମାର୍କେଟର ଡଷ୍ଟବିନ୍‌ରେ ଅଳିଆ ଭର୍ତ୍ତି ହୋଇରହୁଛି ଏବଂ ବହୁ ସମୟରେ ଉଛୁଳିକି ରାସ୍ତାରେ ପଡ଼ୁଛି। ସେଥିରୁ ବାହାରୁଥିବା ଦୁର୍ଗନ୍ଧ ଯୋଗୁ ହାଟ ଭିତରେ ଘଡ଼ିଏ ଠିଆ ହେବା ଅସମ୍ଭବ।

୨୦୨୧ ମସିହାରେ ଏହି ହାଟକୁ ବିଶ୍ୱସ୍ତରୀୟ କରାଯିବ ବୋଲି କହିଥିଲେ ତତ୍କାଳୀନ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ। ଏଠାରେ ମାଛ ପାଇଁ ଏକ ବୃହତ୍‌ ଶୀତତାପ ନିୟନ୍ତ୍ରିତ ଗୋଦାମ ଓ ପରିବା‌ ଗୋଦାମ କରାଯିବ ବୋଲି ଘୋଷଣା ହୋଇଥିଲା। ସେହିପରି ମାଛ ମାର୍କେଟ୍‌ରେ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କିମ୍ବା ଏକ ବହୁତଳ ପାର୍କିଂସ୍ଥଳୀ ନିର୍ମାଣ କରାଯିବା ପାଇଁ ମଧ୍ୟ କୁହାଯାଇଥିଲା। କିନ୍ତୁ ତାହା ସେମିତି ପ୍ରତିଶ୍ରୁତିରେ ରହିଯାଇଛି। ଏନେଇ ବ୍ୟବସାୟୀ ସଂଘର ସଂପାଦକ ବଦ୍ରି ନାରାୟଣ ମିଶ୍ରଙ୍କ କହିବା ଅନୁଯାୟୀ ହାଟ ମଧ୍ୟରେ ଥିବା ଦୁଇଟି ଶୌଚାଳୟ ଅଚଳ ହୋଇପଡ଼ିଛି। ଏନେଇ ସଂଘ ପକ୍ଷରୁ ବାରମ୍ୱାର ବିଏମ୍‌ସିକୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ହେଁ କିଛି ସୁଫଳ ମିଳିନାହିଁ। ସେହିପରି ଜବରଦଖଲ ହଟାଇବା ପାଇଁ ସଂଘ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଛି। ହାଟ ଚାରିପଟେ ପାଚେରି ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। କିନ୍ତୁ କିଛି କରାଯାଉନାହିଁ। ଏନେଇ ସ୍ଥାନୀୟ କର୍ପୋରେଟର ଅଲିଅଳି ମଲ୍ଲିକଙ୍କ କହିବା କଥା ସେ ସମସ୍ତ ଅସୁବିଧାର ସମାଧାନ ପାଇଁ ବିଏମ୍‌ସିକୁ ପ୍ରସ୍ତାବ ଦେଇଛନ୍ତି ଏବଂ ଖୁବ ଶୀଘ୍ର ସମସ୍ୟାଗୁଡ଼ିକର ସମାଧାନ କରାଯିବ।