ୟୁନିଟ୍‌-୪ ହସ୍ପିଟାଲ ହେବ ଏଫ୍‌ଆର୍‌ ୟୁନିଟ୍‌, ବର୍ଷେ ହେଲା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଡାକ୍ତର ପଦ ଖାଲି

ଶଯ୍ୟା ସଂଖ୍ୟା ୩୦କୁ ବଢ଼ିବ

ଭୁବନେଶ୍ବର: ୟୁନିଟ୍‌-୪ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ହେବ ଫାଷ୍ଟ ରେଫରାଲ ବା ଏଫ୍‌ଆର୍‌ ୟୁନିଟ୍‌। ଯାହାଫଳରେ ଅଧିକରୁ ଅଧିକ ଗର୍ଭବତୀ ମହିଳାଙ୍କ ପ୍ରସବ ପାଇଁ ହସ୍ପିଟାଲରେ ବ୍ୟବସ୍ଥା ହୋଇପାରିବ। ଏବେ କିଛି ହାତଗଣିତ ପ୍ରସବ ହେଉଥିବା ବେଳେ ଏଫ୍‌ଆର୍‌ ୟୁନିଟ୍‌ ଏ ଦିଗରେ ସହାୟକ ହେବ। ଏଥିପାଇଁ ହସ୍ପିଟାଲରେ ନୂତନ ବିଲ୍ଡିଂରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।
ଏଫ୍‌ଆର୍‌ ୟୁନିଟ୍‌ ପାଇଁ ଏକ ରକ୍ତ ଭଣ୍ଡାରର ଆବଶ୍ୟକତା ରହିଛି। ୟୁନିଟ୍‌-୪ ସିଏଚ୍‌ସିରେ ଏବେ ରକ୍ତ ଭଣ୍ଡାର ନାହିଁ। ଏହାକୁ କ୍ୟାପିଟାଲ ହସ୍ପିଟାଲର ରକ୍ତ ଭଣ୍ଡାର ୟୁନିଟ୍‌ ସହିତ ସଂଯୋଗ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁସବୁ ସ୍ବାସ୍ଥ୍ୟାନୁଷ୍ଠାନରେ ଅଧିକ ସଂଖ୍ୟାରେ ପ୍ରସବ ହେଉଛି ସେସବୁ ହସ୍ପିଟାଲକୁ ଏଫ୍ଆର୍‌ ୟୁନିଟ୍‌ରେ ପରିଣତ କରିବା ପାଇଁ ଯୋଜନା ହୋଇଛି। ‌ରାଜ୍ୟରେ ଏବେ ୯୪ଟି ଏଫ୍‌ଆର୍‌ ୟୁନିଟ୍‌ କାର୍ଯ୍ୟ କରୁଛି। ୟୁନିଟ୍‌-୪ ସିଏଚ୍‌ସିରେ ଏବେ ୬ଟି ଶଯ୍ୟା ରହିଛି। ଅପରପକ୍ଷରେ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୩୦କୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ହୋଇଛି। ନୂତନ ବିଲ୍ଡିଂରେ ଆଉ ୨୪ଟି ଶଯ୍ୟା ବୃଦ୍ଧି କରାଯିବାକୁ ଯୋଜନା ହୋଇଛି। ନୂତନ ବିଲ୍ଡିଂରେ ଏଫ୍‌ଆର ୟୁନିଟ୍‌ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।

ସେହିପରି ୟୁନିଟ୍‌-୪ ସିଏଚ୍‌ସିକୁ ରାଜ୍ୟ ସରକାର କେବଳ ମହିଳା ଓ ଶିଶୁମାନଙ୍କ ପାଇଁ ସଂରକ୍ଷିତ ରହିଥିବା ଘୋଷଣା କରିଛନ୍ତି। ଏଠାରେ ମହିଳାଙ୍କ ପ୍ରସୂତି ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ହେଲେ ବର୍ଷେ ହେଲାଣି ହସ୍ପିଟାଲରେ ସ୍ତ୍ରୀ ଓ ପ୍ରସୂତି ରୋଗ ଡାକ୍ତର ନାହାନ୍ତି। ଏଠାରେ ଦୁଇ ଜଣ ଡାକ୍ତରଙ୍କୁ ପୂର୍ବରୁ ନିଯୁକ୍ତି ଦିଆଯାଇଥିବା ବେଳେ ଜଣଙ୍କର ପଦୋନ୍ନତି ଓ ଅନ୍ୟ ଜଣେ ଉଚ୍ଚଶିକ୍ଷା ପାଇଁ ଯାଇଥିବାରୁ ସେବେଠାରୁ ପଦବି ଖାଲି ପଡ଼ିଛି। ଯାହାଫଳରେ ହସ୍ପିଟାଲରେ ପ୍ରସବ ହୋଇପାରୁ ନାହିଁ। ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଏହା ଉପରେ ନଜର ନାହିଁ। ଯାହାଫଳରେ ସବୁ ପ୍ରସୂତିମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। କ୍ୟାପିଟାଲ ହସ୍ପିଟାଲ ଉପରୁ ଚାପ କମାଇବା ଲାଗି ୟୁନିଟ୍‌-୪ରେ ପ୍ରସୂତିଙ୍କ ପାଇଁ ଗୁରୁତ୍ବ ଦିଆଯାଉଥିଲା, ମାତ୍ର ଏଠାରେ ଏହା ଓଲଟା ଫଳ ଦେଖିବାକୁ ମିଳିଛି।

ୟୁନିଟ୍‌-୪ ସିଏଚ୍‌ସିର ଅଧୀକ୍ଷକ ଡା.ସୁବ୍ରତା ନାୟକ କହିଛନ୍ତି, ଖାଲି ପଡ଼ିଥିବା ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଡାକ୍ତର ନିଯୁକ୍ତି ଦେବା ଲାଗି ଆଲୋଚନା ହୋଇଛି। ଖୁବଶୀଘ୍ର ଡାକ୍ତର ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ତେବେ ଏଫ୍‌ଆର୍‌ ୟୁନିଟ୍‌ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଏ ଯାଏ ମିଳି ନାହିଁ। ଏ ସଂପର୍କରେ ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଅଧିକ କହିପାରିବେ ବୋଲି ଡା.ନାୟକ କହିଛନ୍ତି। ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଡା.ସିଭି ସତ୍ୟନାରାୟଣ ରାଓ କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପ୍ରସ୍ତାବ ଆସିଥିଲା। ୟୁନିଟ୍‌-୪ ସିଏଚ୍‌ସିରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ଜରିଆରେ ଏହାକୁ କାର୍ଯ୍ୟକାରୀ କରାଯିବ। ରକ୍ତ ଭଣ୍ଡାର ସହିତ ଆବଶ୍ୟକ ପଡ଼ିଲେ ରକ୍ତ ସଂଚାରଣର ମଧ୍ୟ ସୁବିଧା ରହିବ ହସ୍ପିଟାଲରେ। ୟୁନିଟ୍‌-୪ ସିଏଚ୍‌ସି ଭଳି ପ୍ରମୁଖ ସ୍ଥଳରେ ଏହା କାର୍ଯ୍ୟକାରୀ ହେଲେ ପ୍ରସୂତିମାନଙ୍କ ପାଇଁ ବେଶ୍ ସହାୟକ ହୋଇପାରିବ ବୋଲି ଡା.ରାଓ କହିଛନ୍ତି।

ସମ୍ବନ୍ଧିତ ଖବର