ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବାକୁ ବିଏମ୍ସିର ବଡ଼ ପଦକ୍ଷେପ। ସହରରେ ଥିବା ୟୁନିଟ୍-୪ ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଗତକାଲି ରାତିରେ ଏନେଇ ବିଏମ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ତା’ପରେ ବି ଆଜି ସକାଳୁ ମାର୍କେଟ୍ରେ ବ୍ୟବସାୟୀମାନେ ପସରା ମେଲାଇ ଦେଇଥିଲେ। ମାଛ, ମାଂସ, ପରିବା ବ୍ୟବସାୟୀମାନେ ସାମଗ୍ରୀ ବିକ୍ରି କରି ଚାଲିଥିଲେ। ଗ୍ରାହକଙ୍କ ଭିଡ଼ ମଧ୍ୟ ଜମିଥିଲା। ଖବର ପାଇ ସକାଳ ୮ଟାରେ ବିଏମ୍ସି ସ୍କ୍ବାଡ୍, ସ୍ଥାନୀୟ ପୁଲିସ ପହଞ୍ଚି ଗ୍ରାହକଙ୍କୁ ଘଉଡ଼ାଇବା ସହ ବ୍ୟବସାୟୀଙ୍କ ଦୋକାନ ବନ୍ଦ କରିଦେଇଥିଲେ। କେତେଜଣ ବ୍ୟବସାୟୀ ଏହାର ପ୍ରତିବାଦ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ କଟକଣା ଲାଗୁ ହୋଇସାରିଥିବାରୁ ବ୍ୟବସାୟୀଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏହାବ୍ୟତୀତ ୟୁନିଟ୍-୪ ମାର୍କେଟ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଦୋକାନ, ସପିଂ ମଲ୍ ଆଦିକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସିଲ୍ କରାଯାଇଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ୟୁନିଟ୍-୪ ମାର୍କେଟ୍ରୁ ୪ ଜଣ ବ୍ୟକ୍ତି କରୋନା ପଜିଟିଭ୍ ବାହାରିବା ପରେ ବିଏମ୍ସି ପକ୍ଷରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।
ଭୁବନେଶ୍ବର: କୋଭିଡ୍-୧୯ ନିୟମ ପାଳନ କରୁ ନ ଥିବାରୁ ଆଜି ରାଜଧାନୀର ୪ଟି ଔଷଧ ଦୋକାନକୁ ବନ୍ଦ କରିଛି ବିଏମ୍ସି। ଔଷଧ ଦୋକାନଗୁଡ଼ିକର କର୍ମଚାରୀ ମାସ୍କ୍ ନ ପିନ୍ଧିବା, ସାମାଜିକ ଦୂରତା ନ ମାନିବା ସହ ଗ୍ରାହକଙ୍କ ଭିଡ଼ ଏଡ଼ାଇବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବାରୁ ବିଏମ୍ସି ଏହି ନିଷ୍ପତ୍ତି ନେଇଛି। ବିଏମ୍ସିର ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିସନର୍ ଅଂଶୁମାନ ରଥ କହିଛନ୍ତି, କୋଭିଡ୍-୧୯ର ନିୟମ ଅନୁପାଳନ ପାଇଁ ବିଏମ୍ସି କର୍ତ୍ତୃପକ୍ଷ ଦୋକାନଗୁଡ଼ିକୁ ବାରମ୍ବାର ନିବେଦନ କରିଥିଲେ। ତା’ପରେ ବି ସେମାନେ ଗହଳି ଭାଙ୍ଗିବା ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ। ବରଂ ଭିଡ଼ ହଟାଇବା ତାଙ୍କ ଦାୟିତ୍ବ ନୁହେଁ ବୋଲି ମେଡିସିନ୍ ଦୋକାନୀମାନେ ଯୁକ୍ତି ବାଢ଼ିଥିଲେ। ତାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ସିଲ୍ ହୋଇଥିବା ଦୋକାନଗୁଡ଼ିକ ହେଉଛି ସାଇରା ମେଡିକାଲ୍ ଷ୍ଟୋର୍, ବାଲାଜୀ ମେଡିକାଲ୍ ଷ୍ଟୋର୍, ରବୀନ୍ଦ୍ର କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ୍, ବାପୁଜୀ ମେଡିକାଲ୍ ଷ୍ଟୋର୍।