ଭୁବନେଶ୍ୱର : କେତେକ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ୟୁନିଟ୍‌-୪ ମାର୍କେଟ୍‌କୁ ସିଲ୍‌ କରାଯାଇଛି। ଏହାଛଡ଼ା ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଦୋକାନ ମଧ୍ୟ ବନ୍ଦ ରହିବ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସିଲ୍‌ କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ନୂଆପଲ୍ଲୀ ସୀତାପୁର ଓ ତ୍ରିନାଥ ବସ୍ତିକୁ ବିଏମ୍‌ସି ଆଜି କଣ୍ଟେନମେଣ୍ଟ ଜୋନ୍‌ ବା ସଂକ୍ରମଣ ଅବରୋଧ ଅଞ୍ଚଳ ଘୋଷଣା କରିଛି। ତଦନୁଯାୟୀ, ଆସନ୍ତାକାଲିଠାରୁ ଡ. ମିଲନ ପାଲିତଙ୍କ ଘରଠାରୁ ସୀତାପୁର ବସ୍ତି ପର୍ଯ୍ୟନ୍ତ ଅଞ୍ଚଳକୁ ବାହାର ଲୋକ ପ୍ରବେଶ କରିପାରିବେ ନାହିଁ କିମ୍ବା ଏଠାରେ ରହୁଥିବା ଲୋକେ ବାହାରକୁ ଯାଇପାରିବେ ନାହିଁ। ଅପରପକ୍ଷେ ତ୍ରିନାଥବସ୍ତି ଅଞ୍ଚଳ‌ରେ ଆଲ୍ଲାହାବାଦ ବ୍ୟାଙ୍କରୁ-ଦୁର୍ଗାମଣ୍ଡପ-ତାରିଣୀ ମନ୍ଦିର-କବାଡ଼ି ଦୋକାନ ଓ ନାବାର୍ଡ ପଛପଟକୁ ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ଓ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ।

Advertisment

publive-image

ସାନିଟାଇଜ୍‌ ହେଉନି କଳିଙ୍ଗ ବିହାର (କେ-୮) ଅଞ୍ଚଳ
ଖଣ୍ଡଗିରି : ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଦେଖାଗଲାଣି। ୧୦ ଜଣରୁ ଅଧିକ ଆକ୍ରାନ୍ତ ହେଲେଣି। ତଥାପି କଳିଙ୍ଗନଗର (କେ-୮) ଅଞ୍ଚଳକୁ ସାନିଟାଇଜ୍‌ କରୁନାହିଁ ବିଏମ୍‌ସି। ଫଳରେ ଗତକାଲି ସ୍ଥାନୀୟ ବାସିନ୍ଦା ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଅଞ୍ଚଳରେ ଅଧିକାଂଶ ବରିଷ୍ଠ ନାଗରିକ ରହୁଥିବାରୁ ବିଦେଶରେ ଥିବା ସେମାନଙ୍କ ପିଲାମାନେ ଚିନ୍ତିତ ହୋଇପଡ଼ିଲେଣି। କଳିଙ୍ଗ ନଗର କେ-୮ ଆବାସିକ ଉନ୍ନୟନ ପରିଷଦର ସମ୍ପାଦକ ସରୋଜ କୁମାର ମହାନ୍ତି କହିଛନ୍ତି, ଏଇ କିଛିଦିନ ମଧ୍ୟରେ ଏହି ଅଞ୍ଚଳରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ବିଶେଷକରି ଏ ଅଞ୍ଚଳରେ ଥିବା ୮ଟି ଗେଷ୍ଟ ହାଉସ ଓ ଲଜ୍‌, ହଷ୍ଟେଲ୍‌ ଥିବାରୁ ସବୁବେଳେ ବାହାର ଲୋକଙ୍କ ଯା-ଆସ ଲାଗି ରହିଛି। ଏତଦବ୍ୟତୀତ ନୂଆ ଘର ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଶ୍ରମିକମାନେ କରୋନା ସଂକ୍ରମିତ ବସ୍ତିରୁ ଦୈନନ୍ଦିନ କାମ କରିବାକୁ ଆସୁଛନ୍ତି। ତେଣୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଉଛି। ତେଣୁ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ବହୁ ବାହାର ଲୋକଙ୍କ ଯା-ଆସ ଲାଗି ରହିଥିବାରୁ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରିବାକୁ ବାସିନ୍ଦାମାନେ ଅନୁରୋଧ କରିଛନ୍ତି। ଆକ୍ରାନ୍ତ ବ୍ୟକ୍ତିଙ୍କ ଚଳପ୍ରଚଳ ଥିବାରୁ ଏଠାରେ ସେରୋଲୋଜି ଟେଷ୍ଟର ନିତାନ୍ତ ଆବଶ୍ୟକତା ରହିଥିବା ସାଧାରଣ ସମ୍ପାଦକ ଶ୍ରୀ ମହାନ୍ତି କହିଛନ୍ତି।