ଆମିଷ ବଜାରରେ ଭିଡ଼ ଥମୁନି: ସଚିବାଳୟ ମାର୍ଗକୁ ଉଠିବ ୟୁନିଟ-୪ ମାଛ ମାର୍କେଟ୍

ମାଛ, ଚିକେନ ଦୋକାନରେ ଅସମ୍ଭାଳ ଭିଡ଼, ଚୋରା ମଦ ବେପାରୀଙ୍କ ପାଖରେ ମଦୁଆଙ୍କ ଗହଳି

ଭୁବନେଶ୍ବର: ଲକ୍‌ଡାଉନ୍‌ ବେଳେ ୧୦ ପ୍ରତିଶତ ଲୋକ ଅମାନିଆ ହେଉଛନ୍ତି। ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ପୁଲିସ ଡିଜି ଅଭୟ ସୂଚନା ଦେଇଥିଲେ। କିନ୍ତୁ ଆମିଷ ବାରରେ ଆମିଷ ଦୋକାନରେ ଲୋକଙ୍କର ଅସମ୍ଭାଳ ଭିଡ଼ ବିପଦକୁ ଡାକି ଆଣୁଛି। ରାଜଧାନୀର ବଡ଼ବଡ଼ ମାଛ ମାର୍କେଟ୍‌ରେ ଭିଡ଼ ହେଉଥିବା ବେଳେ କେତେକ ସ୍ଥାନରେ ଜଣେ ଦୁଇଜଣ ବେପାରୀଙ୍କ ପାଖରେ ଭିଡ଼ ଲାଗୁଛି। ଆସନ୍ତାକାଲି ବୁଧବାର ଥିବାରୁ ଭିଡ଼ ଆହୁରି ହେବ ବୋଲି ଜଣାପଡ଼ିଛି। ୟୁନିଟ୍-୪ ମାଛ ମାର୍କେଟ୍‌କୁ ରେଡ୍‌କ୍ରସ ଭବନ ନିକଟ ରାସ୍ତାକଡ଼କୁ ଉଠିଥିଲେ ବି ଭିଡ଼ ହେବାର ଆଶଙ୍କା କରାଯାଉଛି। ବଡ଼ଗଡ଼ ହାଟ ମାଛ ମାର୍କେଟ୍‌ରେ ବି ଅସମ୍ଭାଳ ଭିଡ଼ ହେଉଛି। ବଡ଼ ମାଛ ମାର୍କେଟ୍‌ ହୋଇଥିବାରୁ ବିଭିନ୍ନ ପ୍ରଜାତିର ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ମିଳୁ ଥିବାରୁ ଏହାକୁ ନେବାକୁ ଯେମିତି ଲୋକଙ୍କ ଭିତରେ ଏକପ୍ରକାର ପ୍ରତିଯୋଗିତା ହେଉଛି। ଲୋକ ସଚେତନ ନ ହୋଇ ମାଛ ନେବାକୁ ଭିଡ଼ ଲଗାଉଛନ୍ତି। ଫଳରେ ସାମାଜିକ ଦୂରତ୍ବ ରକ୍ଷା ହେଉନାହିଁ। ସେହିପରି ପଳାଶୁଣୀ, ଶିଶୁଭବନ ଛକ, ଭରତପୁର-ଶ୍ୟାମପୁର ରାସ୍ତାରେ ମଧ୍ୟ ପ୍ରବଳ ଭିଡ଼ ହେଉଥିବା ଗତ ସପ୍ତାହକ ମଧ୍ୟରେ ଦେଖିବାକୁ ମିଳୁଛି। ରାଜଧାନୀର କେତେକ ନିର୍ଦ୍ଦିଷ୍ଟ ଦୋକାନରେ ଅସମ୍ଭାଳ ଭିଡ଼ ହେଉଛି। ଲୋକ ଚିକେନ୍‌ ନେବା ପାଇଁ ଗହଳି କରୁଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଲୋକେ ସଚେତନ ହେଉନାହାନ୍ତି କି ଦୋକାନୀ ମଧ୍ୟ ବେପାର କରିବାକୁ ଯାଇ କିଛି ବାରଣ କରୁନାହାନ୍ତି। ସାରା ବିଶ୍ବରେ କରୋନା ଆତଙ୍କ ଜାରି ରହିଥିବା ବେଳେ ମୁକାବିଲା ଲାଗି ଦେଶରେ ଲକଡାଉନ୍‌ ଘୋଷଣା କରାଯାଇଛି। ସାମାଜିକ ଦୂରତ୍ବ ରକ୍ଷା କରିବା ବଦଳରେ ଆମିଷ ବଜାରରେ ଭିଡ଼କୁ ନେଇ ଅନେକ ସମାଲୋଚନା ମଧ୍ୟ କରାଯାଇଛି। ଆସନ୍ତାକାଲି ସକାଳେ ବିଭିନ୍ନ ମାଛ ଓ ଚିକେନ୍ ଦୋକାନ ଆଗରେ ଭିଡ଼ ନିୟନ୍ତ୍ରଣ କରିବା ଲାଗି ବିଏମ୍‌ସି ଓ ପୁଲିସ ପକ୍ଷରୁ କ’ଣ କାର୍ଯ୍ୟାନୁଷ୍ଠାନ କରାଯିବ, ତା’ ଉପରେ ନଜର।

ଅପରପକ୍ଷେ ରାଜଧାନୀରେ ସଞ୍ଜ ନଇଁଲେ ଚୋରା ମଦ ବେପାରୀଙ୍କ ଉତ୍ପାତ ବଢ଼ୁଛି। ସରକାରୀ ମଦ ଦୋକାନ ବନ୍ଦ ଥିବାରୁ ଚୋରା ମଦ ବେପାରୀଙ୍କ ରାଜ୍ ଚାଲିଛି। ରାତିରେ ମଦ ବେପାରୀଙ୍କ ପାଖରେ ମଦୁଆଙ୍କ ଗହଳି ଜମୁଛି। ଖଣ୍ଡଗିରି, ବରମୁଣ୍ଡା, ଯୁନିଟ୍-୩, କଟକରୋଡ୍, ମଞ୍ଚେଶ୍ବର, ରାଜମହଲ-କଳ୍ପନା ଛକ ରାସ୍ତାର ଫାଳିକିଆ ବଜାର, ରାଜଧାନୀ ଉପକଣ୍ଠ ବାଲିଅନ୍ତା, ବାଲିପାଟଣା, ପଳାଶୁଣୀ ଅଞ୍ଚଳରେ ଚୋରା ବେପାରୀ ବେପାର ଚଳାଇଛନ୍ତି। କେତେକ ଅସାଧୁ ବେପାରୀ ଚୋରା ବେପାରୀଙ୍କ ସହ ହାତ ମିଳାଇଥିବା ଜଣାପଡ଼ିଛି। ଚୋରା ବେପାରୀଙ୍କ ସୁବିଧାରେ ମଦ ଯୋଗାଇ ଦେଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ୧୦୦/୧୫୦ ଟଙ୍କାର ମଦକୁ ୩ ଶହ ଟଙ୍କାରେ ବିକୁଛନ୍ତି। କିନ୍ତୁ ପୁଲିସ କିମ୍ବା ଅବକାରୀ ବିଭାଗ ସେଭଳି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏପରିକି କ୍ୟାପିଟାଲ ଥାନା ପଛପଟେ ଚାଲିଥିବା ମଦ ବେପାର ସମ୍ପର୍କରେ ଥାନା ପୁଲିସ ନ ଜାଣି ପାରିବା କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ପେସାଲ ସ୍କ୍ବାଡ୍ ପୁଲିସ ଖବର ପାଇ ସେଠାରେ ଚଢ଼ଉ କରି ମଦ ବେପାରୀକୁ ଗିରଫ କରିବା ସହ ବିଦେଶୀ ମଦ ଓ ନଗଦ ଟଙ୍କା ଜବତ କରିଥିଲା। ଖଣ୍ଡଗିରି ଥାନା ପୁଲିସ ଡୁମୁଡୁମା ଅଞ୍ଚଳରୁ ଜଣେ ବେପାରୀକୁ ଗିରଫ କରିବା ସହ ବିପୁଳ ଚୋରା ମଦ ଜବତ କରିଥିଲା। ଯେଉଁମାନେ ଲକ୍‌ଡାଉନ୍ ଆଇନ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ଥାନା ପୁଲିସଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଡିଜିପି ଅଭୟ ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଆଗକୁ ପୁଲିସ ଆହୁରି କଠୋର ହେବ ବୋଲି ସୂଚନା ଦେଇଥିଲେ।

ଭୁବନେଶ୍ବର: ଯେତେ ଦିନ ପର୍ଯ୍ୟନ୍ତ ରାଜଧାନୀରେ କରୋନା ପାଇଁ କଟକଣା ଲାଗି ରହିବ, ସେତେଦିନ ପର୍ଯ୍ୟନ୍ତ ୟୁନିଟ୍‌-୪ସ୍ଥିତ ମାଛ ମାର୍କେଟ୍ ସଚିବାଳୟ ମାର୍ଗ‌ରେ ବସିବ। ରେଡକ୍ରସ୍‌ ସୋସାଇଟି ସମ୍ମୁଖ ରାସ୍ତା ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍‌ ଇଞ୍ଜିନିୟର୍ସ ନିକଟସ୍ଥ ରାସ୍ତାରେ ଏହି ମାଛ ମାର୍କେଟ୍‌ ବସିବ। ପ୍ରାୟ ୨୦୦ ମାଛ ବ୍ୟବସାୟୀ ଏଠାରେ ବସିବେ। ଏନେଇ ବିଏମ୍‌ସି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବିଏମ୍‌ସି ପକ୍ଷରୁ ଏହି ଅଞ୍ଚଳକୁ ବ୍ଲିଚିଂ ପକାଇ ସଫା କରାଯିବା ସହ ବ୍ୟବସାୟୀ ବସିବା ପାଇଁ ସ୍ଥାନ ଚିହ୍ନଟ ହୋଇଛି। ପ୍ରତି ୧୦ ମିଟର ବ୍ୟବଧାନରେ ଜଣେ ଲେଖାଏ ବ୍ୟବସାୟୀ ବସିବେ। ଗ୍ରାହକଙ୍କ ମଧ୍ୟରେ ଦେଢ଼ ମିଟର ଦୂରତା ରହିବ। ଏନେଇ ଆଜି ବିଏମ୍‌ସି ପକ୍ଷରୁ ଗୋଲେଇ ଚିହ୍ନ ଦିଆଯାଇଛି।ସେହିପରି ରାସ୍ତା ଯେପରି ଅପରିଷ୍କାର ନହେବ, ସେଥିପାଇଁ ମାଛ ବ୍ୟବସାୟୀଙ୍କୁ ଏଠାରେ ମାଛ ନ କାଟିବାକୁ କୁହାଯାଇଛି। ଯେଉଁମାନେ କଟା ମାଛ ବିକିବେ, ସେମାନେ ଆଗୁଆ ମାଛ କାଟିକି ଆଣିବେ। ସେହିପରି ଚିଙ୍ଗୁଡ଼ି ଚୋପା ନ ଛଡ଼ାଇ ବିକିବାକୁ କୁହାଯାଇଛି। କେବଳ ଏତିକି ନୁହେଁ, ମଟନ୍ ଓ ଚିକେନ୍ ବ୍ୟବସାୟୀ ଏବେ ଯେପରି ବ୍ୟବସାୟ କରୁଛନ୍ତି, ସେମିତି କରିବେ। ସେଠାରେ ଯେପରି ଗ୍ରାହକଙ୍କ ମଧ୍ୟରେ ୧ ମିଟରରୁ ଦେଢ଼ ମିଟର ଦୂରତା ରହିବ, ସେନେଇ ଦୋକାନୀମାନେ ‌ଧ୍ୟାନ ଦେବେ।

ସୂଚନାଯୋଗ୍ୟ, ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ରାଜଧାନୀର ସବୁ ପରିବା ମାର୍କେଟ୍ ଏବେ ନିକଟସ୍ଥ ରାସ୍ତା ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର ହୋଇଯାଇଥିଲେ ହେଁ ସବୁ ଆମିଷ ମାର୍କେଟ୍‌ରେ ଏବେ ଲୋକ ଏହି ନିୟମ ମାନୁନାହାନ୍ତି। ବିଶେଷକରି ରାଜଧାନୀର ସବୁଠୁ ବଡ଼ ଆମିଷ ମାର୍କେଟ୍‌ ୟୁନିଟ୍‌-୪ରେ ସାମାଜିକ ଦୂରତା ରହୁ ନଥିଲା। ତେଣୁ ବିଏମ୍‌ସି ପକ୍ଷରୁ ମାଛ ମାର୍କେଟ୍ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର