ଭୁବନେଶ୍ୱର: ୟୁନିଟ୍-୮ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜି ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ସ୍କୁଲ୍ ପରିସରରେ ଉଦ୍ଘାଟିତ ହୋଇଯାଇଛି। ପ୍ରଥମ ଦିବସରେ ମୁଖ୍ୟ ଆକର୍ଷଣ ଥିଲା ପ୍ରସିଦ୍ଧ ଗୁରୁ ହରିପ୍ରସାଦ ଚୌରାସିଆ ବଂଶୀବାଦନ। ତାଙ୍କର ସୁଲଳିତ ବଂଶୀ ସ୍ୱନରେ ଶ୍ରୋତା ଏମିତି ତଲ୍ଲୀନ ହୋଇ ଯାଇଥିଲେ ଯେ କିଛି ସମୟ ପାଇଁ ସେମାନେ ଭିନ୍ନ ଏକ ଜଗତରେ ବଚରଣ କଲା ଭଳି ଅନୁଭବ କରିଥିଲେ।
ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ବିଦ୍ୟାଳୟର ଛାତ୍ରମାନେ ସ୍ଥାନୀୟ ଅଞ୍ଚଳରେ ସକାଳୁ ପ୍ରଭାତ ଫେରିରେ ବାହାରିଥିଲେ। ଅପରାହ୍ଣରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀ ଓ ଖୋର୍ଧା ଡିଇଓ ବୃନ୍ଦାବନ ଶତପଥୀ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ରମାନଙ୍କୁ ପୁରସ୍କୃତ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଥିକା ରାୟ ସ୍ୱାଗତ ଭାଷଣ ଦେଇଥିଲେ ଓ ଅଭିରାମ ଗୌଡ଼ ଧନ୍ୟବାଦ ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/m4-4.jpg)