ୟୁନିଟ୍-୮ କଲ୍ୟାଣ ମଣ୍ଡପ ଭଙ୍ଗାକୁ ୪ ବର୍ଷ ପୂରିବ: କି’ କାମରେ ଲାଗିବ ମଣ୍ଡପ ଜମି?

ପାର୍କ ନ ହେଲେ ଚାଲିବ ଆନ୍ଦୋଳନ

ଭୁବନେଶ୍ବର: ଆଉ ୨ ମାସ ପରେ ରାଜଧାନୀ ଭୁବନେଶ୍ବରସ୍ଥିତ ୟୁନିଟ୍-୮ କଲ୍ୟାଣ ମଣ୍ଡପ ଭଙ୍ଗାକୁ ୪ ବର୍ଷ ପୂରିବ। କିନ୍ତୁ ଉକ୍ତ ମଣ୍ଡପ ଜମି‌ରେ କ’ଣ ହେବ, ତାହା ଏବେ ବି ରହସ୍ୟ ହୋଇରହିଛି। ସରକାରୀସ୍ତରରେ ଏହାର ଉତ୍ତର କାହା ପାଖରେ ନାହିଁ। ଏକଦା ବିଏମ୍‌ସିର ଏକ ନୂତନ କାର୍ଯ୍ୟାଳୟ ହେବ ବୋଲି କୁହାଯାଉଥିଲା, କିନ୍ତୁ ହେଲା ନାହିଁ। ପୁଣି ମଝିରେ ସରକାରୀ କ୍ବାର୍ଟର୍ସ ହେବ ବୋଲି କୁହାଯାଇଛି। ମାତ୍ର ସେ ବାବଦରେ କିଛି ବି ସ୍ପଷ୍ଟ ଚିତ୍ର ନାହିଁ। ୪ ବର୍ଷ ହେଲା ସେମିତି ଅବ୍ୟବହୃତ ହୋଇ ପଡ଼ିଛି ଏହି ମଣ୍ଡପ ଜମି। ରାଜଧାନୀର ପ୍ରଥମ କଲ୍ୟାଣ ମଣ୍ଡପ ଏବେ ଅପନ୍ତରା ବଣଜଙ୍ଗଲ ହୋଇ ପଡ଼ିଛି ଓ ବିଷାକ୍ତ ଜନ୍ତୁଙ୍କ ବାସସ୍ଥଳୀ ପାଲଟିଛି।

୨୦୧୬ ସେପ୍ଟେମ୍ବର ମାସରେ ଏହାକୁ ଭଙ୍ଗା ଯାଇଥିଲା। ସେତେବେଳେ ଏଠାରେ ବିଏମ୍‌ସିର ଏକ ନୂତନ କାର୍ଯ୍ୟାଳୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। କିନ୍ତୁ ପରେ ପ୍ରସ୍ତାବ ବଦଳିଗଲା। ଜମି ନିଅଣ୍ଟ ହେବାରୁ ବିଏମ୍‌ସିର ଏହି ନୂତନ କାର୍ଯ୍ୟାଳୟ ସତ୍ୟନଗରକୁ ସ୍ଥାନାନ୍ତର ହେଲା। ପରେ ଏଠାରେ ସରକାରୀ କ୍ବାର୍ଟସ ନିର୍ମାଣ ହେବ ବୋଲି ଘୋଷଣା କରାଗଲା। ଏ ସମ୍ବନ୍ଧରେ ସ୍ଥାନୀୟ ବାସିନ୍ଦା ଅବଗତ ହେବା ପରେ ଆନ୍ଦୋଳନ ମୁଣ୍ଡ ଟେକିଲା। ସେଠାରେ ଜନସାଧାରଣଙ୍କ ନିମନ୍ତେ ଏକ ପାର୍କ ନିର୍ମାଣ କରିବା ପାଇଁ ଦାବି ଜୋର୍‌ ଧରିଲା। ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ଚିଠି ଲେଖି ଅନୁରୋଧ କଲେ। ସେଠାରେ ସରକାରୀ କ୍ବାର୍ଟର୍ସ ପରିବର୍ତ୍ତେ ଏକ ପାର୍କ ନିର୍ମାଣ କରିବା ପାଇଁ ଗୁହାରି କଲେ। ସେଥିପାଇଁ ସେମାନେ ଯଥେଷ୍ଟ କାରଣ ମଧ୍ୟ ଉପସ୍ଥାପନ କଲେ। ଉକ୍ତ ୩୯ନଂ ଵାର୍ଡରେ ଗୋଟିଏ ବି ପାର୍କ ନାହିଁ। ଏପରିକି ଏହି ଵାର୍ଡକୁ ଲାଗିଥିବା ୩୭ ଓ ୩୮ନଂ ଵାର୍ଡରେ ମଧ୍ୟ ପାର୍କଟିଏ ନାହିଁ। ତେଣୁ ବରିଷ୍ଠ ନାଗରିକ ଓ ସ୍ଥାନୀୟ ବାସିନ୍ଦାମାନେ ରାସ୍ତାରେ ବ୍ୟାୟାମ ଓ ଚଲାବୁଲା କରୁଛନ୍ତି। ସକାଳେ ଓ ସନ୍ଧ୍ୟାରେ ରାସ୍ତାରେ ଚଲାବୁଲା କଲା ବେଳେ ଲୁଟେରାଙ୍କ ଶିକାର ହେଉଥିବା ଦର୍ଶାଇ ସେମାନେ ଏକ ପାର୍କ ନିର୍ମାଣ ପାଇ ଅନୁରୋଧ କଲେ। କିନ୍ତୁ ତାହା ଉପରେ କୌଣସି ବିଚାର କରାଯାଇନାହିଁ। ସରକାରୀ କ୍ବାର୍ଟର୍ସ ନିର୍ମାଣ ସମ୍ବନ୍ଧରେ ପୂର୍ତ୍ତ ବିଭାଗ-୩ର ନିର୍ବାହୀ ଯନ୍ତ୍ରୀ ହିମାଂଶୁ ଷଡ଼ଙ୍ଗୀଙ୍କୁ ପଚରାଯିବାରୁ ସେ ଏ ବିଷୟରେ କିଛି ଜାଣିନାହାନ୍ତି କି ତାଙ୍କ ପାଖକୁ କୌଣସି ପ୍ଲାନ୍ ଆସିନାହିଁ ବୋଲି କହିଛନ୍ତି। ତେଣୁ ଏହି ମୂଲ୍ୟବାନ ଜମିକୁ ନେଇ ଏବେ ଲୋକଙ୍କ ମଧ୍ୟରେ ବିଭିନ୍ନ କଥା ଆଲୋଚନା ହେଉଛି। ନିକଟସ୍ଥ ବ୍ୟାଚେଲର୍‌ ବ୍ୟାରେକ୍‌ ଭଳି ଏହି ଜମିକୁ କେହି ଜବରଦଖଲ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଦିନେ ରାଜଧାନୀର ପ୍ରଥମ ଏହି କଲ୍ୟାଣ ମଣ୍ଡପ ବହୁ ନବ ଦମ୍ପତିଙ୍କ ଘର ସଂସାରର ମୂକସାକ୍ଷୀ ହୋଇଥିଲା। କିନ୍ତୁ ଆଜି ତାହା ଅଲୋଡ଼ା ହୋଇପଡ଼ିଛି। ଏଠାରେ ପାର୍କଟିଏ ନିର୍ମାଣ ହୋଇପାରିଲେ, ତାହା ପୁଣି ଏକ ନୂଆ ରୂପରେ ସର୍ବସାଧାରଣଙ୍କ ମନ କିଣିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ବିନା ଯୋଜନାରେ ଏହି କଲ୍ୟାଣ ମଣ୍ଡପକୁ ଭାଙ୍ଗି ଦିଆଗଲା। ସ୍ଥାନୀୟ ବରିଷ୍ଠ ନାଗରିକମାନେ ଚଲାବୁଲା କରିବା ପାଇଁ ଏଠାରେ ସାଧାରଣ ପାର୍କଟିଏ ନାହିଁ। ଯଦି ଏତେ ସବୁ ସମସ୍ୟା ଜାଣିବା ପରେ ସରକାର ପାର୍କ ତିଆରି ନ କରନ୍ତି, ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ଓ କୋର୍ଟର ଆଶ୍ରୟ ନେବେ ବୋଲି ବରିଷ୍ଠ ନାଗରିକ ସଂଘର ସଂପାଦକ ଶ୍ୟାମସୁନ୍ଦର ସାହୁ କହିଛନ୍ତି। ବରିଷ୍ଠ ନାଗରିକ ଓ ସାଧାରଣ ଲୋକେ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ ପାଇଁ ବିପଦଜନକ ଅବସ୍ଥାରେ ରାସ୍ତା ଉପରେ ଚଳପ୍ରଚଳ ହେଉଥିବାରୁ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ଏଠାରେ ପାର୍କ ନିର୍ମାଣ ସବୁଠାରୁ ଗୁରୁତ୍ବପୂର୍ଣ ବୋଲି ମହାବୀର ସାମାଜିକ ସଙ୍ଗଠନର ସମ୍ପାଦକ ମିଲନ କୁମାର ପାଇକରାୟ କହିଛନ୍ତି। ନୂଆସାହି ଲାଫିଙ୍ଗ କ୍ଲବର ସାଧାରଣ ସମ୍ପାଦକ ହେମନ୍ତ କୁମାର ସାହୁଙ୍କ କହିବା କଥା, ୨୦୧୭ ମସିହାରୁ ପାର୍କ ପାଇଁ ଶାନ୍ତିପୂର୍ଣ୍ଣ ଢ଼ଙ୍ଗରେ ଦାବି କରାଯାଉଛି। ସରକାରଙ୍କୁ ବହୁ ଚିଠି ଲେଖି ଜଣାଇ ଦିଆଯାଇଛି। କିନ୍ତୁ ସରକାର ଏ ବିଷୟରେ କୌଣସି ଧ୍ୟାନ ଦେଉନାହାନ୍ତି। ତେଣୁ ଆଗକୁ ପାର୍କ ନ ହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର