ୟୁନିଟ୍‌-୯ ଅଞ୍ଚଳରେ ଆତଙ୍କରାଜ ଘଟଣା: ଧରାପଡ଼ିଲା ଆଉ ଜଣେ ନାବାଳକ, ସୁଧାର ଗୃହକୁ ଗଲା

ଭୁବନେଶ୍ୱର: ଗତ ୧୪ ତାରିଖ ବିଳମ୍ବିତ ରାତିରେ ୟୁନିଟ୍‌-୯ ଅଞ୍ଚଳରେ ଜଣେ ଯୁବକଙ୍କୁ ଅନ୍ୟ କେତେକ ମିଳିତ ଭାବେ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ‌ ଆଜି ଆଉ ଜଣେ ନାବାଳକକୁ ଜୁଭେନାଇଲ୍‌ ହୋମ୍ ପଠାଯାଇଛି। ସମ୍ପୃକ୍ତ ନାବାଳକକୁ ଆଜି କିଶୋର ନ୍ୟାୟ ବୋର୍ଡ(ଜେଜେବି)ରେ ଉପସ୍ଥାପନ କରାଯିବା ପରେ ବ୍ରହ୍ମପୁର ଜୁଭେନାଇଲ୍‌ ହୋମ୍‌ (ବାଳ ସୁଧାର ଗୃହ) ପଠାଯାଇଛି। ପୂର୍ବରୁ ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଥିଲା। ମଞ୍ଚେଶ୍ବର ଶିଳ୍ପାଞ୍ଚଳର ଶୁଭମ୍‌ ଦାସ, ଚକେଇ ସିଆଣିରେ ରହୁଥିବା ବାଲେଶ୍ବର ମାର୍କୋଣା ତୁଳସୀପୁରର ସୌମ୍ୟରଞ୍ଜନ ମହାରଣା ଓରଫ ବାପୁ, ମଞ୍ଚେଶ୍ବର ଜଗନ୍ନାଥନଗରର ପୁନୀତ୍‌ ଗୋସ୍ବା‌ମୀ, ନହରକଣ୍ଟାରେ ରହୁଥିବା ଖୋର୍ଦ୍ଧା ବୋଲଗଡ଼ ଚୁଡ଼ ଗ୍ରାମର ବିବେକାନନ୍ଦ ଦତ୍ତ ଓରଫ ବାବୁ, ନୂଆପଲ୍ଲୀ ଆଇଆରସି ଭିଲେଜ୍‌ର ସେକ୍‌ ଫରହାନ୍‌ କବୀର ଓ ପାଣ୍ଡରାରେ ରହୁଥିବା ବାଲେଶ୍ବର କମର୍ଦା ପୁଟିନାର ଆକାଶ ମହାପାତ୍ର ପ୍ରମୁଖଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଥିଲା। ସେତେବେଳେ ଏମାନଙ୍କ ସହିତ ଜଣେ ନାବାଳକକୁ ମଧ୍ୟ ଜୁଭେନାଇଲ ହୋମ୍‌ ପଠାଯାଇଥିଲା। ସମ୍ପୃକ୍ତ ଅନ୍ୟ ପ୍ରାୟ ୧୬ ଜଣଙ୍କ ମଧ୍ୟରୁ ୧୪ ନାବାଳକ ରହିଥିବା କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ଦୁଇଜଣ ନାବାଳକ ଜୁଭେନାଇଲ ହୋମ୍‌ ଯାଇଥିବା ବେଳେ ଆଉ ୧୨ଜଣଙ୍କୁ ପୁଲିସ ଖୋଜୁଛି।

ସୂଚନା ମୁତାବକ, ଗତ ଶନିବାର ଦିନ ୟୁନିଟ୍‌-୯ର ପି. ଆକାଶ ଦୋରାଙ୍କୁ କେତେକ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପୂର୍ବରୁ ସେ ପଢ଼ୁଥିବା ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ଓ ଅନ୍ୟ କେତେ ଜଣ ମିଶି ଯୋଜନାବଦ୍ଧ ଭାବରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଆକାଶଙ୍କୁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଅଭିଯୁକ୍ତକୁ ସ୍ଥାନୀୟ ଲୋକେ ଧରି ପକାଇଥିଲେ। ତା’ ଠାରୁ ଅନ୍ୟମାନଙ୍କର ପରିଚୟ ମିଳି ପାରିଥିଲା।

ସମ୍ବନ୍ଧିତ ଖବର