ବେପାରୀ ଯାଉନାହାନ୍ତି, ପୁଣି ମରାମତି ଲୋଡିଲାଣି
ପାଣିରେ ପଡ଼ିଲା ୭୩ ଲକ୍ଷ
ଭୁବନେଶ୍ବର : ସରକାରୀ ଅଧିକାରୀଙ୍କ ଅଦୂରଦର୍ଶିତା ପାଇଁ ଲୋକଙ୍କ ଟିକସଦିଆ ଅର୍ଥ କେମିତି ପାଣିରେ ପଡ଼େ, ୟୁନିଟ୍-୪ରେ ତିଆରି ହୋଇଥିବା ମାଂସ ମାର୍କେଟ୍ ତାହାର ଅନ୍ୟତମ ଉଦାହରଣ। ପାଖାପାଖି ୭୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ୧୭ଟି ଦୋକାନ ଘର କୌଣସି କାମରେ ଲାଗୁନି। ୨୦୧୮ ମସିହାରେ ନିର୍ମାଣ ହେବା ପରଠାରୁ ନା ଦୋକାନର ତାଲା ଖୋଲିଛି ନା ବ୍ୟବସାୟୀ ଏଠାରେ ବସୁଛନ୍ତି। ବିଏମ୍ସିର ଜିଦ୍ ଓ ଏକପାଖିଆ ନିଷ୍ପତ୍ତି ଯୋଗୁଁ ଏହି ପ୍ରକଳ୍ପରେ ବି କେବଳ ଠିକାଦାର ଲାଭାନ୍ବିତ ହୋଇଛନ୍ତି। ଅପରପକ୍ଷେ ଅବ୍ୟବହୃତ ଏହି ଘରଗୁଡ଼ିକ ଏବେ ମରାମତି ମାଗିଲାଣି। ବାହାରକୁ ଚକାଚକ୍ ଦେଖାଯାଉଥିଲେ ହେଁ କିଛି ଦୋକାନ ଘରଗୁଡ଼ିକର ସିମେଣ୍ଟ ଛାଡ଼ିଗଲାଣି ତ କାହାର ସଟର୍ ଜଙ୍କ୍ ଖାଇ ଗଲାଣି। କିନ୍ତୁ ବ୍ୟବସାୟୀମାନେ ଯେମିତି ପୂର୍ବରୁ ରାସ୍ତାକଡ଼ରେ ଅସ୍ବାସ୍ଥ୍ୟକର ପରିବେଶରେ ମାଂସ ବେପାର କରୁଥିଲେ, ସେମିତି କରୁଛନ୍ତି। ଏବେ ନବନିର୍ବାଚିତ ଜନପ୍ରତିନିଧିମାନେ କାର୍ଯ୍ୟଭାର ଗ୍ରହଣ କରିଥିଲେ ହେଁ ଏହି ପ୍ରକଳ୍ପର ଭବିଷ୍ୟତ ନେଇ କିଛି ଚିନ୍ତା କରୁନାହାନ୍ତି।
ସୂଚନାନୁଯାୟୀ, ରାସ୍ତା କଡ଼ରେ ମାଂସ କାଟି ବେପାର କରିବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥାଏ। ଏହାଦ୍ବାରା ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ଏହି ଦୃଶ୍ୟ ଛୋଟ ପିଲାଙ୍କୁ ମାନସିକସ୍ତରରେ ପ୍ରଭାବିତ କରିଥାଏ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ସବୁଠାରୁ ବଡ଼ ଆମିଷ ମାର୍କେଟ୍ରେ ସଂସ୍କାର ଆଣିବା ପାଇଁ ବିଏମ୍ସି ପକ୍ଷରୁ ୨୦୧୮ ମସିହାରେ ଏହି ପ୍ରକଳ୍ପର ନିଅଁ ପଡ଼ିଥିଲା। ଯୋଜନା ଥିଲା, ମାଂସ ବେପାରୀମାନେ ଆଉ ରାସ୍ତାକଡ଼ରେ ମାଂସ ନ କାଟି ଗାଡ଼କଣରେ ଥିବା ସ୍ଲଟର୍ ହାଉସ୍ରେ ମାଂସ କାଟିବେ ଓ ସେଠାରୁ ମାଂସ ଆଣି ଏଠାରେ ବେପାର କରିବେ। ଏଥିପାଇଁ ବିଏମ୍ସି ପକ୍ଷରୁ ୟୁନିଟ୍-୪ ମାର୍କେଟ୍ରେ ୭୩ ଲକ୍ଷ ଟଙ୍କା ବ୍ୟୟରେ ୧୭ଟି ଦୋକାନ ଘର କରାଯାଇଥିଲା। ସେହିବର୍ଷ ମେ’ ମାସରେ ୩୦ ଲକ୍ଷ ୬୯ ହଜାର ୯୨୯ ଟଙ୍କା ଓ ପୁଣି ଅଗଷ୍ଟରେ ୪୨ଲକ୍ଷ ୯୯ ହଜାର ୧୫୩ ଟଙ୍କା; ଏଭଳି ୩ ମାସ ବ୍ୟବଧାନରେ ୭୩ ଲକ୍ଷ ୬୯ହଜାର ୮୨ ଟଙ୍କା ଖର୍ଚ୍ଚ ହୋଇଥିଲା। ନିର୍ଧାରିତ ସମୟ ମଧ୍ୟରେ ଦୋକାନ ଘର ତ ତିଆରି ହୋଇଗଲା, କିନ୍ତୁ ଦୋକାନୀ ଆସିବାକୁ ରାଜି ହେଲେନି। ଦୋକାନ ଘର ତିଆରି କରିବା ପୂର୍ବରୁ ବିଏମ୍ସି ସ୍ଥାନୀୟ ମାଂସ ବେପାରୀଙ୍କୁ ନେଇ ଏ ସଂପର୍କରେ ଆଲୋଚନା କରି ନଥିବାରୁ ଏହି ପ୍ରକଳ୍ପ ବିଫଳ ହେଲା ବୋଲି କୁହାଯାଉଛି।
ଏ ନେଇ ସ୍ଥାନୀୟ ବ୍ୟବସାୟୀ ସଂଘ ସଭାପତି ବଦ୍ରିନାରାୟଣ ମିଶ୍ର କହିଛନ୍ତି, ବିଏମ୍ସି ମନଇଚ୍ଛା ଦୋକାନ ଘର ତିଆରି କରିଛି। ଘର ତିଆରି ପୂର୍ବରୁ କାହା ସହ ଆଲୋଚନା କରି ନଥିଲା। ଏଠାରେ ମୋଟ ୨୭ଜଣ ମାଂସ ବେପାରୀ ଥିବା ବେଳେ ବିଏମ୍ସି ୧୭ଟି ଦୋକାନ ଘର କରିଛି। ତେଣୁ ଅନ୍ୟ ବେପାରୀ କ’ଣ କରିବେ? ଦୋକାନ ଘରଗୁଡ଼ିକ ୧୦ ଫୁଟ୍ ଲମ୍ବା ୮ ଫୁଟ୍ ଓସାରର। ସାମ୍ନାରେ ମଧ୍ୟ ଗ୍ରାହକଙ୍କୁ ଯିବା ଆସିବା କରିବାକୁ ଜାଗା ନାହିଁ। ପୁଣି ସେଠାରେ ମାଂସ ମଧ୍ୟ କଟାଯାଇପାରିବ ନାହିଁ ବୋଲି ବିଏମ୍ସି ନିୟମ କରିଛି। ୧୫ କିମି ଦୂର ଗାଡ଼କଣରୁ ମାଂସ କାଟି ଆଣି ଏଠାରେ ବେପାର କରିବା, ବ୍ୟବସାୟୀଙ୍କ ପାଇଁ ସମ୍ଭବପର ନୁହେଁ। ଖାଲି ପରିବହନରେ ତ ଅଧା ଟଙ୍କା ପଳେଇବ। ଆଉ ବେପାରରୁ କେତେ ଲାଭ ବାହାରିବ। ସେଥିରୁ ପୁଣି ବିଏମ୍ସି ଟିକସ ନେବ। ଆଉ ଗୋଟିଏ କଥା ହେଲା, କଟା ମାଂସ ନେବାକୁ ଏମିତିରେ ଲୋକ କୁନ୍ଥକୁନ୍ଥ ହୁଅନ୍ତି। ଛେଳି ମାଂସ କି ମେଣ୍ଢା, ସେଥିପାଇଁ ଦୋକାନୀଠାରୁ ପ୍ରମାଣ ଖୋଜନ୍ତି। ଅବିଶ୍ବାସ ହେଲେ, ସେମିତି ଫେରିଯିବେ ପଛେ ମାଂସ ନିଅନ୍ତିନି। ତେଣୁ ଦୋକାନୀଙ୍କୁ ଗ୍ରାହକଙ୍କ ସାମ୍ନାରେ ମାଂସ କାଟିବାକୁ ପଡ଼େ। ଏଭଳି ସ୍ଥିତିରେ ଗାଡ଼କଣରୁ ମାଂସ କଟା ହୋଇ ଆସିଲେ, ତାକୁ ଯେ ବିଶ୍ବାସରେ ଗ୍ରାହକ ନେବେ, ସେକଥା କିଏ କହିବ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅପରପକ୍ଷେ ଏ ସଂପର୍କରେ ବିଏମ୍ସି କହିଛି, ଆମେ ମାଂସ ବେପାରୀଙ୍କ ସହ ଆଲୋଚନା କରୁଛୁ। ଯଥାଶୀଘ୍ର ସମ୍ଭବ, ସେମାନଙ୍କୁ ରାସ୍ତାକଡ଼ରୁ ହଟାଇ ସମ୍ପୃକ୍ତ ଦୋକାନରେ ଥଇଥାନ କରିବୁ।
ଉଲ୍ଲେଖଯୋଗ୍ୟ, ରାସ୍ତାକଡ଼ରେ ମାଂସ କଟାହେବା, ରକ୍ତ ବିଛାଇ ହୋଇପଡ଼ିବା ଯୋଗୁଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବା, ମାଂସ ଖାଦ୍ୟପୋଯୋଗୀ ପ୍ରମାଣିତ ନ ହେବା ପ୍ରଭୃତି କାରଣକୁ ଆଖି ଆଗରେ ରଖି ସହରର ଗାଡ଼କଣ, ବାଣୀବିହାର, ପାଣ୍ଡରା, ଡୁମୁଡ଼ୁମା ଓ ଘାଟିକିଆ; ଏଭଳି ୫ଟି ଜାଗାରେ କଂସେଇଖାନା କରିବାକୁ ବିଏମ୍ସି ଯୋଜନା କରିଥିଲା। କିନ୍ତୁ ସ୍ଥାନୀୟ ଲୋକ ପ୍ରତିବାଦ କରିବାରୁ କେବଳ ଗୋଟିଏ କଂସେଇଖାନା ଗାଡ଼କଣରେ ତିଆରି ହୋଇଥିଲା। ୨୦୧୨ ମସିହାରେ ୬କୋଟି ୪୦ ଲକ୍ଷ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ୯ ବର୍ଷ ଧରି ଅବ୍ୟହୃତ ହୋଇ ପଡ଼ିରହିବା ପରେ ଏନ୍ଜିଟି ହସ୍ତକ୍ଷେପ କରିଥିଲେ। ଏନ୍ଜିଟି ଚାପରେ ଚଳିତ ବର୍ଷ ଏହାକୁ କାର୍ଯ୍ୟକ୍ଷମ କରାଯାଇଥିଲେ ମଧ୍ୟ ଏଠାକୁ କେହି ମାଂସ କାଟିବାକୁ ଯାଉ ନାହାନ୍ତି।