ଭୁବନେଶ୍ବର: ଦିନ ଥିଲା ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ସମୟରେ ରାଜ୍ୟରେ ଚର୍ଚ୍ଚାରେ ରହୁଥିଲା ୟୁନିଟ୍‌-୨ ବାଳକ ଉଚ୍ଚ ବିଦ୍ୟାଳୟ। କେତେ ପିଲା ଏଠାରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଉଥିଲେ ତାହା ଜାଣିବା ଲାଗି ଉତ୍ସାହର ସହ ସମସ୍ତେ ଚାହିଁ ରହୁଥିଲେ। ମେଧାବୀ ତିଆରି ହେବାର ପ୍ରାଣକେନ୍ଦ୍ର ପାଲଟିଥିବା ଏହି ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରି ଶତାଧିକ ଛାତ୍ର ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନାଁ କମାଇଛନ୍ତି। କିଏ ପ୍ରଶାସନିକ ସେବାରେ ତ ଆଉ କିଏ ବଡ଼ ବଡ଼ ପଦରେ ଥାଇ ଗୌରବ ଆଣିଛନ୍ତି। ୫ ଦଶନ୍ଧି ମଧ୍ୟରେ ଅନେକ ରାଜନେତା ବି ଏଠାରୁ ସୃଷ୍ଟି ହୋଇଛନ୍ତି। ଏଭଳି ଏକ ଶିକ୍ଷାନୁଷ୍ଠାନର ନାଁ ଆଉ ମାଟ୍ରିକ୍‌ ଫଳ ତାଲିକାରେ ଦେଖିବାକୁ ମିଳିବ ନାହିଁ। କାରଣ ଚଳିତ ଶିକ୍ଷାବର୍ଷରେ ହିଁ ସ୍କୁଲରେ ତାଲା ପଡିଛି। ଏହି ବିଦ୍ୟାଳୟରୁ ଶେଷ ବ୍ୟାଚ୍‌ରେ ଦଶମ ପରୀକ୍ଷା ଦେଇଥିବା ୨୩ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨ଜଣ ପାସ୍‌ କରିଛନ୍ତି। ସ୍କୁଲର ପାସ୍‌ହାର ୯୬% ରହିଛି।

Advertisment

ପିଲା ହେଉ ନ ଥିବାରୁ ଗତ ମାସଠାରୁ ସବୁଦିନ ଲାଗି ବିଦ୍ୟାଳୟରେ ତାଲା ପଡ଼ିଯାଇଛି। ୬ଷ୍ଠରୁ ୯ମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ସମସ୍ତ ପିଲାଙ୍କୁ ଅନ୍ୟତ୍ର ପଠାଇ ଦିଆଗଲା। କାହାକୁ ନିଜ ଜିଲ୍ଲାକୁ ତ ଆଉ କାହାକୁ ଆଦିବାସୀ ହଷ୍ଟେଲକୁ। ଏବେ ତ କେହି ପିଲା ନାହାନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ବି ବଦଳି ହୋଇଯାଇଛନ୍ତି। ତାଲା ପଡ଼ିଥିବା ଏହି ବିଦ୍ୟାଳୟର ଶେଷ ବ୍ୟାଚ୍‌ ଛାତ୍ରଙ୍କ ପ୍ରଦର୍ଶନ ଉନ୍ନତମାନର ହୋଇଛି। ଏଠାରୁ ୨୪ଜଣ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେବାକୁ ନାମ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୩ଜଣ ପରୀକ୍ଷା ଦେଇଥିବା ବେଳେ ୨୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୯୬% ହୋଇଛି। ଏ-୧ କିମ୍ବା ଏ-୨ ଗ୍ରେଡ୍‌ରେ କୌଣସି ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ନାହାନ୍ତି। ଜଣେ ଛାତ୍ର ‘ବି-ଏ’ ଗ୍ରେଡ୍‌ରେ ପାସ୍‌ କରିଥିବା ବେଳେ ୪ଜଣ ‘ବି-୨ ଗ୍ରେଡ୍‌, ‘ସି’ ଗ୍ରେଡ୍‌ରେ ୭ଜଣ, ‘ଡି’ ଗ୍ରେଡ୍‌ରେ ୪ଜଣ, ‘ଇ’ ‌ଗ୍ରେଡ୍‌ରେ ‘୬’ ଜଣ ରହିଛନ୍ତି। ଜଣେ ପରୀକ୍ଷାର୍ଥୀ ଫେଲ୍‌ ହୋଇଛନ୍ତି।

ବନ୍ଦ କରିବାକୁ ବସିଥିଲେ, ଶତ ପ୍ରତିଶତ ପାସ୍‌ କଲେ

ୟୁନିଟ୍‌-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ବନ୍ଦ କରିବାକୁ ରାଜ୍ୟ ସରକାର କିଛି ଦିନ ତଳେ ନିଷ୍ପତ୍ତି ନେଇଥିଲେ। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ସହ ବିଭିନ୍ନ ଆଡ଼ୁ ଚାପ ପଡ଼ିବା ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତିରୁ ଓହରିବା ସହ ସ୍କୁଲ ପୂର୍ବଭଳି ଜାରି ରହିବ ବୋଲି କହିଛି। ସେହି ବିଦ୍ୟାଳୟର ଛାତ୍ରୀମାନେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ଅଦ୍‌ଭୂତପୂର୍ବ ସଫଳତା ହାସଲ କରିଛନ୍ତି। ପରୀକ୍ଷା ଦେଇଥିବା ସମସ୍ତ ୯୭ଜଣ ଯାକ ଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ‘ଏ-୧’ ଗ୍ରେଡ୍‌ରେ ୨ଜଣ, ‘ଏ-୨’ ଗ୍ରେଡରେ ୭ଜଣ, ‘ବି-୧’ ଗ୍ରେଡ୍‌ରେ ୯ଜଣ ‘ବି-୨’ରେ ୩୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀ କଲ୍ୟାଣୀ ପାତ୍ର ୫୪୮, ଦେବସ୍ମିତା ପାଣିଗ୍ରାହୀ ୫୪୨ ନମ୍ବର ରଖି ଯଥାକ୍ରମେ ସ୍କୁଲର ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଭୁବନେଶ୍ବର ନାମକରା ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍‌ ପାଉ ନ ଥିବା ବେଳେ ଏଠାକାର ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରି ଅନ୍ୟମାନଙ୍କ ଲାଗି ଆଦର୍ଶ ସୃଷ୍ଟି କରିଛନ୍ତି।