ୟୁନିଟ୍‌-୨ ବାଳକ ଉଚ୍ଚ ବିଦ୍ୟାଳୟ: ରୂପ ବଦଳିଲା, ଲୋକାର୍ପିତ ହେଲାନି

ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା। ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ ତାଲିକାରୁ ବାଦ୍‌ ପଡ଼ିଲା ୟୁନିଟ୍‌-୨ ବାଳକ ଉଚ୍ଚ ବିଦ୍ୟାଳୟ। ୫-ଟି କାର୍ଯ୍ୟକ୍ରମ ମାଧ୍ୟମରେ ଏହି ବିଦ୍ୟାଳୟର ଭିତ୍ତିଭୂମି ବିକାଶ କରାଯାଇଥିଲେ ମଧ୍ୟ ତୃତୀୟ ପର୍ଯ୍ୟାୟ ଲୋକାର୍ପଣରୁ ବାଦ୍‌ ପଡ଼ିଛି। ଲୋକାର୍ପଣ ତାଲିକା ପ୍ରସ୍ତୁତି ସମୟରେ ଏହି ବିଦ୍ୟାଳୟକୁ ସାମିଲ କରାଯାଇଥିଲା। ମାତ୍ର ଗତ ମାସରେ ଗଣଶିକ୍ଷା ସଚିବ ଅଶ୍ବଥୀ ଏସ୍‌ କେଳେଙ୍କାରୀ ଧରିବା ପରେ ଲୋକାର୍ପଣ ତାଲିକାରୁ ଏହି ବିଦ୍ୟାଳୟକୁ କାଢ଼ି ଦିଆଯାଇଥିଲା। ଫଳରେ ଗତକାଲି ତୃତୀୟ ପର୍ଯ୍ୟାୟ ଲୋକାର୍ପଣରେ ଭୁବନେଶ୍ବରର ଏହି ସ୍କୁଲ ନଥିଲା। ଏହାର ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ସରକାର ୪୫ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ପର୍ଯ୍ୟାୟକ୍ରମେ ଅର୍ଥ ପ୍ରଦାନ କରିବାକୁ ନିଷ୍ପତ୍ତି ବି ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୨୪ ଲକ୍ଷରୁ ଅଧିକ ଟଙ୍କା ଦିଆଯାଇଥିଲା। ବାକି ଅର୍ଥ ଦ୍ବିତୀୟ ପର୍ଯ୍ୟାୟରେ ଦେବାକୁ ନିଷ୍ପତ୍ତି ହୋଇଥିଲା।

ଗତ ୨୦ ତାରିଖରେ ଏଠାରେ କାର୍ଯ୍ୟ କରୁଥିବା ଶିକ୍ଷକ ଓ ଅଣଶିକ୍ଷକଙ୍କ ବଦଳି ପରେ ସ୍କୁଲରେ ଏବେ ତାଲା ପଡ଼ିଛି। ଏହାର ଭବିଷ୍ୟତ କ’ଣ, ସେନେଇ କାହା ପାଖରେ ଖବର ନାହିଁ। କିଛି ମାସ ପୂର୍ବରୁ ପାଖାପାଖି ୨୫ହଜାର ଟଙ୍କାର ଚେୟାର ଟେବୁଲ ସହ ଆକ୍ବାଗାର୍ଡ, କମ୍ପ୍ୟୁଟର୍‌ ପ୍ରିଣ୍ଟର୍‌, ଇଣ୍ଡକ୍ସନ ଚୁଲା ଆଦି ଲଗାଇବା ଲାଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ବର୍ତ୍ତମାନ ବିଦ୍ୟାଳୟ ଲାଗି ବ୍ୟବହୃତ ପାଖାପାଖି ୨କୋଟି ଟଙ୍କାର ସମ୍ପତ୍ତି ରହିଛି। ବିଦ୍ୟାଳୟ ଚେୟାର, ଟେବୁଲ୍‌, ବିଜ୍ଞାନ ସାମଗ୍ରୀ, ଏନ୍‌ସିସି, ସ୍କାଉଡ୍‌, କ୍ରୀଡ଼ା ସାମଗ୍ରୀ ଆଦି ସେଭଳି ପଡ଼ି ରହିଛି। ରକ୍ଷଣାବେକ୍ଷଣ ହେଉ ନଥିବାରୁ ସେଗୁଡ଼ିକ ଏବେ ନଷ୍ଟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଗୋଟିଏ ପଟେ କୋଠା ଏବେ ଭୂତକୋଠିରେ ପରିଣତ ହୋଇଥିବା ବେଳେ ଅନ୍ୟପଟେ ସାମଗ୍ରୀର ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଛି।

ପୁରାତନ ଛାତ୍ରମାନଙ୍କ କହିବା କଥା, କେବଳ ଏହି ହାଇସ୍କୁଲ ନୁହେଁ, ରାଜ୍ୟର ଏମିତି ଅନେକ ସ୍କୁଲ ରହିଛି ଯେଉଁଠି ଆବଶ୍ୟକ ପିଲା ନାହାନ୍ତି। ଏମିତିକି ୫-ଟି ରୂପାନ୍ତରଣରେ ସାମିଲ ହୋଇଥିବା ହାଇସ୍କୁଲ ‌କିଛି ବିଦ୍ୟାଳୟରେ ୩୦ ପିଲା ବି ନାହାନ୍ତି। ଯଦି ସାରା ରାଜ୍ୟ‌ରେ ଖୋଲତାଡ଼ ହେବ, ବହୁ କେଳେଙ୍କାରୀ ପଦାକୁ ଆସିବ। ମାତ୍ର ସେଗୁଡ଼ିକର ଯାଞ୍ଚ କରାଯାଉ ନାହିଁ। ୫୦ ବର୍ଷ ପୂରଣ କରିଥିବା ଏହି ବିଦ୍ୟାଳୟକୁ ବନ୍ଦ କରିବା ଲାଗି ଏକପ୍ରକାର ଷଡ଼ଯନ୍ତ୍ର କରାଯାଇଛି। ନହେଲେ ସରକାର ଗତବର୍ଷ ଯେଉଁ ବିଦ୍ୟାଳୟ ରୂପାନ୍ତରଣ ଲାଗି ହାତଖୋଲି ଅର୍ଥ ଅଜାଡ଼ି ଦେଇଥିଲେ, ଆଜି କାହା ସ୍ବାର୍ଥରେ ତାଲା ପକାଇଲେ। ଏହି ସ୍କୁଲର ଯେଉଁ ଭିତ୍ତିଭୂମି ରହିଛି, ତାହାକୁ ବ୍ୟବହାର କରାଯାଇ ଛାତ୍ରଛାତ୍ରୀଙ୍କ ଉପଯୋଗୀ ହୋଇପାରିବ। ସେ ଦିଗରେ ପଦକ୍ଷେପ ନିଆଯାଉ।

ସମ୍ବନ୍ଧିତ ଖବର