ଭୁବନେଶ୍ୱର : ରାଜଧାନୀର ୟୁନିଟ-୪ ମାର୍କେଟ୍ ୧୪ ଦିନ ବନ୍ଦ ରହିବା ପରେ ଶୁକ୍ରବାର ଠାରୁ ଖୋଲିବ। ଆଜି ଏନେଇ ବିଏମ୍ସି ଦକ୍ଷିଣ-ପୂର୍ବ ଜୋନ୍ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।
ୟୁନିଟ-୪ ମାର୍କେଟରୁ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍ସି ପକ୍ଷରୁ ଏହି ଏହି ମାର୍କେଟ୍କୁ ବନ୍ଦ କରିଦିଆଯାଇଥିଲା। ଏହାପରେ ଏଠାରେ ବ୍ୟବସାୟ କରୁଥିବା ବ୍ୟବସାୟୀ, ମାଛ ମାର୍କେଟରେ ବସୁଥିବା ବ୍ୟବସାୟୀଙ୍କର ସ୍ବାବ୍ ସଂଗ୍ରହ କରାଯାଇଥିଲା। ଏଥିରୁ ଆଉ ୮ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ପୂରା ମାର୍କେଟକୁ ବିଶୋଧନ କରାଯାଇଥିଲା। ସିଲ୍କୁ ୧୪ଦିନ ପୂରି ଯାଇଥିବାରୁ ଆଜି ବିଏମ୍ସି ପକ୍ଷରୁ ମାର୍କେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ବିଏମ୍ସି ଦକ୍ଷିଣ-ପୂର୍ବ ଜୋନ୍ ଡେପୁଟି କମିସନର ଅଂଶୁମାନ ରଥ କହିଛନ୍ତି ଯେ, ୟୁନିଟ-ମାର୍କେଟ୍ ରାଜଧାନୀର ଏକ ପ୍ରମୁଖ ହୋଲସେଲ୍ ମାର୍କେଟ୍ ହୋଇଥିବାବେଳେ ସବୁଠୁ ବଡ଼ ଆମିଷ ମାର୍କେଟ୍। ତେଣୁ ବ୍ୟବସାୟୀମାନଙ୍କ ଠାରୁ ଅଣ୍ଡରଟେକିଂ ଲେଖି ଆମେ ମାର୍କେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛୁ। ମାର୍କେଟରେ ଯେପରି ସମସ୍ତ ବ୍ୟବସାୟୀ ମାସ୍କ ପିନ୍ଧିବେ, ମାସ୍କ ପିନ୍ଧି ନଥିଲେ ଗ୍ରାହକଙ୍କୁ ସାମଗ୍ରୀ ଦେବେନି, ସାମାଜିକ ଦୂରତା ନିୟମ ମାନିବେ ସେନେଇ ବିଏମ୍ସିର ଏସ୍ଓପି ମାନିବାକୁ ଲିଖିତ ଭାବେ ଜଣାଇଛନ୍ତି। ତେଣୁ ଆମେ ଏହି ମାର୍କେଟ୍ ଖୋଲିବାକୁ ଅନୁମତି ଦେଇଛୁ। ଯଦି ଆଗାମୀ ଦିନରେ କେହି ନିୟମ ଉଲ୍ଲଂଘନ କରୁଥିବା ଜଣାଯାଏ ତେବେ ଆମେ ମାର୍କେଟ୍ ପୁଣି ବନ୍ଦ କରିବୁ।