ୟୁନିଟ୍-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ସତ୍ୟ ପଥରେ ଆଗେଇ ନେଇଥାଏ ଶିକ୍ଷା: ରାଜ୍ୟପାଳ

ଭୁବନେଶ୍ବର: ଶିକ୍ଷାର ଶେଷ ଲକ୍ଷ୍ୟ ହେଉଛି ଆନନ୍ଦପ୍ରାପ୍ତି। ଏହି ଆନନ୍ଦର ଆଧାର ହେଉଛି ସତ୍ୟ, ପ୍ରେମ ଓ କରୁଣା। ଶିକ୍ଷା ଅସତ୍ୟ ଓ ବିଭ୍ରାନ୍ତିରୁ ମୁକ୍ତ କରି ସତ୍ୟ ପଥରେ ନେଇଥାଏ। ଏହି ସତ୍ୟ ହେଉଛି ଏକ ଓ ଅଭିନ୍ନ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଆଜି ୟୁନିଟ୍-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କହିଲେ, ବିଜ୍ଞାନ ଓ ଆଧ୍ୟାତ୍ମିକତା ମଧ୍ୟରେ ସମନ୍ବୟ ରହିବା ଦରକାର। ଶିକ୍ଷା ଏହି ଦିଗରେ ପରିଚାଳିତ ହେବା ଦରକାର ଯାହା ବ୍ୟକ୍ତିକୁ ଅନନ୍ତ ଶକ୍ତି, ସାମର୍ଥ୍ୟ ଓ ସମ୍ଭାବନା ସହ ଏକାଠି କରିପାରିବ। ଆଜିର ମାନବ ସମାଜର ମୁଖ୍ୟ ସମସ୍ୟା ହେଉଛି ଅହଂଭାବ। ଅହଂଭାବ ପରିଚୟ ସଂକଟ ସୃଷ୍ଟି କରିଥାଏ। ଶାଶ୍ବତ ଜୀବନଧାରାକୁ ଅପଣାଇବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ପ୍ରାକ୍ତନ ଛାତ୍ର ତଥା ତେଲେଙ୍ଗାନାର ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ବିଭୁପ୍ରସାଦ ଆଚାର୍ଯ୍ୟ କହିଲେ, ସ୍କୁଲରେ ପଢ଼ିବା ସମୟରେ ସ୍ବପ୍ନ ଦେଖିବାର ସୁଯୋଗ ମିଳିଥିଲା। ୪୨ବର୍ଷର ତଳର ସ୍ମୃତିଚାରଣ କରି ସେ କହିଥିଲେ, ୟୁନିଟ-୯ ସ୍କୁଲରେ ପଢ଼ିବା ସମୟରେ ସ୍କୁଲର ଭିତ୍ତିଭୂମି ନ ଥିଲା। ମାତ୍ର ଶିକ୍ଷକ ଓ ସହପାଠୀମାନେ ଆଗକୁ ବଢ଼ିବାର ପ୍ରେରଣା ଯୋଗାଇଥିଲେ। ବିଦ୍ୟାଳୟ ଆମ ମା’ ସଦୃଶ ବୋଲି ଶ୍ରୀ ଆଚାର୍ଯ୍ୟ ମତବ୍ୟକ୍ତ କରିଥିଲେ। ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥୀ କହିଲେ, ୟୁନିଟ-୯ ବିଦ୍ୟାଳୟ ସରକାରଙ୍କ ‘ମୋ ସ୍କୁଲ’ ଯୋଜନାର ମୁଖ୍ୟ ବିନ୍ଧାଣି। ପୁରାତନ ଛାତ୍ର ସଂସଦ ପକ୍ଷରୁ ଏଥିପାଇଁ ୧୦ଲକ୍ଷ ଟଙ୍କା ଦିଆଯାଇଥିଲା। ଯାହାକି ଖୋର୍ଧା ଜିଲ୍ଲାରେ ପ୍ରଥମ। ପରବର୍ତୀ ସମୟରେ ୨୯୫ ବିଦ୍ୟାଳୟ ଏଥିପାଇଁ ଆଗ୍ରହ ପ୍ରକାଶ କରିଥିଲେ ବୋଲି ଶ୍ରୀ ଶତପଥୀ କହିଥିଲେ। ଏହି ଅବସରରେ ରାଜ୍ୟପାଳ ସୁବର୍ଣ୍ଣ ଜୟନ୍ତୀ ସ୍ମୃତିସ୍ତମ୍ଭକୁ ଉନ୍ମୋଚନ କରିବା ସହିତ ସ୍ମରଣିକା ‘ସ୍ବର୍ଣ୍ଣାକ୍ଷର’କୁ ଉନ୍ମୋଚନ କରିଥିଲେ। ପରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ପୁରାତନ ଛାତ୍ର ସଂସଦ ପକ୍ଷରୁ ପୁନର୍ବାର ୬ଲକ୍ଷ ଟଙ୍କାର ଏକ ଚେକ୍ ରାଜ୍ୟପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ପୁରାତନ ଛାତ୍ର ସଂଘର ସଭାପତି ଅଶୋକ ବଳବନ୍ତରାୟ ପ୍ରାରମ୍ଭିକ ଅଭିଭାଷଣ ରଖିଥିବା ବେଳେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଧାରଣ ସଂପାଦକଙ୍କ ସମେତ ପୁରାତନ ଛାତ୍ର ସଂଘର ବହୁ ଛାତ୍ର ଉପସ୍ଥିତ ଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ‌ହୋଇଥିଲା।

ସମ୍ବନ୍ଧିତ ଖବର