ଢିଙ୍କିଆରେ ସାଧାରଣ ଜନତାଙ୍କୁ ପୁଲିସର ବର୍ବରୋଚିତ ଆକ୍ରମଣ: ଏସ୍‌ଆଇଟି ତଦନ୍ତ ଦାବି କଲା ସଂଯୁକ୍ତ କିଷାନ ମୋର୍ଚ୍ଚା

ଭୁବନେଶ୍ବର : ଢିଙ୍କିଆରେ ସାଧାରଣ ଜନତାଙ୍କୁ ପୁଲିସର ବର୍ବରୋଚିତ ଆକ୍ରମଣକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ତୀବ୍ର ନିନ୍ଦା କରିଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଦପ୍ତରର ନିର୍ଦ୍ଦେଶରେ ଏହି ଆକ୍ରମଣ କରାଯାଇଛି ବୋଲି ମୋର୍ଚ୍ଚା ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ଜନବିରୋଧୀ, ମାନବତାବିରୋଧୀ ଏବଂ କର୍ପୋରେଟ୍‌ ପ୍ରୀତି ନୀତି ବିରୋଧରେ ରାଜ୍ୟବାସୀ ପ୍ରତିବାଦ କରିବା ପାଇଁ ମୋର୍ଚ୍ଚା ଆହ୍ୱାନ କରିଛି।

ଉଚ୍ଚନ୍ୟାୟାଳୟର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସଆଇଟି)ପକ୍ଷରୁ ଏହାର ତଦନ୍ତ, ଢିଙ୍କିଆର ଚାରିପଟୁ ପୁଲିସ ବଳ ହଟାଯିବା, ବଳ ପ୍ରୟୋଗ କରି ପାନବରଜ ଭାଙ୍ଗିବା ବନ୍ଦ କରିବା, ଗିରଫ ନେତା ଦେବେନ୍ଦ୍ର ସ୍ବାଇଁ, ନରେନ୍ଦ୍ର ମହାନ୍ତି, ମୁରଲୀ ବେହେରାଙ୍କ ସମେତ ସମସ୍ତଙ୍କୁ ଖଲାସ, ଜୀବିକା ବିପନ୍ନକାରୀ, ପରିବେଶଧ୍ବଂସକାରୀ ଶିଳ୍ପ ବନ୍ଦ କରିବା, ଜଗତସିଂହପୁର ଏସପିଙ୍କୁ ତୁରନ୍ତ ହଟାଇବା ପାଇଁ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ଏହାସହ ଆସନ୍ତାକାଲି (ଶନିବାର) ମୋର୍ଚ୍ଚାର ଏକ ପ୍ରତିନିଧିଦଳ ଢିଙ୍କିଆ ଯିବେ ବୋଲି ସୂଚନା ଦେଇଛନ୍ତି।

ସ୍ଥାନୀୟ ଲୋହିଆ ଏକାଡେମି ପରିସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ରବି ଦାସ, ପ୍ରଫୁଲ୍ଲ ସାମନ୍ତରାୟ, ସୁରେଶ ପାଣିଗ୍ରାହୀ, ଶ୍ରୀକାନ୍ତ ମହାନ୍ତି, ମହେନ୍ଦ୍ର ପରିଡ଼ା, ଜ୍ୟୋତିରଞ୍ଜନ ମହାପାତ୍ର, ରାଧାକାନ୍ତ ସେଠି, ଦେବପ୍ରସାଦ ରାୟ, ପ୍ରଦୀପ୍ତ ନାୟକ, ବଂଶୀଧର ପରିଡ଼ା, ଅଶୋକ ନନ୍ଦ ଏବଂ ସୁଜାତା ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର