ୟୁନିଭର୍ସିଟି ହାଇସ୍କୁଲ୍‌ ବିକାଶ ପାଇଁ ଅଣ୍ଟା ଭିଡ଼ିଲେ: ବିଦ୍ୟାଳୟକୁ ମିଳିବ ୧.୨ କୋଟି

ପୁରାତନ ଛାତ୍ରଛାତ୍ରୀ ଦେଲେ ୪୦ ଲକ୍ଷ, ନିର୍ମାଣ ହେବ ବହୁମୁଖୀ ଗୃହ, ଇନ୍‌ଡୋର୍ ହଲ୍‌

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ୟୁନିଭର୍ସିଟି ହାଇସ୍କୁଲର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀ ଅଣ୍ଟା ଭିଡ଼ିଛନ୍ତି। ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଲାଗି ୪୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ୟୁନିଭର୍ସିଟି ହାଇସ୍କୁଲ ପୁରାତନ ଛାତ୍ର ସଙ୍ଗଠନ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ବିଦ୍ୟାଳୟ ପରିସରରେ ଏକ ବହୁମୁଖୀ ଗୃହ ତଥା ଷ୍ଟେଟ୍‌-ଅଫ୍‌-ଦି-ଆର୍ଟ ସେଣ୍ଟର ଓ ଇନ୍‌ଡୋର୍ ହଲ୍ ନିର୍ମାଣ ପାଇଁ ଏହି ଆର୍ଥିକ ସହାୟତା ଦେଇଛନ୍ତି। ବିଦ୍ୟାଳୟର ପୁରାତନ ଛାତ୍ରଙ୍କ ଏକ ପ୍ରତିନିଧି ଦଳ ସୋମବାର ‘ମୋ ସ୍କୁଲ୍‌’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀଙ୍କୁ ସାକ୍ଷାତ କରି ୪୦ ଲକ୍ଷ ଟଙ୍କାର ଚେକ୍ ଦେବାସହ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି।

ଏହି ୪୦ ଲକ୍ଷ ଟଙ୍କାରେ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତା ରାଶିକୁ ମିଶାଇ ମୋଟ ୧ କୋଟି ୨୦ ଲକ୍ଷ ଟଙ୍କାରେ ଏକ ଅତ୍ୟାଧୁନିକ ମଲ୍ଟିପରପୋଜ୍ ହଲ୍ ନିର୍ମାଣ କରାଯିବ। ଏଥିପାଇଁ ପୁରାତନ ଛାତ୍ର ସଙ୍ଗଠନ ପକ୍ଷରୁ ଏକ ସ୍ୱତନ୍ତ୍ର ଡିଜାଇନ୍ ମଧ୍ୟ ପ୍ରଦାନ କରାଯାଇଛି। ୨୦୨୨ରେ ୟୁନିଭର୍ସିଟି ହାଇସ୍କୁଲ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେ ବିଦ୍ୟାଳୟର ସ୍ୱର୍ଣ୍ଣିମ ଇତିହାସକୁ ଆହୁରି ଗୌରବାନ୍ୱିତ କରିବାକୁ ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ‘ଚାଲ ସ୍କୁଲ ଯିବା’ ଅଭିଯାନ ମାଧ୍ୟମରେ ସଙ୍ଗଠନ ପକ୍ଷରୁ ୧୯୬୨ରୁ ୨୦୧୫ ମଧ୍ୟରେ ଶିକ୍ଷାଲାଭ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ କରାଯାଇଛି। ମାତ୍ର ୧୫ଦିନ ମଧ୍ୟରେ ପ୍ରତ୍ୟେକ ବ୍ୟାଚ୍‌ର ଛାତ୍ରଛାତ୍ରୀ ସହାୟତାର ହାତ ବଢାଇଥିବା ବେଳେ ୪୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଛି।

ପ୍ରସ୍ତାବିତ ଏହି ବହୁମୁଖୀ ହଲ୍‌ରେ ଏକା ସାଙ୍ଗରେ ଏକ ହଜାର ଛାତ୍ରଛାତ୍ରୀ ଏକତ୍ରିତ ହୋଇପାରିବେ। ଏହାକୁ ପ୍ରାର୍ଥନା ସଭା, ମଧ୍ୟାହ୍ନଭୋଜନ ହଲ୍, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ ପାଇଁ ବ୍ୟବହାର କରାଯାଇପାରିବ। ଚଳିତବର୍ଷ ଅନୁଷ୍ଠିତ ହେବାକୁ ଥିବା ହୀରକ ଜୟନ୍ତୀ ଉତ୍ସବରେ ଏହି ହଲ୍ ଉଦ୍‌ଘାଟିତ ହେବ। ‘ମୋ ସ୍କୁଲ୍ ଅଭିଯାନ’ ଅଧୀନରେ ୟୁନିଭର୍ସିଟି ହାଇସ୍କୁଲ୍‌ରେ କମ୍ପୁଟର ଲ୍ୟାବ୍‌, ବିଜ୍ଞାନଗାର, ପାଠାଗାର, ବାଇ-ସାଇକେଲ ଷ୍ଟାଣ୍ଡ୍ ନିର୍ମାଣ କରାଯାଇଥିବା ବେଳେ ଶ୍ରେଣୀଗୃହ ଓ ଶୌଚାଳୟର ମରାମତି, ପାନୀୟଜଳ ବ୍ୟବସ୍ଥା ସହ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶମୂଳକ କାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ ଯେ ଗତ ୧୪ ତାରିଖରେ ‘ସଙ୍କଟରେ ୟୁନିଭର୍ସିଟି ହାଇସ୍କୁଲ’ ଶୀର୍ଷକ ଏକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଶିକ୍ଷକ ଅଭାବ ସାଙ୍ଗକୁ ବିଭିନ୍ନ ସମସ୍ୟା ନେଇ ଖବର ପ୍ରକାଶ ପାଇବା ପରେ ପୁରାତନ ଛାତ୍ରଛାତ୍ରୀ ନିଜ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ଲାଗି ଆଗେଇ ଆସିଥିଲେ। ଏବେ ଦେଖିବାକୁ ବାକି ରହିଲା ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବି କେବେ ପୂରଣ ହେବ? ନା‌ ବର୍ତ୍ତମାନର ସ୍ଥିତି ୬୩୦ ପିଲାଙ୍କୁ ୫ ଜଣ ନିୟମିତ ଶିକ୍ଷକରେ ପାଠପଢ଼ା ଚାଲିବ। ଶିକ୍ଷକ ପଦବି ପୂରଣ ନେଇ କର୍ତୃପକ୍ଷ ବାରମ୍ବାର ଚିଠି ଲେଖୁଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ସେଦିଗରେ ପଦକ୍ଷେପ‌ ନେଉ ନାହିଁ। ବରଂ ନିଜ ମୁଣ୍ଡରୁ ଦାୟିତ୍ବ ଖସାଉଛି।

ସମ୍ବନ୍ଧିତ ଖବର