ୟୁନିଭରସିଟି ଲ’ କଲେଜ ନାମଲେଖାରେ ବିଳମ୍ବ : ପ୍ରବେଶିକା ପରୀକ୍ଷା ଫଳ ବାହାରୁନି

୫୦ ଦିନ ହେଲା ସରିଲାଣି ପରୀକ୍ଷା, ବଢ଼ୁଛି ଅସନ୍ତୋଷ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମଲେଖା ସରିଲାଣି। ପାଠପଢ଼ା ବି ଆରମ୍ଭ ହେଲାଣି। ସାଧାରଣ ପାଠ୍ୟକ୍ରମଠାରୁ ଆରମ୍ଭ କରି ଇଞ୍ଜିନିୟରିଂ, ମେଡିକାଲ ପ୍ରଭୃତିରେ ନାମଲେଖା ଶେଷ ହୋଇଯାଇଛି। ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ୟୁନିଭରସିଟି ଲ’ କଲେଜରେ ନାମଲେଖା ପାଇଁ ୫୦ ଦିନ ତଳେ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ଫଳ ଏପର୍ଯ୍ୟନ୍ତ ପ୍ରକାଶ ପାଇନି। ଫଳରେ ୭୫୦ରୁ ଅଧିକ ଛାତ୍ରଛାତ୍ରୀ ଏବେ ଚିନ୍ତାରେ। ଇତି ମଧ୍ୟରେ କ୍ୟାପିଟାଲ ଲ’ କଲେଜ, ମଧୁସୂଦନ ଲ’ କଲେଜ ପରି ଆଇନ ଶିକ୍ଷାନୁଷ୍ଠାନରେ ନାମଲେଖା ସରି ପାଠପଢ଼ା ଆରମ୍ଭ ହେଲାଣି। ହେଲେ ଏଠାରେ ପ୍ରବେଶିକା ପରୀକ୍ଷା ଫଳ ବାହାରିନି। କଲେଜରେ ଏଭଳିସ୍ଥିତି ଲାଗିରହିଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟର କୌଣସି ବି ଅଧିକାରୀ ଏନେଇ ମୁହଁ ଖୋଲୁ ନାହାନ୍ତି।

୨୦୧୮-୧୯ ଶିକ୍ଷାବର୍ଷରେ ଏହି କଲେଜରେ ନାମଲେଖା ପାଇଁ ଜୁଲାଇ ୨୬ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଚାଲୁଥିବା ସମୟରେ କେତେଜଣ ପରୀକ୍ଷାର୍ଥୀ କପି କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ପରୀକ୍ଷାର୍ଥୀମାନେ ବିରୋଧ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭିନ୍ନ ଛାତ୍ର ସଙ୍ଗଠନ ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ନିକଟରେ ଅଭିଯୋଗ କରିବା ପରେ ତଦନ୍ତ ପାଇଁ ଏକ କମିଟି ଗଠିତ ହୋଇଥିଲା। ବହୁ ବାଦବିବାଦ ମଧ୍ୟରେ ଗତ ୧୨ ତାରିଖରେ ତଦନ୍ତ କମିଟି ରିପୋର୍ଟ ପ୍ରଦାନ କରିଥିବା ସୂଚନା ମିଳିଛି। ପରୀକ୍ଷା ବାତିଲ ନ କରିବାକୁ କମିଟି ରିପୋର୍ଟରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ତଥାପି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହେଉଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପରୀକ୍ଷାର ଉତ୍ତର ଖାତା ଏପର୍ଯ୍ୟନ୍ତ ମୂଲ୍ୟାୟନ ହୋଇନାହିଁ। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏବେ ପ୍ଲାଟିନମ୍‌ ଜୁବୁଲି ଉତ୍ସବ ପାଳନରେ ମାତିଥିବାରୁ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା କଥା ଭୁଲିଗଲେଣି। ତଦନ୍ତ କମିଟି ରିପୋର୍ଟ ଦେଇ ସରିବା ପରେ ମୂଲ୍ୟାୟନ ଆରମ୍ଭ ନ ହେବା ପଛରେ କ’ଣ କାରଣ ରହିଛି ବୋଲି ଏବେ ପ୍ରଶ୍ନ ଉଠିଛି। କମିଟି ରିପୋର୍ଟ ଦେବା ପରଠାରୁ ଛୁଟି ଲାଗିରହିଛି। ସପ୍ତାହେ ହେଲା କୁଳପତି କ୍ୟାମ୍ପସରେ ନାହାନ୍ତି। ତେଣୁ ପରବର୍ତୀ କାର୍ଯ୍ୟପନ୍ଥା କ’ଣ ହେବ ସେନେଇ ସମସ୍ତେ ଚିନ୍ତାରେ ପଡ଼ିଛନ୍ତି। ଚଳିତ ମାସରେ ବି ପ୍ରବେଶିକା ଫଳ ପ୍ରକାଶ ପାଇବାର ସମ୍ଭାବନା କ୍ଷୀଣ। ପରୀକ୍ଷା ଫଳକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀ ଅନ୍ୟ କଲେଜ କିମ୍ବା ପାଠ୍ୟକ୍ରମ ପାଇଁ ଆବେଦନ କରିପାରୁ ନାହାନ୍ତି। ଯେଉଁଥିପାଇଁ ସେମାନଙ୍କର ଗୋଟିଏ ବର୍ଷ ବରବାଦ ହେବା ଏକପ୍ରକାର ନିଶ୍ଚିତ। ଏଭଳି ସମସ୍ୟା ନେଇ କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ।

ସମ୍ବନ୍ଧିତ ଖବର