ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଆଇନ୍ ମହାବିଦ୍ୟାଳୟର ସିନିୟର ଛାତ୍ରମାନେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରିଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଛି। କେବଳ ଜୁନିଅର ଛାତ୍ର ସିନିଅର ଛାତ୍ରଙ୍କୁ ‘ସରି’ ନ କହିବାକୁ କେନ୍ଦ୍ର କଲେଜ ପରିସରରେ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ହୋଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ଏକାଧିକ ଭିଡିଓ ଭାଇରାଲ ହେଉଛି। ଏପରିକି ଜୁନିଅର ଛାତ୍ରଙ୍କୁ ତଳେ ପକାଇ ମାଡ଼ ମରାଯାଇଥିବା ଜଣାପଡ଼ିଛି। ସହିଦନଗର ଥାନା ପୁଲିସ ମାମଲାର ତଦନ୍ତ କରି ୩ ଛାତ୍ରଙ୍କୁ ଅଟକ ରଖିଛି।
ଉଭୟ ପକ୍ଷର ଅଭିଯୋଗ ଅନୁସାରେ ଗତ କିଛି ଦିନ ତଳେ ଦ୍ବିତୀୟ ବର୍ଷର କିଛି ଛାତ୍ର କଲେଜ ମଧ୍ୟକୁ ଅଣଛାତ୍ରଙ୍କୁ ଆଣି ଗଣ୍ଡଗୋଳ କରିବା ସହିତ କଲେଜ ପରିସରରେ ଅଶାନ୍ତି ସୃଷ୍ଟି କରୁଥିବା କଲେଜର ତୃତୀୟ ବର୍ଷର ଛାତ୍ରମାନେ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରଠାରୁ କଲେଜ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ୩ ଦିନ ତଳେ କଲେଜ ହ୍ବାଟ୍ସଆପ୍ ଗ୍ରୁପରେ ପ୍ରଥମବର୍ଷ ଛାତ୍ରଙ୍କୁ ୱେଲ୍କମ୍ କରିବା ପାଇଁ କଣ ଥିମ୍ ରଖାଯିବ ଏହାକୁ ନେଇ ଏକ ପୋଲ୍ ହୋଇଥିଲା। ଏହାକୁ କିଛି ଛାତ୍ର ବିରୋଧ କରିଥିଲେ। ଏହି ପୋଲ୍କୁ ମଧ୍ୟ ଦ୍ବିତୀୟ ବର୍ଷର ଛାତ୍ରମାନେ ଉଡ଼ାଇ ଦେଇଥିଲେ। ଆଜି ଏ ନେଇ କଲେଜ କ୍ଲାସ୍ ସରିବା ପରେ ତୃତୀୟ ବର୍ଷ ଓ ଦ୍ବିତୀୟ ବର୍ଷ ଛାତ୍ରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ବୈଠକ ପରେ ତୃତୀୟ ବର୍ଷର ଛାତ୍ରମାନେ ଦ୍ବିତୀୟ ବର୍ଷର ଯେଉଁ ଛାତ୍ରମାନେ ହ୍ବାଟସ୍ଆପ ଗ୍ରୁପରେ ବିରୋଧ କରିଥିଲେ ସେମାନେ ‘ସରି’ କହିବାକୁ କହିଥିଲେ। ଏହାକୁ ନେଇ ବୈଠକ ସମୟରେ ଉଭୟ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ପରେ ଅନ୍ୟ ଛାତ୍ରଛାତ୍ରୀଙ୍କ ହସ୍ତକ୍ଷେପ ପରେ ଗଣ୍ଡଗୋଳ କମିଥିଲା। କିନ୍ତୁ ପରେ ବାହାରକୁ ଆସି ପୁଣି ଉଭୟ ପକ୍ଷ ମଧ୍ୟରେ କଥା କଟାକଟିରୁ ହାତାହାତି ହୋଇଥିଲା। କିଛି ଛାତ୍ର ଏଥିରେ ଆହତ ହୋଇଥିଲେ। ପରେ କଲେଜ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ବିବାଦ ପ୍ରଶମିତ ହୋଇଥିଲା। ପରେ ଉଭୟ ପକ୍ଷ ଏନେଇ ସହିଦନଗର ଥାନାରେ ମାମଲା ରୁଜୁ କରିଛନ୍ତି।
ଏନେଇ ତୃତୀୟ ବର୍ଷର ଛାତ୍ରମାନେ କହିଛନ୍ତି ଯେ ଦ୍ବିତୀୟ ବର୍ଷର କିଛି ଛାତ୍ର କଲେଜ ପରିସରକୁ ଅଣଛାତ୍ର ପ୍ରବେଶ କରାଇ ଅଶାନ୍ତି ସୃଷ୍ଟି କରୁଛନ୍ତି। କଲେଜର ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର କମେଣ୍ଟ ମାରୁଛନ୍ତି। ଏହାକୁ ନେଇ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲୁ। କିନ୍ତୁ ଅଧ୍ୟକ୍ଷ କୌଣସି ପଦକ୍ଷେପ ନେଇ ନଥିଲେ। ଏହାକୁ ନେଇ ସେହି ଛାତ୍ରମାନେ ଜାଣିଶୁଣି ମାରପିଟ୍ କରିଛନ୍ତି। ଅନ୍ୟପକ୍ଷରେ ଦ୍ବିତୀୟ ବର୍ଷର ଛାତ୍ରମାନେ ରାଗିଂ ଅଭିଯୋଗ ଆଣି କହିଛନ୍ତି ଯେ ପୂର୍ବରୁ ହ୍ବାଟସ୍ଆପରେ ହୋଇଥିବା କମେଣ୍ଟରୁ ‘ସରି’ ନ କହିବାରୁ ଗଣ୍ଡଗୋଳ ବଢ଼ିଥିଲା। ଆଜି ବୈଠକ ପରେ ‘ସରି’ କହିବାକୁ ସିନିୟରମାନେ ଆମ ଉପରେ ଚାପ ପକାଇଥିଲେ। ଆମେ ‘ସରି’ ନକହିବାରୁ ଆମକୁ ମାଡ଼ ମାରିଛନ୍ତି। ଏନେଇ କଲେଜ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଏନେଇ ସହିଦନଗର ଥାନା ଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ କହିଛନ୍ତି ଯେ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି।