ହରପ୍ରିୟା ପୃଷ୍ଟି
ଭୁବନେଶ୍ବର: ରାଜ୍ୟରେ ଥିବା କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବାର ନିଷ୍ପତ୍ତିକୁ ନେଇ ବୁଦ୍ଧିଜୀବୀ ମହଲର ଏକ ମିଶ୍ର ପ୍ରତିକ୍ରିୟା ରହିଛି। ନିର୍ବାଚନ ହେବା ଉଚିତ ବୋଲି ଦାବି କରୁଥିବା ଲୋକଙ୍କ ଯୁକ୍ତି ହେଉଛି, ଛାତ୍ର ଜୀବନରୁ ଭବିଷ୍ୟତର ଦକ୍ଷ ନେତା ତିଆରି ହୁଅନ୍ତି। ସେମାନଙ୍କ ଭିତରେ ନେତୃତ୍ବ ନେବାର ଅଭିଜ୍ଞତା ରହେ। ନିଜ ଦକ୍ଷତା ଦେଖାଇବାର ଏହା ଏକ ବଡ଼ ପ୍ଲାଟ୍ଫର୍ମ। ନିର୍ବାଚନ ବନ୍ଦ ହୋଇଯିବା ଫଳରେ ଏଦିଗରେ ଛାତ୍ର ଜୀବନର ଏକ ବଡ଼ ସମ୍ଭାବନା ପୂରା ବନ୍ଦ ହୋଇଯାଇଛି। ପୁଣି ଏହି ମଉକାରେ କଲେଜ କର୍ତ୍ତୃପକ୍ଷ ନିଜେ ଫାଇଦା ନେଇ ଯାଉଛନ୍ତି।
ଅନ୍ୟପକ୍ଷରେ କଲେଜ ନିର୍ବାଚନକୁ ବିରୋଧ କରୁଥିବା ବୁଦ୍ଧିଜୀବୀ ଏହା ଛାତ୍ର ଜୀବନକୁ ବିଶୃଙ୍ଖଳିତ କରେ ବୋଲି କହନ୍ତି। ଛାତ୍ରମାନେ ନିଜ ମୂଳଲକ୍ଷ୍ୟଠୁ ଦୂରେଇ ଯାଇ ବିଭେଦ ଓ ହିଂସାରେ ଲିପ୍ତ ହୋଇ ଯାଆନ୍ତି। ନିର୍ବାଚନ ବନ୍ଦ ହେବାପରେ ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ବିରାଜୁଥିବା ଶାନ୍ତି ଏହାର ପ୍ରମାଣ ବୋଲି ସେମାନେ ଦାବି କରନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧୀ ମେମୋରିଆଲ ପାର୍କରେ ଏହି ପ୍ରସଙ୍ଗରେ ଚାଲିଥିଲା ଚର୍ଚ୍ଚା। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିଲା ସରଗରମ ବିତର୍କ। କିଏ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢ଼ୁଥାଏ ତ କିଏ ବିପକ୍ଷରେ। କିଏ ପୁଣି ଉଭୟ ପକ୍ଷଙ୍କ ଯୁକ୍ତିକୁ ଦେଖି ବଡ଼ପାଟିରେ ହସୁଥାଏ। ଛୁଟିଦିନ ଥିବାରୁ ଏ ଚର୍ଚ୍ଚାରେ ଅଧିକରୁ ଅଧିକ ଛାତ୍ର ଯୋଡି ହୋଇଗଲେ ଓ ଆଲୋଚନା ଲମ୍ବି ଚାଲିଥିଲା। ବିଶ୍ବବିଦ୍ୟାଳୟର ଦର୍ଶନ ବିଭାଗର ପିଏଚ୍ଡି ଛାତ୍ର ରାଧାଶ୍ୟାମ ମିଶ୍ର ଆରମ୍ଭରୁ କହିଲେ, ‘‘୫-୬ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ହେଉନି। ତେଣୁ କ୍ୟାମ୍ପସ୍ର ଉନ୍ନତୀକରଣ ମଧ୍ୟ ହେଉନି। ଛୋଟବଡ଼ ସମସ୍ୟା ପାଇଁ କିଏ ଯାଇ କାହାକୁ କହିବ! କେହି ଜଣେ ଦାୟିତ୍ବ ନେଲେ ସିନା ତା’କୁ କହିବ!’’ ଏତିକିରେ ତାଙ୍କ ବିଭାଗର ଆଉଜଣେ ପିଏଚ୍ଡି ଛାତ୍ର ମଧୂସୁଦନ ମାଝି କହିଲେ, ‘‘ତୁମେ ସେ କଥା କହୁଛ? ନିର୍ବାଚନ ବନ୍ଦ କାରଣରୁ ପରା ଆମ ବିଶ୍ବବିଦ୍ୟାଳୟକୁ ନାକ୍ ଠିକ୍ ମାନ୍ୟତା ଦେବାକୁ ମନା କରିଦେଇଥିଲା! ବାହ୍ୟ ରାଜନୀତିକୁ କ୍ୟାମ୍ପସ୍ରେ ନପୂରାଇ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେଇ ପାରିବ। ସମସ୍ତେ ଭାବି ନେଇଛନ୍ତି ନିର୍ବାଚନ ମାନେ ଦଙ୍ଗା ଓ ମାଡ଼ଗୋଳ। କିନ୍ତୁ ଚେଷ୍ଟାକଲେ ସେସବୁ ବିନା ବି ନିର୍ବାଚନ ହୋଇ ପାରିବ...।’’ ମଧୂଙ୍କ କଥା ନସରୁଣୁ ତାଙ୍କ ବିଭାଗର ପିଜି ଛାତ୍ର ଦୀପକ କୁମାର ବେହେରା କହିଲେ, ‘‘ପଞ୍ଚାୟତ ନିର୍ବାଚନରେ ମଧ୍ୟ ଗଣ୍ଡଗୋଳ ହୁଏ। ମାରପିଟ୍ ହୁଏ। ନିର୍ବାଚନୀ ହିଂସା ହୁଏ। କିନ୍ତୁ ତୃଣମୂଳ ସ୍ତରରେ ଉନ୍ନତି ପାଇଁ ନିର୍ବାଚନ ଜରୁରି, ତେଣୁ ହେଉଛି। ହେଲେ ଛାତ୍ର ସଂସଦ ନିର୍ବାଚନର ଗୁରୁତ୍ବ କେହି ବୁଝୁ ନାହାନ୍ତି।’’ ତେବେ ତାଙ୍କ ଯୁକ୍ତିକୁ ଅସ୍ବୀକାର କରି ସେଇଠି ଥିବା ରେଭେନ୍ସା କଲେଜରେ ଦର୍ଶନରେ ପିଏଚ୍ଡି କରୁଥିବା ଛାତ୍ରୀ ପ୍ରିୟମ୍ବଦା ରାଣା କହିଲେ, ‘‘ରେଭେନ୍ସାରେ ନିର୍ବାଚନ ହେଉନି, ହେଲେ କାହାର ଦରକାର କି ଅସୁବିଧା ବେଳେ ସମସ୍ତେ ସାଥିରେ ଛିଡା ହୁଅନ୍ତି। ନିର୍ବାଚନ ନ ହୋଇ ମଧ୍ୟ ସଙ୍ଗଠିତ ହେଇ ସବୁକାମ କରିହେବ।’’
ଆଉ ପଦେ ଯୋଡି ସମାଜବିଜ୍ଞାନର ସ୍ନାତକୋତ୍ତର ଛାତ୍ର ଆର୍ଯ୍ୟ ଜେନା କହିଲେ, ‘‘ସବୁ ପଇସାର ଖେଳ, ଭାଇ! ପଇସା ଥିବା ପିଲା ଟଙ୍କା ଧରି ରାଜନୀତି କରିବେ, ଖାଇବା ପିଇବା ଦେବେ ଓ ଭୋଟ୍ ପାଇ ଜିତିବେ। ତେଣୁ ଏଥିରୁ ପ୍ରକୃତ ନେତା ବାହାରିବା କଷ୍ଟ।’’ ତାଙ୍କୁ ସମର୍ଥନ କରି ରାଜନୀତି ବିଜ୍ଞାନ ବିଭାଗର ବାଞ୍ଛାନିଧି ଶବର କହିଲେ, ‘‘ଠିକ୍ କହିଲୁ ଭାଇ...! ଏଥିରେ ଟଙ୍କା ଆଉ କ୍ଷମତା ଥିବା ପିଲାଙ୍କୁ ହିଁ ସୁଯୋଗ ମିଳିବ। ଆମର ପ୍ରାକ୍ଟିକାଲ୍ ଶିଖିବାର ନାଇଁ, ଖାଲି ଥିଓରିରେ ଖେଳ ଶେଷ।’’
ରାଜନୀତି ବିଜ୍ଞାନର ଜ୍ୟୋତିରଞ୍ଜନ ମହାପାତ୍ର କେବେ କଲେଜ ନିର୍ବାଚନର ଅଭିଜ୍ଞତା ନଥିବା କହିଲେ। ତା’ପରେ ପ୍ରତାପ କୁମାର ମଲ୍ଲିକ କହିଲେ, ‘‘ଅନେକଙ୍କର ପ୍ରତିନିଧି ହେବା ଦକ୍ଷତା ରହିଛି। ହେଲେ ସୁଯୋଗ ନାହିଁ। କଲେଜ ନିର୍ବାଚନ ହେଲେ ବାସ୍ତବ ନିର୍ବାଚନ କେମିତି, ଏହା ଜାଣି ହୁଅନ୍ତା। ବ୍ୟକ୍ତିତ୍ବର ବିକାଶ ମଧ୍ୟ ହୁଅନ୍ତା।’’
ପ୍ରତାପ କୁମାର ମଲ୍ଲିକ ବ୍ୟଙ୍ଗକରି କହିଲେ, ‘‘ହଁ, ଆଉ ୨୫ଜଣ ନେତା ନ ହେଇ ଜଣେ ନେତା ହୁଅନ୍ତା, ଯିଏ ସମସ୍ତଙ୍କ କଥା ବୁଝନ୍ତା।’’
ରାଜନୀତିବିଜ୍ଞାନର ରଜତ ସିଂହ କହିଲେ, ‘‘ଛାତ୍ର ସଂସଦ ନିର୍ବାଚନରେ ସମସ୍ୟା ତ ଅଛି, କିନ୍ତୁ ସବୁ କଥା ପରେ ଆମକୁ ଗ୍ରହଣ କରିବାକୁ ହେବ ଯେ, ସବୁ ଅସୁବିଧାରେ ପିଲାଙ୍କ ପାଇଁ ଛିଡା ହେଉଥିବା ନେତାଟି ଛାତ୍ର ସଂସଦ ନିର୍ବାଚନରୁ ହିଁ ବାହାରେ। ତେଣୁ ଏହାକୁ ବନ୍ଦ୍ କରିବା ଠିକ୍ ନୁହେଁ।’’