ଭୁବନେଶ୍ବର: ଆଜି ୫ଟି ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳକୁ ପୁଣିଥରେ ବୃଦ୍ଧି କରାଯାଇଛି। ଉତ୍କଳ ସମେତ ସମେତ ଫକୀର ମୋହନ, ଗଙ୍ଗାଧର ମେହେର, ଖଲ୍ଲିକୋଟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ନଭେମ୍ବର ୩୦ ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇବେ। ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ କୁଳପତିଙ୍କ ୩ ମାସିଆ ବର୍ଦ୍ଧିତ କାର୍ଯ୍ୟକାଳ ନଭେମ୍ବର ୩୦ରେ ସରୁଥିବାରୁ ତାଙ୍କର ଆଉ ବୃଦ୍ଧି କରାଯାଇ ନାହିଁ। କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ସୂଚନା ମିଳିଛି। ଏଥର କାର୍ଯ୍ୟକାଳ ବୃଦ୍ଧିରେ କିଛିଟା ଭିନ୍ନତା ରହିଥିବା ଜଣାପଡ଼ିଛି। ପୂର୍ବରୁ କୁଳପତିଙ୍କ କାର୍ଯ୍ୟକାଳ ୩ମାସ ନ ହେଲେ ନୂତନ କୁଳପତି ଯୋଗଦେବା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତେବେ ଏଥର ସମସ୍ତଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ହିଁ ସରିବ। ଅର୍ଥାତ୍ ଆସନ୍ତା ଡିସେମ୍ବର ପହିଲା ସୁଦ୍ଧା ସମସ୍ତ ୬ଟି ଯାକ ବିଶ୍ବବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତ ହେବେ। ଏହି କାର୍ଯ୍ୟକାଳ ବୃଦ୍ଧି ସମୟରେ କୁଳପତିମାନେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
ଅନ୍ୟପକ୍ଷରେ କୁଳପତି ଚୟନରେ ବିଳମ୍ବ ହେଉଥିବା ନେଇ ଖବର ପ୍ରକାଶ ପରେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଆଜି ୬ଟି ସର୍ଚ୍ଚ କମିଟି ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି। ମଧ୍ୟାହ୍ନରେ ରାଜଭବନ ପରିସରରେ ପ୍ରାୟ ଦୁଇ ଘଣ୍ଟା ଧରି ବ୍ୟାପକ ଆଲୋଚନା ଚାଲିଥିଲା। କିଭଳି ଭାବେ କୁଳପତି ଚୟନ ପ୍ରକ୍ରିୟା ଆଗକୁ ବଢ଼ିବ, ସେନେଇ ବିଚାର ବିମର୍ଶ ହୋଇଛି। ଅନ୍ଲାଇନ୍ କି ଅଫ୍ଲାଇନ୍ରେ ଆଶାୟୀ ପ୍ରଫେସର୍ଙ୍କ ସାକ୍ଷାତକାର ନିଆଯିବ, ସେନେଇ ବି ସର୍ଚ୍ଚ କମିଟି ଅଧ୍ୟକ୍ଷଙ୍କଠାରୁ ରାଜ୍ୟପାଳ ପ୍ରଫେସର ଲାଲ୍ ମତାମତ ଲୋଡ଼ିଥିଲେ। କରୋନା ମହାମାରୀ ସମୟରେ ଅଫ୍ଲାଇନ୍ରେ ସାକ୍ଷାତକାର ପରୀକ୍ଷା ନ କରିବାକୁ କେତେଜଣ ସର୍ଚ୍ଚ କମିଟି ସଦସ୍ୟ ଓ ପ୍ରଫେସର୍ ପ୍ରସ୍ତାବ ଦେଇଥିବାରୁ ତାହାକୁ ଆଧାର କରି ସବିଶେଷ ଆଲୋଚନା ହୋଇଛି। କୁଳପତି ଚୟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ୬ଟି ଯାକ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଗତ ଜୁଲାଇ ଓ ଅଗଷ୍ଟରୁ ଶେଷ ହୋଇଗଲାଣି। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କ କାର୍ଯ୍ୟକାଳ ଜୁଲାଇ ୧୩ରେ ଶେଷ ହୋଇଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ କାର୍ଯ୍ୟକାଳ ଜୁଲାଇ ୧୪, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ଅତନୁ କୁମାର ପତିଙ୍କ କାର୍ଯ୍ୟକାଳ ଜୁଲାଇ ୨୫, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଜୁଲାଇ ୩୦, ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସଙ୍କ କାର୍ଯ୍ୟକାଳ ଅଗଷ୍ଟ ୧ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କ କାର୍ଯ୍ୟକାଳ ଅଗଷ୍ଟ ୩୧ରେ ଶେଷ ହୋଇଯାଇଛି। ଏବେ ସମସ୍ତ କୁଳପତି ୩ ମାସିଆ ବର୍ଦ୍ଧିତ କାର୍ଯ୍ୟକାଳରେ ରହିଛନ୍ତି।