ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ଗଡ଼ କଣ୍ଟୁଣିଆସ୍ଥିତ କୁଆଖାଇ ନଦୀପଠାରୁ ଆଜି ସକାଳେ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଜବତ କରିଛି ପୁଲିସ। ମୃତ ଯୁବକଙ୍କ ନାଁ ଚିଣ୍ଟୁ ଓରଫ ଚନ୍ଦନ ଓରଫ ଚିନ୍ମୟ ଗୋଚ୍ଛାୟତ (୨୪)। ଘର ଜଗତ୍ସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ଗରାମ ଗ୍ରାମରେ । ଏଠାରେ ସେ ପତ୍ନୀଙ୍କ ସହିତ ବଡ଼ଗଡ଼ ଅଞ୍ଚଳରେ ଭଡ଼ାରେ ରହୁଥିଲେ। ମୃତ ଚିଣ୍ଟୁ ଜଣେ ଗାଡ଼ି ଡ୍ରାଇଭର୍। ଖବର ପାଇ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏ ନେଇ ଗାଡ଼ି ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିିଛି । ପୁଲିସ ଘଟଣାସ୍ଥଳରୁ ଏକ ଟୟୋଟା କାର (ଓଡ଼ି-୦୨ଏଫ୍-୨୪୨୪) ସମେତ ରକ୍ତଭିଜା ଛୁରି, ମଦ ବୋତଲ, ମୋବାଇଲ୍ ଫୋନ୍ ସହ ଇୟରକର୍ଡ, କିଛି ପାଣି ପାଉଚ୍ ଓ ଆଉ ଗୋଟିଏ ଖାଲି ପାଣି ବଟଲ୍କୁ ମଧ୍ୟ ଜବତ କରିଛି। ଚିଣ୍ଟୁ ମୃତ୍ୟୁର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ଜଣାପଡ଼ି ନଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପାରିପାର୍ଶ୍ୱିକ ସ୍ଥିତିରୁ ସନ୍ଦେହ କରାଯାଉଛି। ଚିଣ୍ଟୁର ପାଟିରୁ ଦାନାଦାର ଗନ୍ଧ ବାହାରୁଥିବାରୁ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟାକରି ଦୁର୍ବୃତ୍ତମାନେ ଆତ୍ମହତ୍ୟାର ରୂପ ଦେବାକୁୁ ଯାଇ ତାଙ୍କ ପାଟିରେ ଦାନାଦାର ଭର୍ତି କରି ଦେଇଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ଚିଣ୍ଟୁର ବାମପାର୍ଶ୍ୱ ହାତରେ ୩ଟି ସ୍ଥାନରେ ଧାରୁଆ ଅସ୍ତ୍ରରେ ବଡ଼ କ୍ଷତଚିହ୍ନ ରହିଛି। ତେଣୁ ସେ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ, ଆତ୍ମହତ୍ୟାର କାରଣ କ’ଣ ତାହା ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ଥାନା ଅଧିକାରୀ ମନୋଜ ସ୍ୱାଇଁଙ୍କ କହିବା ଅନୁଯାୟୀ, ଚିଣ୍ଟୁର ପ୍ରେମ ବିବାହକୁ ନେଇ ଘରେ ଅଶାନ୍ତି ଲାଗି ରହିଥିଲା। ତେଣୁ ସେ ବର୍ଷେ ହେବ ପତ୍ନୀଙ୍କ ସହିତ ଗାଡ଼ି ମାଲିକ ରତିକାନ୍ତ ମହାରଣାଙ୍କ ଘର ନିକଟରେ ଘରଭଡ଼ା ନେଇ ରହୁଥିଲେ। ରତିକାନ୍ତ ଥାନାରେ କରିଥିବା ଅଭିଯୋଗ ମୁତାବକ ଚିଣ୍ଟୁ ସୋମବାର ସକାଳ ୭ଟା ବେଳେ ଭୁବନେଶ୍ୱର ୯ ନମ୍ବରରୁ ଯାତ୍ରୀ ନେଇ ଓଡ଼ଗାଁ ଅଭିମୁଖେ ଯିବାର ଥିଲା। ହେଲେ ସେଠାକୁ ନ ଯାଇ ଅନୁଗୁଳ ଯାଇଥିଲେ। ସକାଳ ୯ଟାରେ ସେ ଫୋନ୍ରେ ତାଙ୍କ ସହ କଥା ହୋଇଥିଲେ। ତା ’ ପରେ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିବାରୁ ଆଉ ତାଙ୍କ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ରାତି ପାଖାପାଖି ୯ଟାରେ ଟଙ୍କପାଣି ବ୍ରିଜ୍ ନିକଟରେ ଗାଡ଼ି ଥୁଆହୋଇଥିବାର କାର୍ରେ ଲାଗିଥିବା ଜିପିଆର୍ଏସ୍ରୁ ଜାଣିବାକୁ ପାଇଥିଲେ। ଏପଟେ ଆଜି ସକାଳେ କୁଆଖାଇ ନଦୀକୁ ଶୌଚ ହେବାକୁ ଯାଇଥିବା ଜଣେ ବ୍ୟକ୍ତି କାର ନିକଟରେ ଶବ ପଡ଼ିଥିବାର ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଖବର ପ୍ରଚାର ହୋଇଯିବା କ୍ଷଣି ଶବ ନିକଟରେ ଶତାଧିକ ଲୋକଙ୍କର ଭିଡ଼ ଜମିଥିଲା। ସ୍ଥାନୀୟ ଲୋକ ଏ ସଂପର୍କରେ ପୁଲିସକୁ ଜଣାଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ଜଣାଇଛନ୍ତି। ରିପୋର୍ଟ ଲେଖା ବେଳକୁ ଚିଣ୍ଟୁଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ତେବେ ମୃତ ଚିଣ୍ଟୁ କାନରେ ଇୟର ଫୋନ୍ ଲଗାଇ ଏକ ନିର୍ଦିଷ୍ଟ ମୋବାଇଲ୍ ଫୋନ୍ ନମ୍ବରରେ ଦୀର୍ଘ ସମୟ ଧରି ଗପିଥିଲେ। ତେଣୁ ସେ ଲାଇଭ୍ ସୁଇସାଇଡ୍ କରିଥିବା ପୁଲିସ ଅନୁମାନ କରୁଛି। ପୁଲିସ ଚିଣ୍ଟୁଙ୍କ ମୋବାଇଲ୍ ନମ୍ବରକୁ ନେଇ ଖୋଳତାଡ଼ ଆରମ୍ଭ କରିଛି। ଚିଣ୍ଟୁ କାହା ସହିତ କଥା ହେଉଥିଲେ ତାହା ଜାଣିବା ପାଇଁ ପୁଲିସ ମୋବାଇଲ୍ ଫୋନ୍ କଲ୍ ଡିଟେଲ୍ସ ମଗାଇଛି। ଦୁଇ ଦିନ ମଧ୍ୟରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ଥାନାଧିକାରୀ ଶ୍ରୀ ସ୍ୱାଇଁ କହିଛନ୍ତି।
କୁଆଖାଇ ପଠାରେ ଯୁବକଙ୍କ ମୃତଦେହ
ହତ୍ୟା ସନ୍ଦେହ, କାର ସମେତ ରକ୍ତଭିଜା ଛୁରି, ମଦ ବୋତଲ ଓ ମୋବାଇଲ ଫୋନ୍ ଜବତ
/sambad/media/post_attachments/wp-content/uploads/2018/06/balianta-murder.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)