ଭୁବନେଶ୍ବର: ରାଜଧାନୀର ୨୬ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ଟିକା ନେବାକୁ ଅସମ୍ଭାଳ ଭିଡ଼ ଜମୁଛି। ଏପରି ସ୍ଥିତି ଉପୁଜିଲାଣି ଯେ, ଟିକାଦାନ କେନ୍ଦ୍ରଗୁଡ଼ିକ ସୁପରସ୍ପ୍ରେଡର ଅଞ୍ଚଳ ପାଲଟିଗଲାଣି। ଲୋକ କରୋନା ନହେବା ପାଇଁ ଟିକା ନେବାକୁ ଆସୁଛନ୍ତି ହେଲେ, ସ୍ଥିତି ଯାହା ଏହି ଠାରୁ ହିଁ ଜଣେ କରୋନା ସଂକ୍ରମିତ ହୋଇକି ଯିବ। ଟିକାଦାନ କେନ୍ଦ୍ରଗୁଡ଼ିକରେ ଏବେ ଟିକା ନେବାକୁ ଥିବା ଲୋକଙ୍କର ଆଧାର କାର୍ଡର ନକଲ ମଗା ଯାଉଛି। ଫଳରେ ଆଧାର କାର୍ଡ ଆଗ ଦେଇ ଟୋକନ୍ ନେବା ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଉଛି। ଗୋଟିଏ ଟିକାଦାନ କେନ୍ଦ୍ରରେ ସର୍ବାଧିକ ୨୦୦ଜଣ ଲୋକଙ୍କୁ ଟିକା ଦେବାକୁ ବ୍ୟବସ୍ଥା ହୋଇଥିଲେ ହେଁ ଅଧିକ ଲୋକ ଜମା ହେଉଥିବାରୁ ସ୍ଥିତି ଅଣାୟତ୍ତ ହେଉଛି। ଟିକାଦାନ କେନ୍ଦ୍ରରେ ସ୍ଥିତି ଅଣାୟତ୍ତ ହେଉଥିବାରୁ ଆଜି ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଅପିଲ୍ କରିଛନ୍ତି ଯେ, ଯେଉଁମାନେ ନାମ ପଞ୍ଜୀକରଣ କରି ସ୍ଳଟ୍ ପାଇଥିବେ ବା ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ଶିବିର ପାଇଁ ଡକରା ପାଇଥିବେ ସେମାନେ ଆସନ୍ତୁ ନଚେତ୍ ଅଯଥାରେ ଆସି ଭିଡ଼ ଜମାନ୍ତୁନି। କୌଣସି ପରିସ୍ଥିତିରେ ବି ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି।
ଅପରପକ୍ଷେ ଟିକାଦାନ କେନ୍ଦ୍ରକୁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ୧୮ରୁ ୪୪ ବର୍ଷର ଲୋକଙ୍କ ପାଇଁ ଯେବେଠାରୁ ଟିକାଦାନ ଆରମ୍ଭ ହେଲାଣି ସେବେଠାରୁ ଅସମ୍ଭାଳ ଭିଡ଼ ଜମୁଛି। ନାମ ପଞ୍ଜୀକରଣ ବେଳେ ସ୍ଲଟ୍ ବୁକିଂ କରିବାକୁ କୁହାଯାଉଛି। ହେଲେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ସ୍ଲଟ୍ ବୁକିଂ ଅପ୍ସନ ଦେଖାଉନି। ତେଣୁ ଆମେ ନାମ ପଞ୍ଜୀକରଣ କରିଛୁ ମାନେ ଟିକା ନେବାକୁ ପଳାଇ ଆସୁଛୁ। ଟିକାଦାନ କେନ୍ଦ୍ରରେ ହେଉଥିବା ଭିଡ଼କୁ ଦେଖି ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ସକାଳ ୮ଟାରୁ ୧ଟା ପର୍ଯ୍ୟନ୍ତ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ। ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ୪୫ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକାକୁ ଦିଆଯିବ। ତେଣୁ ସମସ୍ତେ ସ୍ଲଟ୍ ବୁକିଂ କରି ଟିକା ନେବାକୁ ଆସନ୍ତୁ। ବିନା ବୁକିଂ ସ୍ଲଟ୍ ଆବଣ୍ଟନରେ କାହାକୁ ଟିକା ଦିଆଯିବନି।
ବିଏମ୍ସି ପକ୍ଷରୁ ଆଜିଠାରୁ ମେ ୧୦ରୁ ୧୯ତାରିଖ ପର୍ଯ୍ୟନ୍ତ ଟିକା ନେବାକୁ ଥିବା ଲୋକଙ୍କ ପାଇଁ ସ୍ଲଟ୍ ଆବଣ୍ଟନ ବାଧ୍ୟତାମୂଳକ କରାଯାଇଛି। ଆଜି ଅପରାହ୍ନ ୧ଟାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବା ପରେ କୋୱିନ୍ ୱେବସାଇଟ୍ରେ ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ସବୁ ସ୍ଲଟ୍ ବୁକିଂ ହୋଇଯାଇଛି। ପ୍ରତ୍ୟେକ ଦିନ ପାଇଁ ୪,୨୦୦ ସ୍ଲଟ୍ ଥିବାବେଳେ ସମସ୍ତ ସ୍ଲଟ୍ ବୁକ୍ ହୋଇଯାଇଛି। ୪୫ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କର ଦ୍ବିତୀୟ ଡୋଜ୍ ପାଇଁ କିଛି ସ୍ଲଟ୍ ଖାଲି ଅଛି। କିନ୍ତୁ ଘରୋଇ ହସ୍ପିଟାଲରେ ଟିକାଦାନ ହେଉନଥିବାରୁ ଏବେ ଏହାବି ଦ୍ରୁତ ଗତିରେ ବୁକିଂ ହେବାରେ ଲାଗିଛି। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ରବିବାରକୁ ଛାଡ଼ି ଅନ୍ୟ ସବୁ ଦିନ ଟିକାକରଣ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/56f4h564sfh564fs56hfshhhhhhhhhhhhhhhhhhhh.jpg)