ବରମୁଣ୍ଡା ସର୍ଭିସ ରୋଡ୍‌ରେ ଅସମ୍ଭାଳ ଟ୍ରାଫିକ୍‌ ଜାମ୍‌: ଟ୍ରାଫିକ୍‌ କର୍ମଚାରୀଙ୍କ ଅବହେଳା ଅଭିଯୋଗ

ଖଣ୍ଡଗିରି: ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସଂଲଗ୍ନ ସର୍ଭିସ ରୋଡ୍‌ ଓ ଓଭରବ୍ରିଜ୍‌ ତଳେ ଟ୍ରାଫିକ୍‌ ଜାମ୍ ଏକ ନିତିଦିନିଆ ଘଟଣା ପାଲଟିଛି। ବସ୍ ଓ ଅଟୋ ଗୁଡ଼ିକ ଯାତ୍ରୀ ଉଠାଇବାକୁ ପ୍ରତିଯୋଗିତା କରି ଏଭଳି ଭିଡ଼ କରୁଥିବା ବେଳେ ଟ୍ରାଫିକ୍‌ କର୍ମଚାରୀମାନେ ନିରବଦ୍ରଷ୍ଟା ସାଜୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକମାନେ ଟ୍ରାଫିକ୍‌ ଭିଡ଼ରେ ଘଣ୍ଟାଘଣ୍ଟା ଧରି ଫସି ରହୁଛନ୍ତି।

ଅଭିଯୋଗ ଅନୁସାରେ ବସ୍‌ଷ୍ଟାଣ୍ଡରୁ ବସ୍ ବାହାରି ଆସିବା ପରେ ସର୍ଭିସ୍ ରୋଡ୍‌ରେ ଦୀର୍ଘ ସମୟ ଧରି ପାର୍କିଂ କରୁଛନ୍ତି। ସେହିଭଳି ଅଟୋଚାଳକମାନେ ମଧ୍ୟ ଯାତ୍ରୀ ଉଠାଇବାକୁ ରାସ୍ତା ଉପରେ ଠିଆ ହୋଇ ଭିଡ଼ ଜମାଉଛନ୍ତି। ଏହା ବେଆଇନ ହୋଇଥିଲେ ବି ସେଠାରେ କର୍ତ୍ତବ୍ୟରତ ଟ୍ରାଫିକ୍‌ କର୍ମଚାରୀ ସେମାନଙ୍କୁ ବାରଣ କରୁନାହାନ୍ତି। ଫଳରେ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ମାତ୍ର ୧୦୦ ମିଟର ରାସ୍ତା ଅତିକ୍ରମ କରିବାକୁ ସେଠାରେ ଅନ୍ୟ ଲୋକଙ୍କୁ ବଡ଼ ହଇରାଣ ହେବାକୁ ପଡ଼ୁଛି। ଏନେଇ ବହୁ ସମୟରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେଉଛି। ଅନେକ ସମୟରେ ବସ୍ କର୍ମଚାରୀ ଓ ଲୋକଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ସୂଚନାଯୋଗ୍ୟ, ନାକାଗେଟ୍, ଘାଟିକିଆ, ବରମୁଣ୍ଡା, ଜାଗମରା, ଖଣ୍ଡଗିରି ଆଦି ଅଞ୍ଚଳରୁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ସମସ୍ୟାରେ ପଡ଼ୁଛନ୍ତି। ସେମାନେ ଏହି ରାସ୍ତାରେ ବେଆଇନ୍ ପାର୍କିଂ ରୋକିବାକୁ ଦାବି କରୁଛନ୍ତି।

ଏ ସଂପର୍କରେ ଟ୍ରାଫିକ୍ ଏସିପି ସ୍ବସ୍ତିକ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ବସ୍‌ ଚାଳକମାନେ ସର୍ଭିସ ରୋଡ୍‌ରେ ଗାଡ଼ି ରଖିଲେ, ଚାଲାଣ କଟାଯାଇଛି। ସେଠାରେ ୨ ଜଣ ଟ୍ରାଫିକ୍‌ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଖଣ୍ଡଗିରି ଓଭରବ୍ରିଜ୍‌ ହେବା ପରେ ଏବେ ଭିଡ଼ ଅପେକ୍ଷାକୃତ କମିଛି। ତଥାପି ଭିଡ଼ ହେଉଥିବା କାରଣ ବାବଦରେ ଅନୁସନ୍ଧାନ କରି ତୁରନ୍ତ ସମାଧାନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର