ଚନ୍ଦ୍ରଶେଖରପୁର: ରାଜଧାନୀରେ ଅଘୋଷିତ ବିଦ୍ୟୁତ କାଟ ହେବ ନାହିଁ। ଶକ୍ତିମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ଏନେଇ ବାରମ୍ବାର ବାହାସ୍ପୋଟ ମାରୁଥିଲେ ମଧ୍ୟ ଫଳାଫଳ ସମ୍ପୂର୍ଣ୍ଣ ଓଲଟା। ଗ୍ରୀଷ୍ମ ଋତୁ କେବେଠୁଁ ଗଲାଣି। ତଥାପି ରାଜଧାନୀର ଏକ ପ୍ରମୁଖ ଅଞ୍ଚଳ ଚନ୍ଦ୍ରଶେଖରପୁରରେ ଘନ ଘନ ବିଦ୍ୟୁତ କାଟ କାରଣରୁ ହନ୍ତସନ୍ତ ହେଉଛନ୍ତି ଉପଭୋକ୍ତା। ଏପରି ଅବସ୍ଥା ଦେଖିବାକୁ ମିଳିଛି ସେସୁ ଚନ୍ଦ୍ରଶେଖରପୁର ସେକ୍ସନ୍-୧ ବିଦ୍ୟୁତ ଅଫିସ୍ ଅଧିନରେ ଥିବା ଅଧିକାଂଶ ଅଞ୍ଚଳରେ।
ଏହି ବିଦ୍ୟୁତ ଅଫିସ୍ ଅଧୀନରେ ହାଉସିଂବୋର୍ଡ, ପ୍ରଗତୀ ଏନ୍କ୍ଲେଭ୍, ଶ୍ରୀବିହାର, ବିଡିଏ କଲୋନି ସହିତ ଦୁଇ ଦୁଇଟି ପ୍ରମୁଖ ଘରୋଇ ହସ୍ପିଟାଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ରହିଛି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ କାରଣରୁ ଏହି ସ୍ଥାନଗୁଡ଼ିକରେ ଅଘୋଷିତ ବିଦ୍ୟୁତ କାଟ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଅଭିଯୋଗ କଲେ କେହି ଶୁଣିବାକୁ ନାହିଁ। ବାରମ୍ବାର ଅଭିଯୋଗ କଲେ ମରାମତି ନିମନ୍ତେ ଏହି କାର୍ଯ୍ୟାଳୟର କିଛି ବରିଷ୍ଠ କର୍ମଚାରୀ ଖର୍ଚ୍ଚପାଣି ଦାବି କରୁଥିବା ଅଭିଯୋଗ ହେଉଛି। ନିକଟରେ ଏହିଭଳି ସମସ୍ୟା କାରଣରୁ ଶ୍ରୀବିହାର ଅଞ୍ଚଳର ଏକ ପରିବାର ଏହି ବିଦ୍ୟୁତ ଅଫିସ୍ ସମ୍ମୁଖରେ ଧାରଣାରେ ବସିଥିଲେ। ନିର୍ଦ୍ଦିଷ୍ଟ କିଛି କର୍ମଚାରୀ ଓ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ଏକ ଗୋଷ୍ଠୀ ଯେକୌଣସି ଗ୍ରାହକଙ୍କୁ ଖର୍ଚ୍ଚପାଣି ଦାବି କରିବା ଏଠି ନିତିଦିନିଆ କଥା। ଖର୍ଚ୍ଚ ଦେବାକୁ ମନା କଲେ ବିଦ୍ୟୁତ କାଟ ହେବା ନିଶ୍ଚିତ।
ସେହିପରି ଚନ୍ଦ୍ରଶେଖରପୁର ସେକ୍ସନ୍-୨ ଅଧୀନରେ ଥିବା ନୀଳାଦ୍ରିବିହାରର ବିଭିନ୍ନ ଅଞ୍ଚଳବାସୀ ମଧ୍ୟ ସମାନ ସମସ୍ୟା ସହିତ ଯୁଝୁଛନ୍ତି। ଏହି ସେକ୍ସନ ଅଧୀନରେ ବିଜୁଳିର ଲୁଚକାଳି ଖେଳ ସ୍ଥାନୀୟ ଅଧିବାସୀଙ୍କପାଇଁ ଚିନ୍ତାର କାରଣ ହୋଇଛି। ବରିଷ୍ଠ ଅଧିକାରୀମାନେ କେବଳ ବିଲ୍ ସଂଗ୍ରହ ଓ ଘରୁ ବିଦ୍ୟୁତ ସଂଯୋଗ କାଟିବାକୁ ସଦା ପ୍ରସ୍ତୁତ। ମାତ୍ର ସାଧାରଣ ବିଦ୍ୟୁତ ଉପଭୋକ୍ତାଙ୍କୁ ନ୍ୟାୟ ଦେବାକୁ ପଛୁଆ। ଏହାସହିତ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱଶୂନ୍ୟ କାର୍ଯ୍ୟଧାରାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।