ଭୁବନେଶ୍ବର: ଆଜି ମଧ୍ୟାହ୍ନରେ ଅଧଘଣ୍ଟା ବର୍ଷା ରାଜଧାନୀରେ ଯାତାୟାତ ଠପ୍ କରି ଦେଇଥିଲା। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ବିଶେଷକରି ରସୁଲଗଡ଼ଠାରୁ ବମିଖାଲ ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ସମସ୍ୟା ଲାଗି ରହିଥିଲା। ବମିଖାଲ ଦୁର୍ଗାମଣ୍ଡପ ସମ୍ମୁଖରୁ ଏସ୍ପ୍ଲାନେଡ୍ ପର୍ଯ୍ୟନ୍ତ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ଡ୍ରେନ୍ ଓ ରାସ୍ତା ସବୁ ଏକାକାର ହୋଇଯାଇଥିଲା।
ରାସ୍ତାର ଦୁଇ କଡ଼ରେ ଶତାଧିକ ଗାଡ଼ିର ଲମ୍ବା ଧାଡ଼ି ଲାଗିଥିଲା। ପାଣି ଯୋଗୁଁ ଗାଡ଼ି ଚଳାଇବାକୁ ଭୟ କରିଥିଲେ ଚାଳକ। ବର୍ଷା ଛାଡ଼ିବାର ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରୁ ପାଣି ଛାଡ଼ି ନଥିଲା। ଫଳରେ ମଧ୍ୟାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ହୋଇଥିଲା। ମାତ୍ର ୧ କିମି ରାସ୍ତା ପାର୍ହେବାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଟ୍ରାଫିକ୍ ଜାମ୍ ଭିତରେ ତ୍ରାହି ତ୍ରାହି ଡାକିଥିଲେ ଲୋକେ। ସେହିପରି ଶିଳ୍ପାଞ୍ଚଳ ପ୍ରବେଶ ପଥରେ ପାଣି ଜମି ରହିବାରୁ ଶିଳ୍ପାଞ୍ଚଳ ଭିତରେ ଗାଡ଼ି ସବୁ ଅଟକି ରହିଥିଲା। ଦୀର୍ଘ ଦିନ ଧରି ଏଭଳି ଡ୍ରେନେଜ୍ ସମସ୍ୟା ଦେଖା ଦେଉଥିଲେ ହେଁ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଚିନ୍ତା ନାହିଁ ବୋଲି କ୍ଷୋଭ ପ୍ରକାଶ ପାଇଥିଲା।