ଅସୁରକ୍ଷିତ କୋର୍ଟ ପରିସର, ସୁହାଉଛି ଢିଲା ସୁରକ୍ଷା ବ୍ୟବସ୍ଥା

ସିସିଟିଭି, ମେଟାଲ ଡିଟେକ୍ଟର ଅଚଳ, ସୁରକ୍ଷାକର୍ମୀ ଅଭାବ

ପୁରୁଣା ଭୁବନେଶ୍ୱର: ଜୁନ୍‌ ୨୬ ତାରିଖର ଘଟଣା। ଭୁବନେଶ୍ବର ଏଡିଜେ-୨ଙ୍କ କୋର୍ଟରେ ଚାଲିଥିଲା ଏକ ନିଶା କାରବାରର ଶେଷ ଶୁଣାଣି। କୋର୍ଟ ତାଙ୍କ ରାୟ ଶୁଣାଇଲେ। ଆସାମୀକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ବିଚାରପତି। କିନ୍ତୁ ରାୟ ପରେ ଆସାମୀକୁ ଜେଲ୍ ନେବା ପୂର୍ବରୁ କୋର୍ଟ ପରିସରରୁ ଚମ୍ପଟ ମାରିଲା ଆସାମୀ। ପୁଲିସକୁ ନାକେଦମ କଲା ପରେ ଯାଇ ଧରାପଡ଼ିଲା।

ଭୁବନେଶ୍ବର କୋର୍ଟରେ ଏହି ଘଟଣାଟି କୌଣସି ନୂଆ କଥାନଥିଲା। ଏମିତି ଉଦାହରଣ ଆଗରୁ ବି ଥିଲା। କୋର୍ଟ ପରିସରରେ ଥିବା ଢିଲା ସୁରକ୍ଷା ବ୍ୟବସ୍ଥାର ମଉକାରେ ପୂର୍ବରୁ ଅପରାଧୀମାନେ ପୁଲିସ ହାତରୁ ଖସି ପଳାଇବା ସହ ଆତଙ୍କ ଖେଳାଇବା ଭଳି ଅଘଟଣ ମଧ୍ୟ ଘଟାଇଛନ୍ତି। ବୋମାମାଡ଼ଠାରୁ ଆରମ୍ଭ କରି ଆଇନଜୀବୀଙ୍କୁ ଆକ୍ରମଣ କରିବା ଭଳି ଘଟଣା ମଧ୍ୟ ଭୁବନେଶ୍ବର କୋର୍ଟ ପରିସରରେ ବହୁଥର ଘଟିଛି। ମାତ୍ର ପରିତାପର କଥା କୋର୍ଟ ପରିସରର ସୁରକ୍ଷା ବ୍ୟବସ୍ଥାରେ ଥିବା ଢିଲା ପଣରେ କୌଣସି ପରିବର୍ତ୍ତନ ହୋଇପାରିନାହିଁ।

୨୦୨୦ ମସିହାରେ ଲକ୍‌ ଡାଉନ୍‌ ସମୟରେ ଜଣେ ଆସାମୀ କୋର୍ଟରୁ ଚମ୍ପଟ ମାରିଥିଲା ଓ ବଡ଼ଗଡ଼ ଥାନା ପୁଲିସ ତାକୁ ଗୋଡ଼ାଇ ଗୋଡ଼ାଇ କ୍ୟାପିଟାଲ ହସ୍ପିଟାଲ ନିକଟରୁ ଧରିଥିଲା। ୨୦୧୮ ଏପ୍ରିଲ୍‌ରେ ଜଣେ ଦୁଷ୍କର୍ମ ଅଭିଯୁକ୍ତ ରଂଜନ ମାର୍ଥା ପୁଲିସକୁ ଚକ୍‌ମା ଦେଇ ଖସି ପଳାଇଥିଲା। ସେହିପରି ଅନ୍ୟ ଏକ ଘଟଣାରେ ଜଣେ ଦୁଷ୍କର୍ମ ଅଭିଯୁକ୍ତ କୋର୍ଟ ପରିସରରେ ତା’ ବିପକ୍ଷରେ ଲଢ଼ୁଥିବା ଆଇନଜୀବୀଙ୍କୁ ଆକ୍ରମଣ ଉଦ୍ୟମ କରିଥିଲା। ବଡ଼ ଅଘଟଣ ଘଟିଥିଲା ୨୦୧୪ ମସିହା ଜାନୁଆରି ୨୭ରେ। ଭୁବନେଶ୍ୱର ସିବିଆଇ କୋର୍ଟର ବିଚାରପତିଙ୍କ ଡାଏସ୍‌ ଉପରକୁ ବୋମାମାଡ଼ ହୋଇଥିଲା। ତେଣୁ ଏସବୁ ଉଦାହରଣକୁ ପରଖିଲେ, ଏହା ସ୍ପଷ୍ଟ ଯେ ଭୁବନେଶ୍ବର କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ବେଶ୍‌ ଢିଲା।

ସୂଚନାଯୋଗ୍ୟ, ଭୁବନେଶ୍ୱର କୋର୍ଟ ପରିସରରେ ଛୋଟ ବଡ଼ ମିଶାଇ ପ୍ରାୟ ୨୪ଟି କୋର୍ଟ ରହିଛି। ଏହା ବାଦ୍‌ ଭୁବନେଶ୍ବର ଉପଜିଲ୍ଲାପାଳ କାର୍ଯ୍ୟାଳୟ, ସବ୍‌ ରେଜିଷ୍ଟାର୍‌ କାର୍ଯ୍ୟାଳୟ, ତହସିଲ, ବ୍ଲକ କାର୍ଯ୍ୟାଳୟ ଓ ରାଜ୍ୟ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ଭଳି ଅଫିସ ଏହି ପରିସରକୁ ଲାଗି ରହିଛି। ତେଣୁ ଏଠାରେ ଦୈନିକ ପ୍ରାୟ ୫ହାଜର ଲୋକଙ୍କ ଭିଡ଼ ହୋଇଥାଏ।

ସେହିଭଳି ଦୈନିକ ଏଠାକୁ ରାଜଧାନୀ ଉପକଣ୍ଠ ଓ ଖୋର୍ଧା ଜିଲ୍ଲାର ୩ ଶହରୁ ଅଧିକ ଅଭିଯୁକ୍ତ ଆସିଥାନ୍ତି। ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ କୋର୍ଟ ସମ୍ମୁଖରେ ଦୁଇ ଜଣ ସଶସ୍ତ୍ର ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ଅଧିକାଂଶ କୋର୍ଟରେ କୌଣସି ପୁଲିସ ଅଧିକାରୀଙ୍କୁ ଦେଖିବାକୁ ମିଳେନାହିଁ। କୋର୍ଟ ପରିସରରେ ଅପରାଧୀମାନଙ୍କ ଉପରେ ନଜର ରଖିବାକୁ ସିସି କ୍ୟାମେରା ଲାଗିଛି। କିନ୍ତୁ ଅଧିକାଂଶ ସିସି କ୍ୟାମେରା ଅଚଳ। କୋର୍ଟର ୫ ପ୍ରବେଶ ପଥରେ ୫ଟି ମେଟାଲ ଡିଟେକ୍ଟର ଲାଗିଥିଲା।

ଏବେ ସେସବୁ ଅଚଳ। ଆଉ ମେଟାଲ ଡିଟେକ୍ଟର ଦେଖିବାକୁ ମିଳୁନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦୁର୍ଦ୍ଦାନ୍ତ ଅପରାଧୀମାନେ କୋର୍ଟକୁ ଆସିବା ବେଳେ ସେମାନଙ୍କ ଚେଲାମାନେ କୋର୍ଟରେ ଭିଡ଼ ଜମାଇଥାନ୍ତି। ସେମିତି ସମୟରେ ବି ପୁଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥାଏ। ବଡ଼ କଥା ହେଉଛି କୋର୍ଟ ପରିସରରେ ଥିବା ସ୍ୱତନ୍ତ୍ର ସିଏସ୍‌ଆଇ ଅଫିସର ସୁରକ୍ଷା ବଡ଼ କଥା ହେଲେ ବି ତା’ ପାଇଁ ରାତ୍ର ଜଗୁଆଳି ନାହନ୍ତି।

ସମ୍ବନ୍ଧିତ ଖବର