ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ଅହେତୁକ ବିଳମ୍ବ, ଅକ୍ଟୋବର ଶେଷ ସୁଦ୍ଧା ଔଷଧ ପ୍ରସ୍ତୁତି ଶେଷ ପାଇଁ ନିର୍ଦେଶ

ଭୁବନେଶ୍ବର: ଆୟୁର୍ବେଦିକ ଔଷଧ ସମସନମଣି ବଟି ପ୍ରସ୍ତୁତ ପାଇଁ ମାଉସୀ ମା’ସ୍ଥିତ ସରକାରୀ ଆୟୁର୍ବେଦିକ ହସ୍ପିଟାଲକୁ ୧୮ଲକ୍ଷ ଟଙ୍କା ଦିଆଗଲା। କ‌ରୋନା ମହାମାରୀ ସମୟରେ ସମସନମଣି ବଟି(୫ଶହ ମି.ଗ୍ରା ଦିନକୁ ଦୁଇଥର) ଔଷଧ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବ ବୋଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦେଶନାମା ଜାରି ହେଲା। ହେଲେ ରାଜ୍ୟବାସୀ ଏହି ଔଷଧ ପାଇବାରୁ ବଞ୍ଚିତ ହେଲେ। ଆବଶ୍ୟକ ଅର୍ଥ ଥାଇ ମଧ୍ୟ ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଫାର୍ମାସିରେ ଏହି ଔଷଧ ପ୍ରସ୍ତୁତ ହୋଇପାରିଲା ନାହିଁ।

ଏବେ ନବନିଯୁକ୍ତ ଆୟୁଷ ନିର୍ଦ୍ଦେଶକଙ୍କ ତାଗିଦ୍ ପରେ ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ କିଛି ପରିମାଣରେ ପ୍ରସ୍ତୁତି ଆରମ୍ଭ ହୋଇଛି। ସୋମବାରଠାରୁ ଏହାର ବିତରଣ ଆରମ୍ଭ ହେବ ବୋଲି ହସ୍ପିଟାଲ ପକ୍ଷରୁ ‌ଦୃଢ଼ୋକ୍ତି ପ୍ରକାଶ ପାଇଛି। ତେବେ ମାସ ମାସ ଧରି ଔଷଧ ପ୍ରସ୍ତୁତି ବିଳମ୍ବ ହେବାର କାରଣ ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ି ନ ଥିଲେ ହେଁ କର୍ତ୍ତୃପକ୍ଷଙ୍କ ଖାମଖିଆଲି ଏହା ପଛର ପ୍ରମୁଖ କାରଣ ବୋଲି କୁହାଯାଉଛି। ରାଜ୍ୟ ଆୟୁଷ ବଜେଟ୍‌ରୁ ସମସନିମଣି ବଟି ଔଷଧ ପ୍ରସ୍ତୁତ ପାଇଁ ଗତ ମାର୍ଚ ମାସରେ ୧୮ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହାର କିଛି ଦିନ ପରେ ଆବଶ୍ୟକ ଅର୍ଥ ଦିଆଯାଇଥିଲା। ଔଷଧ ପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଇ ଦେବା ଲାଗି କିଛି ଦିନ ପୂର୍ବରୁ ଟେଣ୍ଡର୍‌ ମଧ୍ୟ ଶେଷ ହୋଇଛି। ଏଥିପାଇଁ ଆବଶ୍ୟକ ପ୍ରଶାସନିକ ମଞ୍ଜୁରି ମିଳିସାରିଛି। ଏହା ସତ୍ତ୍ବେ ଔଷଧ ପ୍ରସ୍ତୁତ ହୋଇପାରିଲା ନାହିଁ। ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହି ଔଷଧ ସାଧାରଣ ଲୋକଙ୍କ ନିକଟରେ ଆଗୁଆ ପହଞ୍ଚି ପାରିଲା ନାହିଁ, ଯାହାକି ସାଧାରଣ ଲୋକଙ୍କ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥାନ୍ତା ବୋଲି ଅନେକ ମତ ରଖିଛନ୍ତି।

ସରକାରୀ ଆୟୁର୍ବେଦିକ ହସ୍ପିଟାଲର ଜନୈକ ଅଧିକାରୀଙ୍କ କହିବା କଥା, ଆୟୁଷ ନିର୍ଦେଶକଙ୍କ ପକ୍ଷରୁ ଗତ ସେପ୍ଟେମ୍ବର ୨୨ତାରିଖରେ ପ୍ରଶାସନିକ ଅନୁମତି ମିଳିଛି। ଗତ ମାର୍ଚ ମାସରେ ଏଥିପାଇଁ ଟେଣ୍ଡର୍‌ ହୋଇଥିଲା। ଯାହାର ବର୍ଷକ ପାଇଁ ବୈଧତା ରହିଛି। ସମସନମଣି ବଟି ପାଇଁ ୧୮ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏବେ ଔଷଧ ତିଆରି ହେବା ସହ ଏହାର ନମୁନା ପରୀକ୍ଷା ରିପୋର୍ଟ ଆସିସାରିଛି। ସୋମବାରଠାରୁ ଔଷଧ ବିତରଣ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ଦଫା‌ରେ ପାଇକମାଳ ଓ ଭୁବନେଶ୍ବରସ୍ଥିତ ଆୟୁର୍ବେଦିକ ହସ୍ପିଟାଲକୁ ଦିଆଯିବ। ଆୟୁର୍ବେଦିକ ଡିସ୍‌ପେନସାରିକୁ ୬୫ ଫାଇଲ(ଗୋଟିଏ ଫାଇଲ୍‌ରେ ୩୦ଟି ବଟିକା) ଓ ୫ଟି ଆୟୁର୍ବେଦିକ ହସ୍ପିଟାଲକୁ ୩୨୫ ଫାଇଲ ପଠାଯିବ ବୋଲି ଅଧିକାରୀଜଣକ କହିଛନ୍ତି। ରାଜ୍ୟରେ ୬୨୦ଟି ଡିସ୍‌ପେନସାରି ରହିଥିବା ବେଳେ ଏସବୁ ଡିସ୍‌ପେନସାରିରେ କେବେ ପହଞ୍ଚିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଯେଉଁ ଉଦ୍ଦେଶ୍ୟ ନେଇ ଲକ୍ଷାଧିକ ଟଙ୍କା ହସ୍ପିଟାଲର ଫାର୍ମାସିକୁ ଦିଆଯାଇଥିଲା ତାହା ଫଳପ୍ରଦ ହେବା ନେଇ ଆଶଙ୍କା ଦେଖାଦେଲାଣି। ରାଜ୍ୟ ଆୟୁ‌ଷ ନିର୍ଦେଶକ ତ୍ରିଲୋଚନ ମାଝୀ କହିଛନ୍ତି, କିଛି ଔଷଧ ପ୍ରସ୍ତୁତ ହୋଇଛି। ସରକାରୀ ଆୟୁର୍ବେଦିକ ଫାର୍ମାସିକୁ ଚଳିତ ଅକ୍ଟୋବର ଶେଷ ସୁଦ୍ଧା ଔଷଧ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ଲାଗି ନିର୍ଦେଶ ଦିଆଯାଇଛି। ପରବର୍ତୀ ସମୟରେ ପର୍ଯ୍ୟାୟକ୍ରମେ ଏହାକୁ ବିତରଣ କରାଯିବ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର