ଚନ୍ଦ୍ରଶେଖରପୁର: ରୢାଗିଂକୁ ନେଇ ଚନ୍ଦ୍ରଶେଖରପୁରସ୍ଥିତ ଆଚାର୍ଯ୍ୟ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଙ୍କ ମଧ୍ୟରେ ଆଜି ତୁମୁଳକାଣ୍ଡ ସାମ୍ନାକୁ ଆସିଛି। କ୍ୟାମ୍ପସ୍‌ ବାହାରେ ଦୁଇ ଗୋଷ୍ଠୀ ଛାତ୍ର ମୁହାଁମୁହିଁ ହେବା ସହ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଦ୍ବିତୀୟ ବର୍ଷ ଛାତ୍ର ଓ ଅଣଛାତ୍ର ମିଳିତ ଭାବେ ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ ଭୁଜାଲି ଧରି ଗୋଡ଼ାଇଥିଲେ। ଭୁଜାଲି ଚୋଟରେ ଏକାଧିକ ଛାତ୍ର ଆହତ ହୋଇଛନ୍ତି। ସାଧାରଣ ଲୋ‌କଙ୍କ ସହାୟତାରେ ପୁଲିସ ଆହତ ଛାତ୍ରଙ୍କୁ ଉଦ୍ଧାର କରିବା ସହ ତିନିଜଣ ଛାତ୍ର ଓ ଅଣଛାତ୍ରଙ୍କୁ ଉଠାଇ ନେଇଥିଲା। ସମସ୍ତେ ନାବାଳକ ହୋଇଥିବାରୁ କୌଣସି ମାମଲା ରୁଜୁ ନ କରି ସନ୍ଧ୍ୟା ବେଳକୁ ଅଭିଭାବକଙ୍କୁ ଡାକି ଅଣ୍ଡରଟେକିଂ ଲେଖି ଅଟକ ଛାତ୍ର ଓ ଅଣଛାତ୍ରଙ୍କୁ ଛାଡ଼ିଥିବା ଜଣାପଡ଼ିଛି।

Advertisment

ସୂଚନା ମୁତାବକ ପ୍ରଥମ ବର୍ଷର ଜଣେ ଛାତ୍ର ଗତକାଲି କ‌ଲେଜ ଯିବା ସମୟରେ ପ୍ରବେଶ ପଥରେ ଉପସ୍ଥିତ ଥିବା କିଛି ଛାତ୍ର ଓ ଅଣଛାତ୍ର ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ସିଗାରେଟ୍‌ ଟାଣି ତାଙ୍କ ଉପରକୁ ଧୂଆଁ ଛାଡ଼ିବା ସହ ଧକ୍କା ମାରିଥିଲେ। ଏନେଇ ପ୍ରଥମ ବର୍ଷ ଛାତ୍ରଜଣକ ଅଭିଭାବକଙ୍କୁ ଅବଗତ କରିଥିଲେ। ଅଭିଭାବକ ଏହା ଜାଣିବା ପରେ ବିଦ୍ୟାଳୟର ଜଣେ ଅଧ୍ୟାପକଙ୍କୁ ଗତକାଲି ପଚାରିଥିଲେ। ଆଜି ସକାଳୁ ଅଧ୍ୟାପକଜଣକ ବିଦ୍ୟାଳୟ ଆସିବା ସମୟରେ ପ୍ରବେଶ ପଥରେ ଉପସ୍ଥିତ ଥିବା ଅଣଛାତ୍ର ଓ ଛାତ୍ରଙ୍କୁ ଏନେଇ ତାଗିଦ୍‌ କରିଥିଲେ। କ୍ୟାମ୍ପସ୍‌ ନିକଟରେ ଖଟି ନ କରିବାକୁ କହିଥିଲେ। ଫଳରେ ବିବାଦ କମିବା ବଦଳରେ ବଢ଼ି ଯାଇଥିଲା। ବିଦ୍ୟାଳୟ ଛୁଟି ସମୟରେ ପ୍ରଥମ ବର୍ଷର ଛାତ୍ରଜଣକ ସଙ୍ଗମାନଙ୍କ ସହ ଫେରୁଥିବା ବେଳେ ବାଟରେ ଛକି ରହିଥିବା ଦ୍ବିତୀୟ ବର୍ଷ ଛାତ୍ର ଓ ଅଣଛାତ୍ର ଅତର୍କିତ ଆକ୍ରମଣ କରିଥିଲେ। କେହି କିଛି ବୁଝିବା ପୂର୍ବରୁ ନୀଳାଦ୍ରିବିହାର-ଚନ୍ଦ୍ରଶେଖରପୁର ରାସ୍ତାରେ ଭୟଙ୍କର ପରିସ୍ଥିତି ଉପୁଜିଥିଲା। ଦ୍ବିତୀୟ ବର୍ଷ ଛାତ୍ର ଓ ଅଣଛାତ୍ର ଭୁଜାଲି ଧରି ଛାତ୍ରଜଣଙ୍କୁ ଗୋଡ଼ାଇଥିଲେ। ଛାତ୍ରଜଣକ ଜୀବନ ବିକଳରେ ଦୌଡ଼ିଥିଲେ। ଏଭଳି ସ୍ଥିତି ଦେଖି ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ପୁଲିସକୁ ଖବର ଦେବା ସହ ‌ଭୁଜାଲି ଧରି ଗୋଡ଼ାଉଥିବା ଯୁବକମାନଙ୍କୁ କାବୁ କରିଥିଲେ। ଏହାପରେ ପୁଲିସ ପହଞ୍ଚି ଆହତ ଛାତ୍ରଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ଆକ୍ରମଣ କରିଥିବା ଛାତ୍ର ଓ ଅଣଛାତ୍ରଙ୍କୁ ଥାନାକୁ ନେଇଥିଲା। ଅପରାହ୍ଣରେ ତିନିଜଣଙ୍କ ଅଭିଭାବକଙ୍କୁ ଖବର ଦିଆଯିବା ପରେ ସେମାନେ ପହଞ୍ଚିଥିଲେ। ଉଭୟ ପକ୍ଷର ଅଭିଭାବକଙ୍କୁ ଏକାଠି ବସାଇ ପୁଲିସ ବୁଝାସୁଝା କରିବା ସହ ଭବିଷ୍ୟତରେ ଏମିତି ନ କରିବାକୁ ଚେତାବନୀ ଦେଇଛି। ଉଭୟ ପକ୍ଷ ଲିଖିତ ଭାବେ ଥାନାକୁ ଜଣାଇଛନ୍ତି। ଏସମ୍ପର୍କରେ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉତ୍ତର ମିଳିପାରି ନାହିଁ।

ବିଜେବିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଅଗଷ୍ଟ ୧୫ରୁ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ବିବାଦ ଥମିବାର ନାଁ ଧରୁନି। ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଗୋଟିଏ ଗୋଷ୍ଠୀର କିଛି ଛାତ୍ରୀଙ୍କ ଭିଡିଓ ରେକଡିଂକୁ ନେଇ ପୁଣି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଖବରପାଇ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ହସ୍ତକ୍ଷେପ କରିବା ସହ ଜଣେ ଛାତ୍ରଙ୍କୁ କାବୁ କରିବା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ହେଲେ କ୍ୟାମ୍ପସ୍‌ରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନା ମୁତାବକ, ବୁଧବାର ଅପରାହ୍‌ଣ ପାଖାପାଖି ସାଢ଼େ ୨ଟାରେ ଗୋଟିଏ ଗୋଷ୍ଠୀର କିଛି ଛାତ୍ରୀ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଅନ୍ୟଗୋଷ୍ଠୀର  ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ର ସେମାନଙ୍କ ଭିଡିଓ ରେକଡିଂ କରିଥିଲେ। ଛାତ୍ରୀମାନେ ଜାଣିପାରି ପାଟି କରିବା ସହ ତାଙ୍କୁ ଭିଡିଓ ରେକଡିଂକୁ ଡିଲିଟ୍‌ କରିବାକୁ କହିଥିଲେ। ଏହାକୁ ନେଇ ସେମାନଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ପାଟିଶୁଣି ଉଭୟ ଗୋଷ୍ଠୀର ସମର୍ଥକ ସେଠାରେ ପହଞ୍ଚିଥିଲେ। କଥା କଟାକଟିରୁ ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ଖବରପାଇ ବଡ଼ଗଡ଼ ଥାନା ପୁଲିସର ୨ଟି ଟିମ୍‌ ସେଠାରେ ପହଞ୍ଚି ଛାତ୍ରଙ୍କୁ ବୁଝାସୁଝା କରିଥିଲା। ଯେଉଁଛାତ୍ର ଜଣକ ଭିଡିଓ ରେକଡିଂ କରିଥିଲେ ତାଙ୍କ ମୋବାଇଲ୍‌ ଜବତ କରି ଯାଞ୍ଚ ବେଳେ ରେକଡିଂ ମିଳିବାରୁ ପୁଲିସ ତାଙ୍କୁ କାବୁ କରି ଥାନାକୁ ନେଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ସଂପୃକ୍ତ ଛାତ୍ରଙ୍କୁ ବାଳସୁଧାରଗୃହକୁ ପଠାଇଛି।