ଅବ୍ୟବସ୍ଥିତ ପାର୍କିଂ: ଠିକାଦାରଙ୍କୁ ଡରୁଛି ବିଏମ୍‌ସି

ଶୋଷଣର ଶିକାର ହେଉଛନ୍ତି ଜନତା , ନାହିଁ ସୂଚନା ଫଳକ, ଚାଲିଛି କାଗଜ ରସିଦ୍‌, ମେସିନ୍ ବ୍ୟବହାର କରୁନାହାନ୍ତି

ଭୁବନେଶ୍ୱର: ବିଏମ୍‌ସିର ପାର୍କିଂ ବ୍ୟବସ୍ଥାରେ ଥିବା ବ୍ୟାପକ ଅନିୟମିତତା ଯୋଗୁଁ ସାଧାରଣ ଜନତା ଶୋଷଣର ଶିକାର ହେଉଛନ୍ତି। ଠିକାଦାର ମାନୁନାହାନ୍ତି ବିଏମ୍‌ସିର ଆଇନକାନୁନ। ବିଏମ୍‌ସିର ସର୍ତ୍ତ ଓ କଟକଣା ସବୁକୁ ଫୁ’ କରି ଦେଉଛନ୍ତି ଠିକାସଂସ୍ଥା। ବେଆଇନ ଭାବେ ହେଉଛି କାଗଜ ରସିଦ୍‌ ବ୍ୟବହାର। ମେସିନ୍‌ ବ୍ୟବହାର କରିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ବେ ବେଧଡ଼କ ଭାବେ କାଗଜ ରସିଦ୍‌ ଚାଲିଛି। ଠିକା‌ ସଂସ୍ଥା ବିରୋଧରେ ବିଏମ୍‌ସି ପାଖରେ ଅଭିଯୋଗ ଗଦା ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗୋଟିଏ ବି କାର୍ଯ୍ୟାନୁଷ୍ଠାନ ନାହିଁ। ଏବେ ବି ୪୪ଟି ପାର୍କିଂ ଲଟ୍‌ ନିଲାମ ହୋଇପାରୁନି। ତେଣୁ ଠିକାଦାରଙ୍କୁ ବିଏମ୍‌ସି ଡରୁଛି ବୋଲି ସାଧାରଣରେ ବିଶ୍ବାସ ଜନ୍ମିଛି।

ବିଏମ୍‌ସି ଅଧୀନରେ ୮୫ଟି ପାର୍କିଂ ଲଟ୍‌ ବା ସ୍ଥାନ ରହିଛି। ଏଥିରୁ ୪୦ଟି ନିଲାମ୍‌‌ ଦିଆଯାଇଛି। ଠିକାଦାରଙ୍କୁ ୨୫ଟି ସ୍ଥାନ ଦିଆଯାଇଥିବା ବେଳେ ୧୫ଟି ଆନୁଷ୍ଠାନିକ ପାର୍କିଂ ଜାଗା ରହିଛି। ଅର୍ଥାତ୍‌ ୧୫ଟି ଅନୁଷ୍ଠାନ ସେମାନଙ୍କ ସାମ୍ନା ଜାଗାକୁ ପାର୍କିଂସ୍ଥଳ ଭାବେ ବ୍ୟବହାର କରୁଛନ୍ତି। ସେମାନେ ବିଏମ୍‌ସିକୁ ଟଙ୍କା ଦେଉଛନ୍ତି, କିନ୍ତୁ ଗ୍ରାହକଙ୍କଠାରୁ ପାର୍କିଂ ଫି’ ନେଉ ନାହାନ୍ତି। ବାକି ୪୫ଟି ଲଟ୍‌ରୁ ଲିଙ୍ଗରାଜ ମାର୍କେଟ୍‌ କମ୍ପ୍ଲେକ୍ସ ସାମ୍ନା ଲଟ୍‌କୁ ଦକ୍ଷିଣ-ପୂର୍ବ ଜୋନ୍‌କୁ ନିଲାମ୍‌ କରିବାକୁ କୁହାଯାଇଥିବା ବେଳେ ୭ଟିର ନିଲାମ ପାଇଁ ଟେଣ୍ଡର୍‌ ପ୍ରକ୍ରିୟା ସରିଛି। କିନ୍ତୁ ବାକି ୩୭ଟି ନିଲାମ ହୋଇପାରୁନାହିଁ। ଏଗୁଡ଼ିକ ମଧ୍ୟରୁ କିଛି ସ୍ଥାନର ନିଲାମ୍‌ ଦର ବାର୍ଷିକ ପ୍ରାୟ ୫୦ଲକ୍ଷ ଟଙ୍କା ରହିଛି। ବର୍ଷକୁ ବର୍ଷ ବିଏମ୍‌ସି ଏହାର ଦର ୧୦ ପ୍ରତିଶତ ବୃଦ୍ଧି କରିବା ନିୟମ ରହିଛି। ଏଣୁ ଦରବୃଦ୍ଧି ଓ ସୀମିତ ପାର୍କିଂ ଅଞ୍ଚଳ ପାଇଁ ଏସବୁ ଲଟ୍‌କୁ କେହି ନିଲାମ ନେଉନାହାନ୍ତି। ଏହା ଭିତରେ ବିଏମ୍‌ସି ୨ଟି କିନ୍ନର ଗ୍ରୁପ୍‌କୁ ୧୦ଟି ପାର୍କିଂ ଜାଗା ଦେଇଛି। ଫଳରେ ବିପୁଳ ରାଜସ୍ବ ହାନି ହେଉଛି। କେହି ଠିକା ନେଉନଥିବା ଦର୍ଶାଇ ବିଏମ୍‌ସି ଆଉ କିଛି ପାର୍କିଂ ଲଟ୍‌କୁ ଏଭଳି ଦାନ କରିବା ଚକ୍କରରେ ଅଛି। ଏଥିରୁ କେତେକ ନିର୍ଦ୍ଦିଷ୍ଟ କର୍ମଚାରୀ/ଅଧିକାରୀ ଲାଭବାନ୍‌ ହେଉଥିବା ନେଇ ଅଭିଯୋଗ ରହିଛି।

କୁଆଡ଼େ ଗଲା ମେସିନ୍‌?

ଶିଶୁଭବନରୁ ବାଣୀବିହାର ପର୍ଯ୍ୟନ୍ତ ସ୍ମାର୍ଟ ଜନପଥରେ ଥିବା ୨୪ଟି ପାର୍କିଂ ଜାଗାରେ କାଗଜ ରସିଦ୍‌ ବ୍ୟବହାର ହେବ ନାହିଁ ବୋଲି କଡ଼ାକଡ଼ି ନିର୍ଦ୍ଦେଶ ରହିଛି। ତେଣୁ ଠିକାଦାରକୁ ସ୍ମାର୍ଟ ସିଟି ବିଲିଂ ମେସିନ୍‌ ଯୋଗାଇ ଦେଇଛି। ଏଥିରେ ଠିକାଦାରଙ୍କ ନାମ ସହ ପ୍ୟାକେଜ୍‌ ସମ୍ବନ୍ଧୀୟ ସୂଚନା ଓ ଧାର୍ଯ୍ୟ ଦର ବାବଦରେ ସୂଚନା ରହିଛି। କିନ୍ତୁ ଏଠାରେ ଅର୍ଦ୍ଧାଧିକ ସ୍ଥାନରେ ମେସିନ୍‌ ବ୍ୟବହାର ହେଉ ନଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। କେବେ ଅଭିଯୋଗ ହେଲେ ବିଏମ୍‌ସି କେବଳ ନାଁକୁ ଚଢ଼ଉ କରି କାଗଜ ରସିଦ୍‌ ଜବତ କରୁଛି ସିନା କାର୍ଯ୍ୟାନୁଷ୍ଠାନ ନାହିଁ।

ଦର ଧାର୍ଯ୍ୟ କରୁଛନ୍ତି ଠିକାଦାର

ପାର୍କିଂ ଫି’ ବିଏମ୍‌ସି ଧାର୍ଯ୍ୟ କରିଥାଏ। କିନ୍ତୁ କିଛି ସ୍ଥାନରେ ଠିକାଦାର ଏହି ଫି’ ଧାର୍ଯ୍ୟ କରି ବିଏମ୍‌ସି ଆଖିରେ ଆଙ୍ଗୁଠି ଗେଞ୍ଜି ରାଜଧାନୀବାସୀଙ୍କୁ ଶୋଷଣ କରୁଛି। ଠିକାଦାର ୨୦ ଟଙ୍କିଆ ରସିଦ୍ ଛାପି ଲୋକଙ୍କୁ ଚୁନ ଲଗାଉଥିଲେ ବି ବିଏମ୍‌ସି ନିରବ। ସୂଚନାନୁସାରେ ବାଇକ୍‌ ପାଇଁ ପାର୍କିଂ ଫି’ଦୁଇ ଘଣ୍ଟାକୁ ୧୫ଟଙ୍କା ଧାର୍ଯ୍ୟ କରାଯାଇଛି। ୨ରୁ ୩ଘଣ୍ଟା ପାଇଁ ୨୦ , ୩ରୁ ୪ ଘଣ୍ଟା ପାଇଁ ୨୫ ଓ ୪ ଘଣ୍ଟାରୁ ଊର୍ଦ୍ଧ୍ବ ହେଲେ ୩୫ରୁ ୫୦ଟଙ୍କା ଧାର୍ଯ୍ୟ ହୋଇଛି।

ଜେଡ୍‌ଡିସିଙ୍କ ହାତରେ ପରିଚାଳନା

ପାର୍କିଂ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଏବେ ପରିଚାଳନା ଦାୟିତ୍ବ ଜେଡ୍‌ଡିସି(ଜୋନାଲ୍‌ ଡେପୁଟି କମିସନର)ମାନଙ୍କୁ ଦିଆଯାଇଛି। ଜେଡ୍‌ଡିସି ନିଜ ଅଞ୍ଚଳର ପାର୍କିଂ ସ୍ଥଳ ବ୍ୟବସ୍ଥିତ କରିବେ। କିନ୍ତୁ ଏଥିରେ ସମସ୍ୟା ଦେଖାଯାଇଛି। ବିଏମ୍‌ସିର ତିନିଟି ଜୋନ୍‌ ଦାୟିତ୍ବରେ ଦୁଇଜଣ ଜେଡ୍‌ଡିସି ଅଛନ୍ତି। ଜଣେ ଜେଡ୍‌ଡିସିଙ୍କ ଦାୟିତ୍ବରେ ଦୁଇଟି ଜୋନ୍‌ ରହିଛି। କର୍ମଚାରୀ ଅଭାବ ଓ ଅନ୍ୟାନ୍ୟ ଚାପରେ ସେମାନେ ନିଜ କାମ କରିପାରୁନଥିବା ବେଳେ ଏହି ଅତିରିକ୍ତ ଦାୟିତ୍ବ କେମିତି ତୁଲାଇବେ, ସେନେଇ ଆଶଙ୍କା ପ୍ରକାଶ ପାଇଛି।

କେଉଁ ପ୍ୟାକେଜ୍‌ରେ କେଉଁ ଲଟ୍‌?

ବିଏମ୍‌ସି ଅଧୀନରେ ଥିବା ସବୁ ପାର୍କିଂ ସ୍ଥାନକୁ ୯ଟି ପ୍ୟାକେଜ୍‌ କରାଯାଇଛି। ଗୋଟିଏ ପ୍ୟାକେଜ୍‌ ଅଧୀନରେ ଥିବା ଯେକୌଣସି ପାର୍କିଂ ସ୍ଥାନରେ ଥରେ ମାତ୍ର ଫି’ ଦେବାକୁ ପଡ଼ିବ। ଶିଶୁଭବନରୁ ରାଜମହଲ ପ୍ୟାକେଜ୍‌ରେ ୪ ପାର୍କିଂସ୍ଥଳ ଥିବା ବେଳେ ଶ୍ରୀଲେଦରରୁ ଅଶୋକ ମାର୍କେଟ୍‌ରେ ୪, ମାଷ୍ଟରକ୍ୟାଣ୍ଟିନ୍‌ରୁ ଶ୍ରୀୟା ଛକରେ ୫, ଶ୍ରୀୟା ଛକରୁ ହୋଟେଲ ମାରିଅନ୍‌ରେ ୭, ସହିଦନଗରରେ ୪, ୟୁନିଟ୍‌-୧ ଅଞ୍ଚଳରେ ୨, ଭୌମନଗର ଅଞ୍ଚଳରେ ୨, କଳାମନ୍ଦିରରୁ କେଶରୀ ମଲ୍‌ ଓ କାମ୍‌ୟାବ୍‌ ଟିଭି ଅଫିସ୍‌ରେ ୩ ଏବଂ ରାମମନ୍ଦିରରୁ କଳାମନ୍ଦିର ପର୍ଯ୍ୟନ୍ତ ପ୍ୟାକେଜ୍‌ରେ ୨ଟି ପାର୍କିଂ ସ୍ଥାନ ରହିଛି। ପ୍ରତି ପ୍ୟାକେଜ୍‌ର ପାର୍କିଂ ସ୍ଥଳରେ ପୁରୁଣା ଟିକେଟ୍‌ ବୈଧ ରହିବ, କିନ୍ତୁ ସମୟ ଅନୁସାରେ ଆବଶ୍ୟକ ହେଲେ ବର୍ଦ୍ଧିତ ଫି’ ଦେବାକୁ ହେବ। ବଡ଼ କଥା ହେଉଛି, ଏସବୁ ସୂଚନା ଫଳକ ଜରିଆରେ ସର୍ବସାଧାରଣଙ୍କୁ ଜଣାଇ ଦିଆଯାଉ ନଥିବାରୁ ଗୋଟିଏ ପ୍ୟାକେଜ୍‌ରେ ଥିବା ପାର୍କିଂସ୍ଥଳରୁ ଠିକାଦାର ଲୋକଙ୍କୁ ଭୁଆଁ ବୁଲାଇ ଏକାଧିକବାର ଫି’ ଆଦାୟ କରୁଛି।

ବ୍ୟବସ୍ଥିତ କରାଯାଉଛି: କର୍ତ୍ତୃପକ୍ଷ

ଯେତେବେଳେ ଅଭିଯୋଗ ହୋଇଛି ଆମେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। କିନ୍ତୁ ମେସିନ୍‌ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେବା ସତ୍ତ୍ବେ ଓ କାଗଜ ରସିଦ୍‌ ଜବତ କରିବା ପରେ ମଧ୍ୟ କେତେକ ଠିକାଦାର ମାନୁନାହାନ୍ତି। ପ୍ରତ୍ୟେକ ପାର୍କିଂ ସ୍ଥାନରେ ସୂଚନାଫଳକ ଲଗାଇବା ପାଇଁ ବି ନିର୍ଦ୍ଦେଶ ଦେଇଛୁ। ଏବେ ଜୋନ୍‌ ଅଫିସ୍‌ ପାର୍କିଂ ଦାୟିତ୍ବ ପରିଚାଳନା କରିବ। ଏଣୁ ଏଣିକି ସବୁ କିଛି ବ୍ୟବସ୍ଥିତ ହେବ ବୋଲି କହିଛନ୍ତି ପାର୍କିଂ ଦାୟିତ୍ବରେ ଥିବା ଡେପୁଟି କମିସନର ସପନ କୁମାର ନନ୍ଦ।

ସମ୍ବନ୍ଧିତ ଖବର