ଅସୁରକ୍ଷିତ ରାଜଧାନୀ : ୧୧ ମାସରେ ୩୨ ହତ୍ୟା

ସପ୍ତାହକରେ ଗଡ଼ିଲାଣି ୩ ମୁଣ୍ଡ

ଅସୁରକ୍ଷିତ ହୋଇଗଲାଣି ରାଜଧାନୀ। ଗତ ଏକ ସପ୍ତାହ ମଧ୍ୟରେ ରାଜଧାନୀରେ ୩ଟି ହତ୍ୟାକାଣ୍ଡ ଘଟିଲାଣି। କେଉଁଠି ଭାଇଗିରି ପାଇଁ ତ ଆଉ କେଉଁଠି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଡ଼ିଲାଣି ମୁଣ୍ଡ। ପାରିବାରିକ କଳହରୁ ମଧ୍ୟ ଜୀବନ ଚାଲି ଯାଉଛି। ଏବେ ନିଶା କାରବାର କରିବାକୁ ନେଇ ମଧ୍ୟ ହତ୍ୟା ଘଟିଲାଣି। ଏୟାରଫିଲ୍ଡ ଥାନା ଅମରେଶ ନାୟକ ହତ୍ୟା ମାମଲାରେ ପୁଲିସକୁ ଆଂଶିକ ସଫଳତା ମିଳିଥିବା ବେଳେ ବାହାଦଲପୁର ପପୁ ଜେନା ଓ ଲକ୍ଷ୍ମୀସାଗର ଥାନା ଲଜ୍ ଭିତରେ ଟି.ଭି ରାଓ ହତ୍ୟାକାଣ୍ଡରେ ପୁଲିସ ହାତ ଖାଲି। ଯାହାକି କମିସନ‌ରେଟ୍‌ ପୁଲିସ ପାଇଁ ଏବେ ଚ୍ୟାଲେଞ୍ଜ ହୋଇପଡ଼ିଛି। ରାଜଧାନୀରେ ଏକ ସପ୍ତାହ ମଧ୍ୟରେ ତିନି ତିନିଟି ହତ୍ୟାକାଣ୍ଡ ଘଟଣାକୁ ରାଜଧାନୀବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଖାଲି ଏହି ସପ୍ତାହ ନୁହେଁ, ଗତ ୧୧ ମାସ ଉପରେ ଆଖି ପକାଇଲେ, ରାଜଧାନୀରେ ପାଖାପାଖି ୩୨ଟି ହତ୍ୟାକାଣ୍ଡ ଘଟିଛି। ଏହି ହତ୍ୟାକାଣ୍ଡ ମଧ୍ୟରେ କେତୋଟି ଚର୍ଚିତ ହତ୍ୟାକାଣ୍ଡ ମଧ୍ୟ ରହିଛି, ଯାହାକୁ ନେଇ ରାଜଧାନୀରେ ଖୁବ୍‌ ଚର୍ଚା ଓ ଆଲୋଚନା। ଏହି ସବୁ କେତୋଟି ଚର୍ଚିତ ହତ୍ୟାକାଣ୍ଡ ଘଟଣାକୁ ନେଇ ସ୍ବତନ୍ତ୍ର ରିପୋର୍ଟ…

ମୁହଁ ଖୋଲିଲେନି ଅନୀଷା
ଜାନୁଆରି ୨୦ ତାରିଖ। ଶ୍ରୀଲିଙ୍ଗରାଜ ଥାନା ଅଧୀନ ଗୌରୀନଗର ଲେନ୍‌-୫‌ରେ ଭଡ଼ାରେ ରହୁଥିବା ଜଣେ ଯୁବତୀଙ୍କୁ ଆଉ ଜଣେ ଯୁବତୀ ଛୁରି ଭୁସି ହତ୍ୟା କରିଥିଲେ। ମୃତ ଯୁବତୀଜଣକ ଥିଲେ ଅଳକାନନ୍ଦା ଦାସ। ତାଙ୍କୁ ହତ୍ୟା କରିଥିଲେ ଅନୀଷା ମିଶ୍ର। ଦୁହେଁ ସେହି ଘରେ ଦୀର୍ଘ ଦିନ ଧରି ଭଡ଼ାରେ ରହୁଥିଲେ। ତେବେ କେଉଁ କାରଣରୁ ଅନୀଷା ଏଭଳି କାଣ୍ଡ ଭିଆଇଲେ, ତାହା ପୁଲିସ ଏଯାଏ ସ୍ପଷ୍ଟ କରି ପାରିନାହିଁ। ଅନୀଷା ବି ମୁହଁ ଖୋଲି ନାହାନ୍ତି। ଯାହା ଶୁଣା ଯାଇଥିଲା, ଅଳକାଙ୍କ ବିବାହ ସ୍ଥିର ହୋଇଯିବା ପରେ ଅନୀଷା ଅସନ୍ତୁଷ୍ଟ ଥିଲେ। ଶୋଇଥିବା ଅବସ୍ଥାରେ ଛୁରିରେ ସେ ଅଳକାଙ୍କ ଗଳା କାଟି ଦେଇଥିଲେ। ବର୍ଷ ଆରମ୍ଭରୁ ଏଭଳି ଏକ ହତ୍ୟାକାଣ୍ଡ ରାଜଧାନୀରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।

ହତ୍ୟା ନୁହେଁ, ମୃତ୍ୟୁ ପାଇଁ ଦାୟୀ
ମାର୍ଚ ୨୮ତାରିଖ। ବାଲିଅନ୍ତା ଥାନା ଅଧୀନ ପାହାଳ ଫାଣ୍ଡି ଅଧୀନରେ ଥିବା ଏକ ମା‌ର୍ବଲ କମ୍ପାନିର ସିକ୍ୟୁରିଟି ଗାର୍ଡ ଗଦାଧର ସ୍ବାଇଁଙ୍କୁ ରୋଷେଇ ଘର ଭିତରେ କେହି ବୀଭତ୍ସ ଭାବେ ହତ୍ୟା କରିଥିଲା। ପୁଲିସ ତଦନ୍ତରୁ ଜଣାପଡ଼ିଥିଲା, ସୁରକ୍ଷା ପାଇଁ ରହିଥିବା ଗଦାଧରଙ୍କୁ ତାଙ୍କର ଜଣେ ଚିହ୍ନା ପରିଚୟ ବ୍ୟକ୍ତି ଦିବାକର ଭୂୟାଁ ଓରଫ ବାବୁନା ହିଁ ହତ୍ୟା କରିଥିଲା। ତେବେ ପୁଲିସ ଏହି ଘଟଣାକୁ ଏବେ ବି ଆତ୍ମହତ୍ୟାର ରୂପ ଦେଉଛି। ବାବୁନାକୁ ପୁଲିସ କୋର୍ଟଚାଲାଣ କରିଛି। କିନ୍ତୁ ହତ୍ୟା ଅଭିଯୋଗ ନୁହେଁ, ବରଂ ଗଦାଧରଙ୍କ ମୃତ୍ୟୁ ପାଇଁ ଦାୟୀ ଅଭିଯୋଗ କରି। ଗଦାଧରଙ୍କ ଏଭଳି ମୃତ୍ୟୁକୁ ତାଙ୍କ ପରିବାର ଲୋକ ଏବେ ବି ସହଜ‌ରେ ଗ୍ରହଣ କରି ପାରୁନାହାନ୍ତି।

ଦୁଷ୍କର୍ମ ପରେ ନାବାଳିକାର ତଣ୍ଟି ଚିପି ଦେଲା
ଏପ୍ରିଲ ୧୨ତାରିଖ। ଜଟଣୀ ଥାନା ଅଧୀନରେ ଘଟିଥିଲା ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଜଣେ ୬ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଥିଲା ଜଣେ ନରପିଶାଚ। ପଡ଼ିଶା ଘରର ଯୁବକ ଆନନ୍ଦ ପ୍ରଧାନ ଘଟାଇଥିଲା ଏଭଳି ନାରକୀୟ କାଣ୍ଡ। ନିର୍ବାଚନ ସମୟ ଥିବାରୁ ବିରୋଧୀ ଦଳଗୁଡ଼ିକ ଏହାକୁ ଏକ ପ୍ରସଙ୍ଗ କରିଥିଲେ। କମିସନରେଟ୍‌ ପୁଲିସ ପକ୍ଷରୁ ଏହି ମାମଲାକୁ ରେଡ୍‌ ଫ୍ଲାଗ୍‌ ମାମଲା ଭାବେ ମଧ୍ୟ ବିବେଚନା କରାଯାଇଥିଲା।

ବୁଦା ମୂଳେ ଫିଙ୍ଗ‌ଦେଲା ଶବ
ଜୁନ୍‌ ୧ ତାରିଖ। ନୂଆପଲ୍ଲୀ ଥାନା ଅଧୀନ ରେଣ୍ଟାଲ କଲୋନି ଅଟାକଳ କର୍ମଚାରୀ ଦିଲ୍ଲୀପ ସାହୁଙ୍କ ତଣ୍ଟି କାଟି ହତ୍ୟା କରାଗଲା। ପୁଲିସ ଏହି ଘଟଣାରେ ପ୍ରକାଶ ଜେନାକୁ ଗିରଫ କରିଛି। କିନ୍ତୁ ଏହି ଘଟଣାରେ ଜଣେ ଯୁବକ ସଂପୃକ୍ତ ଥିବା ବିଶ୍ବାସ ହେଉନାହିଁ। ପ୍ରକାଶ ଏକୁଟିଆ ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କୁ ହତ୍ୟା କରି ହାତ ଗୋଡ଼ ବାନ୍ଧି ପେଟିରେ ଭର୍ତି କରି ଘୋଷାଡ଼ି ଘୋଷାଡ଼ି ନେଇ ଏକ ବୁଦାରେ ଫୋପାଡ଼ି ଦେଲା! ଏଭଳି ଏକ ଘଟଣାକୁ ଦିଲ୍ଲୀପଙ୍କ ପରିବାରଲୋକ ମଧ୍ୟ ବିଶ୍ବାସ କରି ପାରୁ ନାହାନ୍ତି।

‌ବୋମାମାଡ଼ କରି ମାରିଦେଲେ
ଜୁନ ୨ ତାରିଖ। ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହି ସୁନାମି କ୍ଲବ। କ୍ଲବର ସଦସ୍ୟମାନଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଏହି କାରଣରୁ ରିଙ୍କୁ ସ୍ବାଇଁ ନାମକ ଜଣେ ଯୁବକଙ୍କ ଉପରକୁ ବୋମାମାଡ଼ ହୋଇଥିଲା। ଗୁରୁତର ରିଙ୍କୁଙ୍କ କଟକ ବଡ଼ ମେଡିକାଲ‌ରେ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଏହି ଘଟଣାରେ ସନ୍ତୋଷ ରେଡ୍ଡୀ ଓ ବିକ୍ରମ ରେଡ୍ଡୀକୁ ଗିରଫ କରିଛି। ଆହୁରି ୫ରୁ ୭ଜଣ ଯୁବକ ଏବେ ବି ଫେରାର୍‌ ଅଛନ୍ତି।

ଚୋର ସନ୍ଦେହରେ ହତ୍ୟା
ଜୁନ ୧ ତାରିଖ। ନନ୍ଦନକାନନ ଥାନା ଅଧୀନ ପଦାସାହି ଗାଁରେ ମୋବାଇଲ ଚୋର ସନ୍ଦେହ କରି ଦୀପକ ଭୋଇ ନାମକ ଜଣେ ଯୁବକଙ୍କୁ ଅଭିଯୁକ୍ତ ଆରତ ସାମଲ ଓରଫ ଯୋଗୀ ତଣ୍ଟି ଚିପି ମାରି ଦେଇଥିଲା। ସେବେଠାରୁ ଯୋଗୀ ଫେରାର୍‌ ରହିଛି।

‌‌ସୋସିଆଲ୍‌ ମିଡିଆରେ ଭାଇରାଲ୍‌
ଜୁନ୍‌ ୮ ତାରିଖ। ବାଲିଅନ୍ତା ଥାନା ଅଧୀନ ପଞ୍ଚମୁଖୀ ଆପାର୍ଟମେଣ୍ଟ ନିକଟରେ ବଡ଼ଭାଇ ମାମୁନ ରାଉତରାୟ ନିଜ ସାନ ଭାଇ ପ୍ରୀତମ ରାଉତଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଭାଇଗିରି ପାଇଁ ହତ୍ୟା
ଅକ୍ଟୋବର ୨୭ ତାରିଖ। ଏୟା‌ରଫିଲଡ୍‌ ଥାନା ଅଧୀନ କପିଳପ୍ରସାଦରେ ଅମରେଶ ନାୟକ ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କଲେ କେତେକ ଯୁବକ। ଏହି ଘଟଣାରେ ୬ ଜଣଙ୍କୁ ଗିରଫ ହୋଇଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତ ଏବେ ବି ଫେରାର। ଭାଇଗିରି ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ବ୍ରାଉନସୁଗାର ପାଇଁ ଗୁଳି କରିଦେଲା‌
ଗତ ୭ ତାରିଖ। ଖଣ୍ଡଗିରି ଥାନା ଅଧୀନ ବାହାଦଲପୁରରେ ପପୁ ଜେନା ନାମକ ଜଣେ ଯୁବକକୁ ବ୍ରାଉନସୁଗାର କାରବାର ପାଇଁ ବାପି, ହାପି ଓ ଆଲୋକ ନାମକ ୩ଜଣ ଯୁବକ ଗୁଳି କରି ହତ୍ୟା କରିଥିଲେ। ଏଥିରେ ପପୁଙ୍କ ବାପା ଅଭିମନ୍ୟୁ ମଧ୍ୟ ଗୁରୁତର ହୋଇଥିଲେ।

ସମ୍ବନ୍ଧିତ ଖବର