ଭୁବନେଶ୍ବର : ରାଜଧାନୀରେ ଅପରାଧୀମାନେ ବେଫିକର ହୋଇଗଲେଣି। କମିସନରେଟ୍‌ ପୁଲିସକୁ ତିଳେ ହେଲେ ଖାତିର କରୁନାହାନ୍ତି। ରାତି କ’ଣ, ଦିନ ବେଳା ବି ଜନଗହଳିପୂର୍ଣ୍ଣ ସ୍ଥାନରେ ଅପରାଧ ଘଟାଇବାକୁ ପଛାଉନାହାନ୍ତି ଅପରାଧୀ। ଫଳରେ ଏବେ ବହୁ ସମୟରେ ରାଜଧାନୀର ରାଜରାସ୍ତା ରକ୍ତରଞ୍ଜିତ ହୋଇପଡ଼ୁଛି। ବିଶେଷକରି ରାତ୍ରି କର୍ମଚାରୀମାନେ (ବିଭିନ୍ନ ସଂସ୍ଥାରେ ରାତିରେ କାମ କରୁଥିବା ମହିଳା ଓ ପୁରୁଷ କର୍ମଚାରୀ) ଆତଙ୍କିତ ଅବସ୍ଥାରେ। ଜୀବନକୁ ପାଣି ଛଡ଼େଇ ସେମାନେ କର୍ମକ୍ଷେତ୍ରରୁ ଘରକୁ ଫେରୁଛନ୍ତି। ରାସ୍ତାରେ ପ୍ରତିଟି ମୁହୂର୍ତ୍ତରେ ମନରେ ରହୁଛି ଦୁର୍ବୃତ୍ତଙ୍କ ଭୟ। ଗତ କିଛି ମାସର ଘଟଣାବଳୀକୁ ଲକ୍ଷ୍ୟ କଲେ, ରାତିର ରାଜଧାନୀ ଯେ ଦିନକୁ ଦିନ ଅପରାଧୀଙ୍କ କବ୍‌ଜାକୁ ଚାଲି ଯାଉଛି ବୋଲି ଜଳଜଳ ହୋଇ ଦେଖାଯାଉଛି।

Advertisment

ବହୁଚର୍ଚ୍ଚିତ ମନୀଷ ଅନୁରାଗଙ୍କ ହତ୍ୟାକାଣ୍ଡ ମାମଲାରୁ ସ୍ପଷ୍ଟ ହୋଇଥିଲା, ରାତିର ରାଜଧାନୀ କେତେ ଭୟଙ୍କର। କଟକଣାକୁ ବେଖାତିର କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ପାତ୍ରପଡ଼ାସ୍ଥିତ ସାଉଥ୍‌ସିଟି ବାର୍‌ ଖୋଲା ରହିଥିଲା। ବାର୍‌ରେ ଚାଲିଥିଲା ମଦ ଆସର। ଫଳରେ ଘଟିଗଲା ଏକ ଅଘଟଣ ଓ ଚାଲିଗଲା ମନୀଷଙ୍କ ଜୀବନ। ପରିତାପର କଥା, ବେଆଇନ ଭାବେ ଏହି ବାର୍‌ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁ ରହିବା ପଛରେ ଥିଲା ପୁଲିସ କର୍ମଚାରୀଙ୍କ ପ୍ରଚ୍ଛନ୍ନ ହାତ। ତମାଣ୍ଡୋ ଥାନାରୁ ମାତ୍ର କିଛି ଦୂରରେ ଥିବା ଏହି ବାର୍‌ ପୁଲିସ କଟକଣାକୁ ନମାନି ଖୋଲା ରହୁଥିବା ବେଳେ ଥାନା ବି ଥିଲା ନିରବଦ୍ରଷ୍ଟା। ଗତ ୨୬ ତାରିଖରେ ରସୁଲଗଡ଼ ଛକ ନିକଟରେ ଘଟିଥିଲା ଅନ୍ୟ ଏକ ଜଘନ୍ୟକାଣ୍ଡ। ଜଣେ କର୍ମଜୀବୀ ଯୁବତୀଙ୍କୁ ବିଚ୍ ରାସ୍ତାରେ ଗଡ଼ାଇ ତଡ଼ାଇ ଆକ୍ରମଣ ଓ ଅସଦାଚରଣ କରାଗଲା। ସନ୍ଧ୍ୟା ସମୟରେ ଶହଶହ ଲୋକଙ୍କ ସମ୍ମୁଖରେ ଦୁର୍ବୃତ୍ତଜଣକ ଏଭଳି ଅମାନୁଷିକ କାଣ୍ଡ କରୁଥିଲେ ବି କେହି ମୁହଁ ଖୋଲିନଥିଲେ। ପୁଲିସର ଖବରି ବ୍ୟବସ୍ଥା ଏତେ ଦୃଢ଼ ଯେ ପ୍ରାୟ ଅଧକଣ୍ଟା କାଳ ଏହି ଅଘଟଣ ଘଟୁଥିଲେ ବି ପୁଲିସ ପତ୍ତା ପାଇନଥିଲା। ରାଜଧାନୀରେ ଏହି ଘଟଣା ଗଭୀର ଆଲୋଡ଼ନ ସୃଷ୍ଟି କରିଥିଲା। କାରଣ ମାତ୍ର ଶହେ ମିଟର ଦୂରରେ ଥିଲା ମଞ୍ଚେଶ୍ବର ଥାନା। ଅଥଚ ପୁଲିସ ଘଟଣା ସମ୍ପର୍କରେ ସୁରାକ୍ ପାଇ ନଥିଲା। ସେହିଭଳି ଗତ ୨୧ ତାରିଖ‌ରେ ଜନଗହଳିପୂର୍ଣ୍ଣ ପ୍ରିୟଦର୍ଶିନୀ ମାର୍କେଟରେ ଘଟିଥିଲା ଅନ୍ୟ ଏକ ଘଟଣା। ଲକ୍ଷ୍ମୀପୂଜା ମଣ୍ଡପ ନିକଟରେ ଜଣେ ଯୁବକଙ୍କୁ ହୋଇଥିଲା ମରଣାନ୍ତକ ଆକ୍ରମଣ। ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

publive-image

ବଡ଼ କଥା ହେଉଛି ଜଣେ ପୁଲିସ କର୍ମଚାରୀଙ୍କ ପୁଅ ଦ୍ବାରା ପରିଚାଳିତ ଏକ କୁଖ୍ୟାତ୍‌ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଏହି ଆକ୍ରମଣ କରିଥିଲେ। ଏହି ଗ୍ୟାଙ୍ଗ୍‌ର କାରନାମା ଏତିକିରେ ସରି ନାହିଁ। ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍‌ କରି ଏହି ଗ୍ୟାଙ୍ଗ୍‌ ଏବେ ଏକ ଭିଡିଓ ଭାଇରାଲ୍ କରିଛି। ଭିଡିଓରେ ଗ୍ୟାଙ୍ଗ୍‌ର ୧୫ରୁ ଅଧିକ ସଦସ୍ୟ ବିଭିନ୍ନ ମାରଣାସ୍ତ୍ର ଧରି ରାଜଧାନୀର ରାଜରାସ୍ତାରେ ବୁଲୁଛନ୍ତି। ବନ୍ଧୁକ, ଖଣ୍ଡା, କଟୁରି, ଭୁଜାଲି ଭଳି ଭୟଙ୍କର ମାରଣାସ୍ତ୍ର ଧରି ବୀରଦର୍ପରେ ଚାଲୁଛନ୍ତି। ଏହି ଦୃଶ୍ୟ ଦେଖିଲେ, ଲାଗୁଛି ସତେ ଯେମିତି କମିସନରେଟ୍‌ ପୁଲିସ ବୋଲି କିଛି ନାହିଁ ରାଜଧାନୀରେ। ସେହିପରି ରାଜଧାନୀର କେନ୍ଦ୍ର ମାଷ୍ଟରକ୍ୟାଣ୍ଟିନ ଛକ ଉପରେ ଗତ ଜୁଲାଇ ୨୬ରେ ହୋଇଥିଲା ଆଉ ଏକ ସଂଘବଦ୍ଧ ଆକ୍ରମଣ। ସ୍ଥାନୀୟ ଦୁର୍ବୃତ୍ତମାନେ ତିନି ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ, ପୁଣି ଶହ ଶହ ଲୋକଙ୍କ ଉପସ୍ଥିତିରେ। ଘଟଣାସ୍ଥଳରୁ ମାତ୍ର କେଇ ଗଜ ଦୂରରେ ଥିଲେ ପୁଲିସ କର୍ମଚାରୀ। ଏହା ପୂର୍ବରୁ ବି ଘଟିଛି ଆହୁରି କିଛି ରକ୍ତାକ୍ତ କାହାଣୀ।

ତେବେ ପ୍ରଶ୍ନ ଉଠୁଛି ଏମିତି କିଭଳି ହେଉଛି। ଅପରାଧୀମାନେ ପୁଲିସକୁ ଡରୁନାହାନ୍ତି କାହିଁକି? ରାଜରାସ୍ତାରେ ଘଟୁଥିବା ଅପରାଧକୁ ପୁଲିସ କାହିଁକି ରୋକିପାରୁନି? ଅପରାଧୀମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ବିଚ୍ ରାସ୍ତାରେ ଅପରାଧ ଘଟାଉଥିବା ବେଳେ ପୁଲିସ କେମିତି ଟେର୍ ପାଉନି? କେଉଁଠି ରହୁଛି ଦୋଷଦୁର୍ବଳତା? ଅପାରଗ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଏଭଳି ଘଟଣା ବଢ଼ି ଚାଲିଛି କି? ପୁଲିସର ଜୋର୍‌ଦାର କାର୍ଯ୍ୟାନୁଷ୍ଠାନ ଅଭାବରୁ ଅପରାଧୀ ଗ୍ୟାଙ୍ଗ୍‌ ସକ୍ରିୟ ହେଉଛନ୍ତି କି? ଏଭଳି ପ୍ରଶ୍ନ ସାଧାରଣରେ ଅସନ୍ତୋଷ ସୃଷ୍ଟି କରୁଥିବା ବେଳେ ରାତିରେ ବ୍ଲକିଂ ଓ ପାଟ୍ରୋଲିଂ ଜାରି ରହିଛି ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାଶ।

ଅପରାଧୀଙ୍କ ହାତରେ ଭୟଙ୍କର ମାରଣାସ୍ତ୍ର
ଏବେ ଅପରାଧୀମାନଙ୍କ ହାତରେ ଦେଖିବାକୁ ମିଳୁଛି ଭୟଙ୍କର ହତିଆର। ପୂର୍ବରୁ ବନ୍ଧୁକ, ଭୁଜାଲି, ଖଣ୍ଡା ବା କଟୁରି ଦେଖିବା‌କୁ ମିଳୁଥିଲା। ମାତ୍ର ଏବେ ତେଲେଙ୍ଗା ଖଣ୍ଡା, ଦକ୍ଷିଣୀ କଟୁରି ଭଳି ବିଭିନ୍ନ ଭୟଙ୍କର ଆକୃତିର ମାରଣାସ୍ତ୍ର ଦେଖିବାକୁ ମିଳୁଛି। ସେହିଭଳି ରାଉଡି ରାଠୋର୍‌ ଫିଲ୍ମରେ ବ୍ୟବହାର ହୋଇଥିବା ସାଇକେଲ ଚେନ୍ ଓ ଚକରେ ତିଆରି ଅସ୍ତ୍ରଶସ୍ତ୍ର ମଧ୍ୟ ଅପରାଧୀମାନେ ଧରୁଥିବା ଦେଖାଯାଉଛି।

କେମିତି ଚାଲିଛି ରାତ୍ରକାଳୀନ ପାଟ୍ରୋଲିଂ?
ରାଜଧାନୀ ରାଜରାସ୍ତାରେ କେମିତି ଚାଲିଛି ରାତ୍ରକାଳୀନ ପାଟ୍ରୋଲିଂ? କିଛି ଦିନ ତଳେ ସ୍ଥିତି ପରଖିବା ପାଇଁ ‘ସମ୍ବାଦ’ ଟିମ୍ ବିଭିନ୍ନ ପ୍ରମୁଖ ଛକ, ରାସ୍ତା ବୁଲି ଦେଖିଥିଲା। ହାତଗଣତି କେତୋଟି ଛକକୁ ଛାଡ଼ି ଦେଲେ ବାକି ସ୍ଥାନରେ ପିସିଆର ଭ୍ୟାନର ଚିହ୍ନବର୍ଣ୍ଣ ଦେଖିବାକୁ ମିଳି ନ ଥିଲା। ରାଜରାସ୍ତାରେ ମଦ୍ୟପ, ଅସାମାଜିକଙ୍କ ଆଡ଼ା ଦେଖିବାକୁ ମିଳିଥିଲା। କେବଳ ଅପରାଧୀ ନୁହେଁ, ଚୋର, ଲୁଟେରା ମଧ୍ୟ ଗତ କିଛି ମାସ ହେଲା ରାଜଧାନୀରେ ବେଶ୍ ଆତଙ୍କ ଖେଳାଇଛନ୍ତି।

ରାତି ୧୦ ବାଜିଲେ ଥାନା ଛାଡ଼ୁଛନ୍ତି ଆଇଆଇସି!
ହାତଗଣତି କେତେକ ଥାନାକୁ ବାଦ୍ ଦେଲେ ବାକି ସବୁ ଥାନାରେ ରାତି ୧୦ ବାଜିଲେ ଆଇଆଇସି ରହୁନାହାନ୍ତି। ଏପରିକି ଅନେକ ସମୟରେ ଫୋନ୍ କଲେ ସେଣ୍ଟ୍ରି ଉଠାଉଛନ୍ତି। ଆଇଆଇସିଙ୍କ କଥା ପଚାରିଲେ ବାହାରକୁ ଯାଇଥିବା କହୁଛନ୍ତି। କେତେବେଳେ ଫେରିବେ ତାହାର ଉତ୍ତର ମଧ୍ୟ ଦେଇପାରୁ ନାହାନ୍ତି। ପୂର୍ବରୁ ମଧ୍ୟ ଏମିତି ଅଭିଯୋଗ ଆସିଛି। ବରିଷ୍ଠ ଅଧିକାରୀଙ୍କ ତାଗିଦ୍ ରହୁ ନ ଥିବାରୁ ଏପରି ସ୍ଥିତି ହେଉଥିବା କୁହାଯାଉଛି।

କିଛି ଦିନ ମଧ୍ୟରେ ରାଜରାସ୍ତାରେ ଘଟିଥିବା ବଡ଼ ଘଟଣା
୨୬/୭: ମାଷ୍ଟରକ୍ୟାଣ୍ଟିନ୍ ଛକରେ ସ୍ପଷ୍ଟ ଦିବାଲୋକରେ ୩ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ।
୨୬/ ୯: ସ୍ବିଗି ବୟ ସୁପ୍ରଭାସ ମାନ୍ଧାତା ଓ ତାଙ୍କ ଭାଇ ସୌମ୍ୟରଞ୍ଜନଙ୍କୁ ଫାୟାର ଷ୍ଟେସନ ଛକରେ ମରଣାନ୍ତକ ଆକ୍ରମଣ। ୩ ଗିରଫ, ୬ ଫେରାର୍।
୯/୧୦: ପାତ୍ରପଡ଼ା ସାଉଥ୍ ସିଟି ବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିଥିବା ବେଳେ ସେଠାରୁ ଗଣ୍ଡଗୋଳର ସୂତ୍ରପାତ ହୋଇ ମନୀଷ ଅନୁରାଗଙ୍କୁ ସଂଘବଦ୍ଧ ଭାବେ ହତ୍ୟା।
୨୧/୧୦: ପ୍ରିୟଦର୍ଶିନୀ ମାର୍କେଟରେ ଜଣେ ଯୁବକଙ୍କୁ ୧୫ରୁ ଅଧିକ ଯୁବକ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ, ୩ ଗିରଫ ହୋଇଛନ୍ତି, ୧୦ରୁ ଅଧିକ ଫେରାର ଅଛନ୍ତି।
୨୩/୧୦: ବଡ଼ଗଡ଼ ଚିଲିପୋଖରୀ ନିକଟରେ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, କେହି ଗିରଫ ହୋଇ ନାହାନ୍ତି।
୨୬/୧୦: ରସୁଲଗଡ଼ ଛକରେ ଡ୍ୟୁଟି ସାରି ଫେରୁଥିବା ଯୁବତୀଙ୍କୁ ରାସ୍ତାରେ ମରଣାନ୍ତକ ଆକ୍ରମଣ ସହ ଅସଦାଚରଣ।
୨୯/୧୦: ଖାରବେଳନଗର ଶାନ୍ତିନଗର ବସ୍ତିରେ ଚୋରି ମୋବାଇଲ ଫୋନ ଧରିବାକୁ ଯାଇଥିବା ପୁଲିସ ଟିମ୍ ଉପରେ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା।