ଜଟଣୀ: ସ୍ଥାନୀୟ ଅଞ୍ଚଳରେ ଘରୋଇ ଶିକ୍ଷାନୁଷ୍ଠାନ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହେଲେ ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉ ନାହିଁ। ଅଧିକାଂଶ ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ଅଗ୍ନିକାଣ୍ଡ ଘଟିଲେ ଛାତ୍ରଛାତ୍ରୀଙ୍କୁ କିପରି ଉଦ୍ଧାର କରାଯିବ ତାକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକର ରୁପାନ୍ତରୀକରଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବହୁ ସରକାରୀ ବିଦ୍ୟାଳୟଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ ନାହିଁ। ସେଭଳି ଆକସ୍ମିକ ଅଘଟଣ ବେଳେ ଅଗ୍ନି ନିର୍ବାପକ ଯନ୍ତ୍ର ହିଁ ବହୁ କାମରେ ଲାଗିବା କଥା। ହେଲେ ଏଗୁଡ଼ିକର ସ୍ଥିତି ପରଖିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ନିୟମିତ ଭାବେ ଯାଞ୍ଚ କରାଯାଉ ନାହିଁ।
ନିୟମିତ ଯାଞ୍ଚ କରୁନି ଅଗ୍ନିଶମ ବିଭାଗ
ନିୟମ ଅନୁସାରେ ଏକ ନୂତନ ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ଅଗ୍ନିଶମ ବିଭାଗ ନିକଟରୁ ପ୍ରମାଣପତ୍ର ଆଣିବାକୁ ପଡ଼ିଥାଏ। କିନ୍ତୁ ହାତଗଣତି କେତୋଟି ଶିକ୍ଷାନୁଷ୍ଠାନକୁ ଛାଡ଼ିଦେଲେ ବାକି ସଂସ୍ଥା ଗୁଡ଼ିକ ବିନା ଅଗ୍ନି ନିର୍ବାପକ ପ୍ରମାଣପତ୍ରରେ ଚାଲିଛି। ଓଡ଼ିଶା ଅଗ୍ନି ସୁରକ୍ଷା ଓ ଅଗ୍ନି ନିରାପତ୍ତା ନିୟମାବଳୀ-୨୦୧୭ ଓ ସଂଶୋଧିତ ନିୟମାବଳୀ-୨୦୧୯ର ନିୟମ ୩ ଅନୁଯାୟୀ, ଯେଉଁ ଶିକ୍ଷାନୁଷ୍ଠାନ ଗୁଡ଼ିକର ଗୃହର ଉଚ୍ଚତା ୧୨ ମିଟର ବା ତଦୁର୍ଦ୍ଧ୍ବ କିମ୍ବା ତିନି ମହଲା ବିଶିଷ୍ଟ ହୋଇଥିବ ଉକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ହାସଲ କରିବା ବାଧ୍ୟତାମୂଳକ। କିନ୍ତୁ କିଛି ବେସରକାରୀ ସ୍କୁଲ୍ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କଠାରୁ ମାସିକ ହଜାର ହଜାର ଟଙ୍କା ଆଦାୟ କରୁଥିବା ବେଳେ ପିଲାଙ୍କ ସୁରକ୍ଷା ଦିଗରେ ଆଖିବୁଜି ଦେଇଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ନିୟମ ଉଲଂଘନ କରୁଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନୋଟିସ୍ କରାଗଲେ ମଧ୍ୟ ଏହାକୁ କେହି ଖାତିର କରୁ ନଥିବା କୁହାଯାଇଛି।
ସୂଚନା ଥାଉକି, ୨୦୨୯ ରେ ଗୁଜରାଟର ସୁରଟରେ ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୨ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ରାଜ୍ୟ ଅଗ୍ନିଶମ ବିଭାଗ ତତ୍ପରତା ଦେଖାଇ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ କୋଚିଂ ସେଣ୍ଟର ଆଦିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା। ହେଲେ ବିଗତ କିଛି ହେଲା ଯାଞ୍ଚ ଶିଥିଳ ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଏ ନେଇ ଜଟଣୀ ଅଗ୍ନିଶମ ବିଭାଗର ଅଧିକାରୀ ଲକ୍ଷ୍ମଣ ବେହେରା କହିଛନ୍ତି ଯେ, ଆମର ଟିମ୍ ଗତ ଦୁଇ ବର୍ଷ ତଳେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ। ଆଗକୁ ମଧ୍ୟ ଯାଞ୍ଚ କରାଯିବ। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।