ଢେରା ସମ୍ଭାଳିବ ତ! ବର୍ଷେ ହେଲା ସଜାଡ଼ିବାକୁ ସମୟ ହେଲାନି

ଭୁବନେଶ୍ବର : ବାତ୍ୟା ଫନି ରାଜଧାନୀରେ ତାଣ୍ଡବ ରଚିବାକୁ ବର୍ଷେ ବିତିଛି। ଫନିର କ୍ଷତ ଏବେ ବି ଅନେକଙ୍କ ମନରୁ ସଂପୂର୍ଣ୍ଣ ଲିଭିନି। ପ୍ରାୟ ବର୍ଷକ ପରେ ଏବେ ଅମ୍ଫାନ ଭୟ ଲୋକଙ୍କୁ ଘାରିଲାଣି। ଫନିରେ ଭାଙ୍ଗି ଯାଇଥିବା ଘରକୁ କିଏ ଅଧା ସଜାଡ଼ିଛି ତ କେଉଁଠି ବିଦ୍ୟୁତ ଖୁଣ୍ଟକୁ ଢେରା ଦେଇ ସେସୁ ପଳାଇଛି। ବହୁ ବିଦ୍ୟୁତ ଖୁଣ୍ଟ ଏବେବି ନଇଁକି ରହିଛି। ଏପରିକି ବନ ବିଭାଗ ବହୁ ଗଛକୁ ଢେରା ଦେଇ ଛାଡ଼ି ଦେଇଛି। ଅମ୍ଫାନ ପ୍ରଭାବରେ ଯଦି ରାଜଧାନୀରେ ୭୦ରୁ ୮୦ କିମି ବେଗରେ ପବନ ବହିଲା, ତେବେ ଏଗୁଡ଼ିକର ଅବସ୍ଥା କ’ଣ ହେବ?

ବାତ୍ୟା ଫନି ପରେ ରାଜଧାନୀକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ଯଥାସମ୍ଭବ ଉଦ୍ୟମ କଲା। ବହୁତ କମ୍‌ ଦିନରେ ରାଜଧାନୀକୁ ସ୍ବାଭାବିକ କରିଦେଲେ। ଯେଉଁଠି ନିତାନ୍ତ ଆବଶ୍ୟକ ଥିଲା ସେଠାରେ ବିଦ୍ୟୁତ ଖୁଣ୍ଟ ପୋତିଲେ। କିନ୍ତୁ ଅଧିକାଂଶ ସ୍ଥାନରେ ଖୁଣ୍ଟ ମୂଳରେ କଙ୍କ୍ରିଟ ଦେଲେନି। ଯେଉଁଠି କଙ୍କ୍ରିଟ ସହ ଖୁଣ୍ଟ ଉପୁଡ଼ି ଯାଇଥିଲା ତାକୁ ସେମିତି ମାଟିରେ ପୋତି ଦେଲେ। କେବଳ ଏତିକି ନୁହେଁ, ଅଧା ନଇଁଯାଇଥିବା ବହୁ ଖୁଣ୍ଟକୁ ସେମିତି ଛାଡ଼ିଦେଲେ। ସେତେବେଳେ କେହି ବିରୋଧ କଲେନି। କାରଣ ରାଜ୍ୟର ଅଧିକାଂଶ ସ୍ଥାନରେ କାମ ହେଉଥିବାରୁ ଯାହା ନିତାନ୍ତ ଆବଶ୍ୟକ ଥିଲା, ତାହା ହୋଇଗଲା। ହେଲେ ତାହା ପରେ ଖୁଣ୍ଟ ମୂଳରେ ଆଉ କଙ୍କ୍ରିଟ ଦିଆଗଲାନି କି ଅଧା ନଇଁ ଯାଇଥିବା ଖୁଣ୍ଟକୁ ବଦଳାଇ ସେଠାରେ ନୂଆ ଖୁଣ୍ଟ ଲାଗିଲାନି। ଯେଉଁ ବିଦ୍ୟୁତ୍‌ ଖୁଣ୍ଟକୁ ଛିଡ଼ା କରିବା ପାଇଁ କାଠ ଢେରା ଦିଆଯାଇଥିଲା ସେ ଢେରାକୁ ବି କଢ଼ା ହେଲାନି। ତେଣୁ ଅମ୍ଫାନର ଟିକିଏ ଝଟ୍‌କା ଯେ ରାଜଧାନୀରେ ବହୁ କ୍ଷତି କରିଦେବ ସେଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର