ଅସୁରକ୍ଷିତ ଓୟୁଏଟି କଲୋନି : ଭଙ୍ଗା କୋଠାରେ ବିତୁଛି ଜୀବନ

ଭୁବନେଶ୍ବର : ଘର କାନ୍ଥରେ ଚରିଗଲାଣି ବରଗଛ। ଛାତ ତଳୁ ଅତଡ଼ା ଖସି ଝୁଲିଲାଣି ବିପଦର ଫାଶ। କେବେ ରୋଷେଇ କରୁକରୁ ଅତଡ଼ା ଖସି ତେଲ କଡ଼େଇରେ ପଡ଼ୁଛି ତ ପୁଣି କେବେ ଉପର ତାଲାର ମଳ ପାଣି ତଳ ତାଲାକୁ ଭସଭସ ହୋଇ ବୋହୁଛି। ଏହା ଆମେ କହୁନୁ, ଓୟୁଏଟି କଲୋନିର ମାଳମାଳ କୋଠା ହିଁ ଏହା ବୟାନ କରୁଛି। ୫ ବର୍ଷ ହେଲା କୋଠା ଦାୟିତ୍ବରେ ଥିବା ଓୟୁଏଟିର ଅଧିକାରୀଙ୍କ ପାଖକୁ ଦୌଡ଼ିଦୌଡ଼ି ନୟାନ୍ତ ହେଉଥିବା କଲୋନି ବାସିନ୍ଦାମାନେ ବାସ ଜନିତ ଦୁଃଖକୁ ଏପରି ଢଙ୍ଗରେ ବଖାଣିଛନ୍ତି। କୋଠାରେ ରହିଛନ୍ତି ସିନା କିନ୍ତୁ ଡରିମରି ଦିନ କାଟିବାକୁ ପଡ଼ୁଛି ବୋଲି କଲୋନିର କିଛି ବାସିନ୍ଦା କହିଛନ୍ତି।

ସ୍ମାର୍ଟ ସିଟିରେ ଏହିଭଳି ଅସୁରକ୍ଷିତ ସରକାରୀ କ୍ବାର୍ଟରରେ ଅନେକ ଭାଗ୍ୟକୁ ଆଦରି ପଡ଼ି ରହିଥିଲେ ହେଁ ସଭିଏଁ ନିରବଦ୍ରଷ୍ଟା ସାଜିଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଯେଉଁ କୋଠାଗୁଡ଼ିକୁ ଅସୁରକ୍ଷିତ ବୋଲି ଘୋଷଣା କରାଯାଇସାରିଛି ସେଗୁଡ଼ିକୁ ଏପର୍ଯ୍ୟନ୍ତ ଉଚ୍ଛେଦ କରାଯାଉନାହିଁ। ଅର୍ଥାତ ଅସୁରକ୍ଷିତ ୩ ତାଲା ବିଲ୍‌ଡିଂ ନିକଟକୁ ଲାଗି ରହିଥିବା କ୍ବାର୍ଟରରେ ରହୁଥିବା ଲୋକେ ଆଶଙ୍କାରେ ଦିନ କାଟୁଛନ୍ତି। କିଛି କୋଠା ଅସୁରକ୍ଷିତ ହୋଇପଡ଼ିଥିବାରୁ ସେ କୋଠାଗୁଡ଼ିକ ଗୁହାଳରେ ପରିଣତ ହୋଇଛି ତ କୋଉଠି ଭୂତ କୋଠି ସଦୃଶ ଦୃଶ୍ୟମାନ ଏହି ଭଙ୍ଗା କୋଠାଗୁଡ଼ିକ ଅସମାଜିକ ବ୍ୟକ୍ତିମାନଙ୍କ ପାଇଁ ନିଶା ସେବନର ଖୋଲା ପେଣ୍ଠ ପାଲଟିଛି।

ଓୟୁଏଟିର ଡିରେକ୍ଟୋରେଟ୍‌ ଅଫ୍ ଫିଜିକାଲ୍‌ ପ୍ଲାଣ୍ଟ୍‌ର ଜଣେ ଅଧିକାରୀଙ୍କ କହିବା ମୁତାବକ, ଓୟୁଏଟି କଲୋନିରେ ପାଖାପାଖି ୬୦୦ କ୍ବାର୍ଟର ରହିଛି। ସେଗୁଡ଼ିକ ୫୦ ବର୍ଷରୁ ଅଧିକ ପୁରୁଣା। ତେବେ ଯେଉଁ କ୍ବାର୍ଟରରେ ଲୋକେ ରହୁଛନ୍ତି ସେଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ସେଇ ଅଧିକାରୀ ଜଣକ ସ୍ବୀକାର କରିଥିଲେ ହେଁ ଅସୁରକ୍ଷିତ ବୋଲି ସେଗୁଡ଼ିକୁ କୁହାଯାଇ ପାରିବନି ବୋଲି କହିଛନ୍ତି। ଯେଉଁ ନିର୍ଦିଷ୍ଟ କୋଠାଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ନେଇ ଅଭିଯୋଗ ପାଉଛୁ ସେଗୁଡ଼ିକର ଖର୍ଚ ପ୍ରସ୍ତୁତ କରି ଓୟୁଏଟିକୁ ପଠାଇ ଦିଆଯାଇଛି। ଅର୍ଥ ଆସିଲେ ‌କାମ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ତେବେ କ୍ବାର୍ଟରରେ ରହୁଥିବା ଜଣେ ବାସିନ୍ଦାଙ୍କ କହିବା ମୁତାବକ, ୫ ବର୍ଷ ହେଲା ଦୌଡ଼ିବା ପରେ ମଧ୍ୟ ଘର ମରାମତି କରାଯାଉନାହିଁ। ଏପରିକି କେତେକ ସ୍ଥାନରେ ଉପର ମହଲା ଘର ପିଲର ତଥା ସ୍ତମ୍ଭଗୁଡ଼ିକ ଭାଙ୍ଗି ଯାଇଥିଲେ ହେଁ ଏଥିପ୍ରତି ଦୃଷ୍ଟି ଦିଆଯାଉନି।

ତେବେ ଏନେଇ ଓୟୁଏଟିର କୁଳପତି ଡ. ପୱନ କୁମାର ଅଗ୍ରୱାଲ କହିଛନ୍ତି, ଚଳିତ ବର୍ଷ ଓୟୁଏଟିର କୋର୍‌ ପାଣ୍ଠିରୁ କିଛି କ୍ବାର୍ଟରର ମରାମତି କାମ କରାଯାଉଛି। ଯେଉଁମାନେ ଅଭିଯୋଗ ଦେଇଛନ୍ତି ସେଇ ଅନୁସାରେ କିଛି କିଛି କାମ କରାଯାଇଛି ବୋଲି ଡ. ଅଗ୍ରୱାଲ୍‌ କହିଛନ୍ତି। ଯେଉଁ କୋଠାଗୁଡ଼ିକ ଅସୁରକ୍ଷିତ ବୋଲି ଘୋଷଣା ସରିଛି ସେଗୁଡ଼ିକୁ ଦୀର୍ଘଦିନ ଧରି ଭଙ୍ଗା ନଯିବା ଭବିଷ୍ୟତରେ ବିପଦକୁ ଡାକି ଆଣିବାର ଯଥେଷ୍ଟ ସମ୍ଭାବନା ରହିଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। କେବଳ ଓୟୁଏଟି ନୁହେଁ, ସହରର ଅନେକ ସ୍ଥାନରେ କୋଠା ଅସୁରକ୍ଷିତ ଭାବେ ପଡ଼ି ରହିଥିଲେ ମଧ୍ୟ ସେଥିପ୍ରତି ନଜର ନାହିଁ କି ଏ ସମ୍ପର୍କରେ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉନାହିଁ। ଏମିତି ବି ପୁରୁଣା କୋଠାଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ଅସୁରକ୍ଷିତ ଘୋଷଣା କରିବା କ୍ଷମତା ବିଏମ୍‌ସିର ରହିଛି। ଏଇ ଦୃଷ୍ଟିରୁ ପୂର୍ବରୁ ୨୦୧୨ ମସିହାରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ବିଏମ୍‌ସି ପକ୍ଷରୁ ନିର୍ବାହୀ ଯନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏ ସମ୍ପର୍କିତ ରିପୋର୍ଟ ମଧ୍ୟ ଆସି ସାରିଛି। ମାତ୍ର ରିପୋର୍ଟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

୨୦୧୪ ମସିହା ମେ ୨୧ ତାରିଖରେ ହୋଇଥିବା ଭୂମିକମ୍ପ ପରେ ସହରର କିଛି କୋଠାରେ ଫାଟ ସୃଷ୍ଟି ହୋଇଥିଲା। ରାଜ୍ୟ ସରକାର ଆଇଆଇଟି ଭୁବନେଶ୍ବର, ଭାରତୀୟ ପାଣିପାଗ ବିଭାଗ, ଭାରତୀୟ ଭୂବିଜ୍ଞାନ ବିଶେଷଜ୍ଞଙ୍କୁ ନେଇ ଏକ ବୈଷୟିକ କମିଟି ଗଠନ କରିଥିଲେ। ଏହାର ରିପୋର୍ଟ ମଧ୍ୟ ଦାଖଲ ସରିଛି। କିନ୍ତୁ ୬ ବର୍ଷ ହେଲା ସେସବୁ ରିପୋର୍ଟ ନାଲି ଫିତା ତଳେ ରହିଯାଇଛି। ଏହା ପରଠୁ ନା ଆଉ ବୈଷୟିକ କମିଟି ଗଠନ ହୋଇଛି ନା ଅସୁରକ୍ଷିତ କୋଠାକୁ ନେଇ କୌଣସି ଚିନ୍ତା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର