କ୍ୱାର୍ଟର୍ସ ନା ଭୂତକୋଠି! : ଶିକ୍ଷକ, କର୍ମଚାରୀଙ୍କୁ ମିଳୁନି ଘର, ଖର୍ଚ୍ଚ ହେଉନି ମରାମତି ପାଇଁ ଆସିଥିବା ଟଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ପିଲାଙ୍କ ଭବିଷ୍ୟତ ନିର୍ମାଣ କରୁଥିବା ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ କ୍ୟାମ୍ପସ ମଧ୍ୟରେ ରହିବା ପାଇଁ କ୍ୱାର୍ଟର୍ସ ମିଳୁନି। ପୁରୁଣା କ୍ୱାର୍ଟର୍ସଗୁଡ଼ିକ ମରାମତି ଅଭାବରୁ ଭୂତକୋଠି ପାଲଟି ଥିବା ବେଳେ ମରାମତି ପାଇଁ ଆସିଥିବା ଟଙ୍କା ଖର୍ଚ୍ଚ ହୋଇ ନ ପାରି ପଡ଼ି ରହିଛି। ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର ମୂଲ୍ୟବାନ ଜମିକୁ ହଡ଼ପ କରାଯିବାକୁ ନିୟମିତ ଉଦ୍ୟମ ଚାଲିଥିଲା ବେଳେ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛନ୍ତି। ଏହାରି ମଧ୍ୟରେ ବିଶ୍ୱବିଦ୍ୟାଳୟର ଶିକ୍ଷା ବାଟବଣା ହୋଇଛି। ଅନ୍ୟପକ୍ଷରେ, ୨୦୧୬ ମସିହାରେ ନାକ୍‌ ‘ଏ+’ ଗ୍ରେଡ୍‌ ହାସଲ କରିଥିବା ଏହି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନେଇ ପ୍ରଶ୍ନ ଉଠିଛି।

୧୯୬୧ ଓ ୧୯୮୫ ମସିହାରେ ଶିକ୍ଷକଙ୍କ ଲାଗି ୧୧୯ଟି ଓ କର୍ମଚାରୀଙ୍କ ପାଇଁ ପ୍ରାୟ ୪୦୦ଟି କ୍ୱାର୍ଟର୍ସ ନିର୍ମାଣ କରାଯାଇଥିଲା। ଶିକ୍ଷକଙ୍କ ପାଇଁ ଥିବା ୧୧୯ଟି କ୍ୱାର୍ଟର୍ସ ମଧ୍ୟରୁ ଏବେ ୪୨ଟି ଖାଲି ପଡ଼ିଛି। ସେଥିରେ କେହି ରହୁନାହାନ୍ତି। ଏସବୁ କ୍ୱାର୍ଟର୍ସ ଏକପ୍ରକାର ଭୂତକୋଠି ପାଲଟିଛି। କର୍ମଚାରୀଙ୍କ ପାଇଁ ଥିବା କ୍ୱାର୍ଟର୍ସଗୁଡ଼ିକ ଅବସ୍ଥା ନ କହିବା ଭଲ। ବିପଦସଂକୁଳ ଏହି କ୍ୱାର୍ଟର୍ସଗୁଡ଼ିକରେ ଭାଗ୍ୟକୁ ଆଦରି କର୍ମଚାରୀମାନେ ରହୁଛନ୍ତି। କେତେବେଳେ ଯେ ଭୁଶୁଡ଼ି ପଡ଼ିବ, ତାହା ଅନୁମାନ କରି ହେବ ନାହିଁ। ଅନେକ କୋଠାର ଆୟୁଷ ୫୦ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ତାହାର ମରାମତି ହେଉନାହିଁ। ୨୦୧୦ରେ କିଛି ଘର ମରାମତି ହୋଇଥିଲା। ବାକିଗୁଡ଼ିକ ମରାମତି ହୋଇନି। ୨୦୧୬ରେ ପ୍ରଫେସର ଅଶୋକ କୁମାର ଦାସ କୁଳପତି ଥିବା ସମୟରେ ଉଭୟ ଶିକ୍ଷକ ଓ କର୍ମଚାରୀଙ୍କ କ୍ୱାର୍ଟର୍ସ ମରାମତି ପାଇଁ କୋଟିଏ ଟଙ୍କା ଲେଖାଏଁ ମଞ୍ଜୁର ହୋଇଥିଲା। ହେଲେ ମରାମତି ହୋଇପାରିଲା ନାହିଁ। ଆଜି ପର୍ଯ୍ୟନ୍ତ ଏହି ଟଙ୍କା ଖର୍ଚ୍ଚ ହୋଇ ନପାରି ପଡ଼ି ରହିଛି। କ୍ୟାମ୍ପସ ଭିତରେ କ୍ୱାର୍ଟର୍ର୍ସ ନ ଥିବାରୁ ଶିକ୍ଷକମାନେ ବାହାରେ ରହୁଛନ୍ତି। ଯାହାକୁ ନେଇ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳୁଛି। କର୍ମଚାରୀମାନେ ମଧ୍ୟ ବିଭିନ୍ନ ସମୟରେ ଦାବିପତ୍ର ଦେଉଛନ୍ତି। ତଥାପି ସମସ୍ୟା ଦୂର ହେଉନି।

ନିକଟ ଅତୀତରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କ୍ୟାମ୍ପସକୁ ଆସିଥିବା ସମୟରେ କ୍ୱାର୍ଟର୍ସଗୁଡ଼ିକ ବୁଲି ଦେଖିଥିଲେ। ସାଙ୍ଗରେ କୁଳପତି, ଉଚ୍ଚଶିକ୍ଷା ନିର୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। କ୍ୱାର୍ଟର୍ସଗୁଡ଼ିକ ମରାମତି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଥିଲେ। ଏନେଇ ପ୍ରସ୍ତାବ ଦେବାକୁ କୁଳପତିଙ୍କୁ କହିଥିଲେ। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ହେଲେ ଆଉ କିଛି ଆଗେଇ ପାରିନାହିଁ। ଗତ ୭ ବର୍ଷ ମଧ୍ୟରେ ୩ ଜଣ କୁଳପତି ଦାୟିତ୍ୱରେ ରହିଛନ୍ତି। ଆଉ ୩ ଥର କ୍ୱାର୍ଟର୍ସ୍‌ ମରାମତି ସରିଲାଣି। ମାତ୍ର, ୨୦୧୦-୧୧ ମସିହାରୁ ଗୋଟିଏ ବି କ୍ୱାର୍ଟର୍ସ୍‌ ମରାମତି କରାଯାଇ ନାହିଁ। ତୁରନ୍ତ କ୍ୱାର୍ଟର୍ସଗୁଡ଼ିକୁ ମରାମତି କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଦାବି କରିଛନ୍ତି। ଅପରପକ୍ଷେ, ଗତ ଏପ୍ରିଲ ମାସ ୨୪ ତାରିଖରେ କୁଳପତିଙ୍କୁ ଦାବିପତ୍ର ଦିଆଯାଇଥିଲା, ମାତ୍ର ଏ ଦିଗରେ ସେଭଳି କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘ ସଭାପତି ଦେବୀପ୍ରସନ୍ନ ତ୍ରିପାଠୀ ସୂଚନା ଦେଇଛନ୍ତି। ଏ ସଂପର୍କରେ ବିଶ୍ୱବିଦ୍ୟାଳୟ କୁଳସଚିବ ଦୟାନିଧି ନାୟକଙ୍କୁ ପଚାରିବାରେ ଏ ଦିଗରେ ପଦକ୍ଷେପ ନିଆଯାଉଛି ଏବଂ ଖୁବ୍‌ଶୀଘ୍ର କ୍ୱାର୍ଟର୍ସଗୁଡ଼ିକର ମରାମତି କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର