ଭୁବନେଶ୍ବର: ରାଜଭବନ ଛକରେ ଆଜି ସିରିଜ୍ ଦୁର୍ଘଟଣା ଘଟି ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ସେମାନେ ହେଉଛନ୍ତି ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀ ଗଜପତି ମୋହନା ଅଞ୍ଚଳର ଗୌରଚନ୍ଦ୍ର ନାୟକ(୬୨) ଓ ତାଙ୍କ ଭାଇ ଅବସରପ୍ରାପ୍ତ ସୁବେଦାର ରବିଚନ୍ଦ୍ର ନାୟକ (୫୭)। ଆଉ ଜଣେ ଗୁରୁତର ଆହତ ହୋଇ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କ୍ୟାପିଟାଲ୍ ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍ (ଓଡି ୦୨ ଏଆର ୧୦୨୦)କୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି।
ଆଜି ଅପରାହ୍ନ ୫ଟା ସମୟରେ ଦୁଇ ଭାଇ ରାଜମହଲ ଛକରୁ ଏଜି ଛକ ଆଡ଼କୁ ଯାଉଥିଲେ। ହଠାତ ଏହି କାର୍ ଗୋପବନ୍ଧୁ ଛକରୁ ରାଜଭବନ ଆଡ଼କୁ ଦ୍ରୁତ ଗତିରେ ଆସୁଥିଲା। ଭାରସାମ୍ୟ ହରାଇ ପ୍ରଥମେ ଏକ ବାଇକ୍କୁ ଧକ୍କା ଦେଇଥିଲା। ବାଇକ ଚାଳକ ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଛନ୍ତି। ବାଇକ ଚାଳକକୁ ଧକ୍କା କରିବା ପରେ ଆଉ ବୋଲ ମାନି ନଥିଲା କାର ଚାଳକ। ଦ୍ରୁତ ଗତିରେ ଯାଇ ବାଇକ୍ରେ ରାଜଭବନ ଗୋଲେଇ ବୁଲାଉଥିବା ଏହି ଦୁଇ ଭାଇଙ୍କୁ ଧକ୍କା ଦେଇଥିଲା। ଧକ୍କାରେ କାର ତଳେ ବାଇକ ରହିଯାଇଥିଲା। ଦୁହିଁଙ୍କୁ ପ୍ରାୟ ୧୦ ମିଟର ଟାଣି ନେବା ପରେ ଗୋଲେଇର ବାରିକେଡ ଭାଙ୍ଗି ପାର୍କ ଭିତରକୁ କାରଟି ଡେଇଁ ଯାଇଥିଲା। ଦୁର୍ଘଟଣା ପରେ ଦୁଇ ଭାଇ ବ୍ୟାରିକେଡରେ ବାଡ଼େଇ ହୋଇ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ବଡ଼ ଭାଇ ଗୌରଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ମେଡିକାଲ୍ରେ ରବିଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କର ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଦ୍ରୁତ ଗତିରେ ଯାଉଥିବା ଏହି କାର୍ ଚାଳକଙ୍କର ଏଭଳି କାଣ୍ଡ ପ୍ରତ୍ୟେକ ଚାଳକ ଓ ପଥଚାରୀଙ୍କୁ ଆତଙ୍କିତ କରିପକାଇଥିଲା। ସମ୍ପୃକ୍ତ ସ୍ଥାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ଡ୍ରାଇଭରକୁ ହସ୍ପିଟାଲରେ ଚିକିତ୍ସା କରାଇବା ପରେ ଅଟକ ରଖି ପଚରାଉଚରା ଜାରି ରଖିଛି।
ଅଠର ଦିନରେ ୯ ମୁଣ୍ଡ ଗଡ଼ିଲାଣି
ଚଳିତ ମାସ ୧ ତାରିଖରୁ ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନ ହେଉଛି। ବ୍ୟାପକ ସଚେତନତା ସହ ଅମାନିଆଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗୋଟିଏ ପଟେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଅନ୍ୟ ପଟେ ରାଜଧାନୀରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୧୮ ଦିନ ମଧ୍ୟରେ ରାଜଧାନୀରେ ୯ରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିସାରିଲେଣି। ନୂଆବର୍ଷ ଆରମ୍ଭ ଦିନ ମଞ୍ଚେଶ୍ବର ଥାନା ପଳାସୁଣି ଛକରେ ଟ୍ରକ ମାଡ଼ି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ପରେ ତମାଣ୍ଡୋ ଥାନା ଅଞ୍ଚଳରେ ୩ଟି, ମୈତ୍ରୀବିହାର ଥାନା, ଭରତପୁର, ବଡ଼ଗଡ଼ ଥାନା ଅଞ୍ଚଳରେ ଗୋଟିଏ ଲେଖାଏଁ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଛି।