ବାଲିଅନ୍ତା: ଶାବଳରେ ସିମେଣ୍ଟ କଂକ୍ରିଟ୍ ଭାଙ୍ଗି ଏଟିଏମ୍ ମେସିନ୍ ତାଡ଼ି ସାରିଥିଲେ। ଆଉ କିଛି ସମୟ ମଧ୍ୟରେ ପୂରା ମେସିନ୍ ଉଠାଇ ଫେରାର୍ ହୋଇଯାଇଥା’ନ୍ତେ। କିନ୍ତୁ ଠିକ୍ ସେତିକିବେଳେ ସାଇରନ୍ ବାଜି ଉଠିଲା। ବାଧ୍ୟ ହୋଇ ଡକାୟତମାନେ ଚମ୍ପଟ ମାରିଥିଲେ। ଗତକାଲି ରାତିରେ ବାଲିଅନ୍ତା ବଜାର ମହାତ୍ମା ସେତୁ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ ଏମିତି ଲୁଟ୍ ହେବାରୁ ବର୍ତ୍ତିଯାଇଛି। ମୁମ୍ବାଇ କଣ୍ଟ୍ରୋଲ୍ ରୁମ୍ ଠିକ୍ ସମୟରେ ଲୋକାଲ ପୁଲିସ ଓ ଏଜେନ୍ସିକୁ ଜଣାଇ ଦେବାରୁ ଡକାୟତମାନଙ୍କ ଲୁଟ୍ ଉଦ୍ୟମ ବିଫଳ ହୋଇଛି। ତେବେ ପୁଲିସ ଡକାୟତମାନଙ୍କୁ ଧରିବା ସମ୍ଭବ ହୋଇନାହିଁ।
ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ୫ ଜଣିଆ ଏକ ଡକାୟତ ଗ୍ୟାଙ୍ଗ୍ ଏହି ଏଟିଏମ୍ ଭିତରେ ପଶିଥିଲେ। ସେମାନେ ପ୍ରଥମେ ସିସି କ୍ୟାମେରା ତାରକୁ କାଟି ଦେଇଥିଲେ। ଶାବଳ ସହାୟତାରେ ଏଟିଏମ୍ର ତଳପାର୍ଶ୍ବକୁ କଂକ୍ରିଟ୍ ବେସ୍କୁ ବାଡ଼େଇ ଭାଙ୍ଗି ଦେଇଥିଲେ। ଏହାପରେ ଏଟିଏମ୍ ସେସିନକୁ ତାଡ଼ି ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ଏତିକିବେଳେ ହଠାତ୍ ସାଇରନ୍ ବାଜିଲା। ଏଟିଏମ୍ରେ ଥିବା ସିକ୍ୟୁରିଟି ଆଲାରାମ୍ ଜରିଆରେ ମୁମ୍ବାଇ କଣ୍ଟ୍ରୋଲ୍ ରୁମ୍କୁ ମେସେଜ୍ ଚାଲି ଯାଇଥିଲା। ସେଠାରୁ ବାଲିଅନ୍ତା ଥାନାକୁ ଓ ଏଟିଏମ୍ ଦାୟିତ୍ବରେ ଥିବା ଏଜେନ୍ସିକୁ ଖବର ଆସି ଯାଇଥିଲା। ଏଜେନ୍ସି ପକ୍ଷରୁ ମଧ୍ୟ ଥାନାକୁ ଖବର ଜଣାଇ ଦିଆଯାଇଥିଲା। ତେଣୁ ବାଲିଅନ୍ତା ପିସିଆର୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ସାଇରନ୍ ସବୁ କିଛି ବିଗାଡ଼ି ସାରିଥିଲା। ଡକାୟତମାନେ ଫେରାର୍ ହୋଇସାରିଥିଲେ। ପିସିଆର୍ ପହଞ୍ଚିବା ପରେପରେ ଏଟିଏମ୍ ଏଜେନ୍ସିର କର୍ମକର୍ତ୍ତାମାନେ ପହଞ୍ଚିଥିଲେ। ପୁଲିସ ଘଟଣାସ୍ଥଳ ଓ ତା’ର ଆଖପାଖ ଅଞ୍ଚଳ ଖୋଜାଖୋଜି କରିଥିଲା। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ ଚଳାଇଛି। ଷ୍ଟେଟ୍ ବ୍ୟାଙ୍କ ଅଟଳା ଶାଖାର ପରିଚାଳକ ନାଗେଶ୍ବରୀ ମୁଣ୍ଡ ଏନେଇ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲୁଟ୍ ଉଦ୍ୟମ ବେଳେ ଏଟିଏମ୍ରେ କେତେ ଟଙ୍କା ଟଙ୍କା ମହଜୁଦ ଥିଲା, ସ୍ପଷ୍ଟ ହୋଇନାହିଁ।