ଭୁବନେଶ୍ବର: ଶିଶୁପାଳଗଡ଼ର ସୌମ୍ୟରଂଜନ ପଟ୍ଟନାୟକ (୩୫) ଗତ ୧୨ ଅଗଷ୍ଟରେ କୌଣସି ଏକ କାମରେ ଖଣ୍ଡଗିରି ସବ୍ରେଜିଷ୍ଟ୍ରାର୍ କାର୍ଯ୍ୟାଳୟକୁ ଯାଇଥିଲେ। ନିଜକୁ ଲୋକାଲ୍ ଦାଦା କହୁଥିବା ସୁଶାନ୍ତ ମହାପାତ୍ର ନାମକ ଜଣେ ଯୁବକ ତାଙ୍କୁ ପ୍ରଥମେ ଛୁରିରେ ଆକ୍ରମଣ କରିଥିଲା। ଏହା ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପକେଟ୍ରୁ ପ୍ରାୟ ୧୦ହଜାର ଟଙ୍କା ଛଡ଼ାଇ ନେଇଥିଲା। ଏହା ପଛର ଉଦ୍ଦେଶ୍ୟ ଥିଲା, ଦାଦାବଟି ଆଦାୟ କରିବା। ଏଭଳି ଏକ ଅଭିଯୋଗ ଗତ ଶୁକ୍ରବାର ବଡ଼ଗଡ଼ ଥାନାରେ ହୋଇଥିଲା। ଅଭିଯୋଗକୁ ଇତିମଧ୍ୟରେ ପ୍ରାୟ ୯ଦିନ ବିତିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାଜଧାନୀରେ ଏଭଳି ଗୋଟିଏ ଘଟଣା ନୁହେଁ, ବରଂ ଗତ ଜୁଲାଇରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ଡଜନେରୁ ଅଧିକ ମାମଲା ବିଭିନ୍ନ ଥାନାରେ ରୁଜୁ ହେଲାଣି। ପ୍ରତିଦିନ ଅସାମଜିକ ତତ୍ତ୍ବ ବା ଦାଦାଙ୍କ ଦ୍ବାରା ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ବି କମିସନରେଟ୍ ପୁଲିସର ନିଷ୍କ୍ରିୟତା ପାଇଁ ଲୋକେ ଅଭିଯୋଗ କରିବାକୁ ଭୟ କରୁଛନ୍ତି।
ସବ୍ରେଜିଷ୍ଟ୍ରାର୍ ଅଫିସ୍ରେ ବନ୍ଧୁକ ଲଗାଇ ୧୦ହଜାର ଟଙ୍କା ଛଡ଼ାଇନେଲେ
ରୁଜୁ ହେଲାଣି ଡଜନେରୁ ଅଧିକ ମାମଲା
ପଙ୍ଗୁ ହୋଇଯାଇଛି ‘ଦାଦାବଟିକୁ ନା’ ଅଭିଯାନ
ହଇରାଣ ହେଉଛନ୍ତି ସାଧାରଣ ନାଗରିକ
ପୂର୍ବରୁ ମଧ୍ୟ ଜୁଲାଇ ୭ତାରିଖରେ ମଧ୍ୟ ଦାଦାବଟି ନ ଦେବାରୁ କନଷ୍ଟ୍ରକ୍ସନ୍ ସଂସ୍ଥାର କାମ ବନ୍ଦ କରିଥିଲେ କିଛି ସ୍ଥାନୀୟ ଯୁବକ। ଏନେଇ ଉକ୍ତ ସଂସ୍ଥାର ଆଡ୍ମିନଷ୍ଟ୍ରେଟିଭ୍ ମ୍ୟାନେଜର ଅଞ୍ଜନ କୁମାର ବୁଢ଼ିଆ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଏତଲାରେ ଉଲ୍ଲେଖ କରିଥିଲେ, ଡେଲ୍ଟା ନିକଟରେ ତାଙ୍କ ସଂସ୍ଥା ଏକ ପଞ୍ଚତାରକା ହୋଟେଲ୍ ନିର୍ମାଣ ପାଇଁ ଟେଣ୍ଡର୍ ନେଇଛି। ମାତ୍ର ସ୍ଥାନୀୟ ଅଞ୍ଚଳର କିଛି ଦାଦା ସଂସ୍ଥା କର୍ତ୍ତୃପକ୍ଷଙ୍କୁ ମାସିକ ଲକ୍ଷେ ଟଙ୍କା ବଟି ଦେବାକୁ କହିଥିଲେ। ସେ ମନା କରିବାରୁ ପ୍ରଥମେ ଧମକ ଦେଇ କାମ ବନ୍ଦ କରାଇଥିଲେ। ଥାନାରେ ଅଭିଯୋଗ କରିବା ପରେ ନିର୍ମାଣଧୀନ ହୋଟେଲ୍ ପରିସରରୁ ଲକ୍ଷାଧିକ ଟଙ୍କାର ଷ୍ଟିଲ୍, ଲୁହା ରଡ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସେହିଭଳି ୨୭ଜୁଲାଇରେ ତମାଣ୍ଡୋ ଥାନାରେ ମଧ୍ୟ ମଦ ଦୋକାନରୁ ଦାଦାବଟି ଆଦାୟ ହେଉଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ମହେନ୍ଦ୍ର ସାହୁ ଆଇଏମ୍ଏଫ୍ଏଲ୍ ସପ୍ରୁ ମଦ କିଣିସାରିବା ପରେ ସେଲ୍ସମ୍ୟାନ୍ ଟଙ୍କା ମାଗିବାରୁ ତାଙ୍କୁ ଆକ୍ରମଣ କରିବା ସହିତ ଲୋକାଲ୍ ଡନ୍ ବୋଲି କହିଥିଲା। କେବଳ ଏତିକି ନୁହେଁ, ପ୍ରାୟ ୩ମାସ ତଳେ ମହେନ୍ଦ୍ର ଉକ୍ତ ମଦ ଦୋକାନକୁ ଧମକାଇ ମଦ କିଣୁଥିଲେ ବି ଟଙ୍କା ଦେଉନଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଦାଦାଙ୍କ ପ୍ରାଦୁର୍ଭାବ ପାଇଁ ଏବେ ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କ ମନରେ ଛନକା ସୃଷ୍ଟି ହୋଇଥିବା ବେଳେ କମିସନରେଟ୍ ପୁଲିସ ଚୁପ୍ ବସିଛି।
ବଡ଼କଥା ହେଉଛି, ଦାଦାଙ୍କୁ ସାବାଡ୍ କରିବା ପାଇଁ ଆରମ୍ଭ ହୋଇଥିବା ‘ଦାଦାବଟିକୁ ନା’ ଅଭିଯାନ କୋମାରେ ପଡ଼ିଛି। ମୁଖିଆ ବଦଳିଲେ ଯୋଜନା ବଦଳିବା ଭଳି ଏହା ଏବେ ଫାଇଲ୍ ମଧ୍ୟରେ ବନ୍ଦ ପଡ଼ିଛି। ଏହାର ସୁଯୋଗ ନେଇ ସହରର ବହୁ ସ୍ଥାନରେ ‘ଦାଦା’ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଏମାନଙ୍କ ପ୍ରତି ପୁଲିସର ଅତ୍ୟନ୍ତ କୋହଳ ଆଭିମୁଖ୍ୟ ଏବେ ସାଧାରଣ ଲୋକଙ୍କ ନିଦ ହଜାଇ ଦେଲାଣି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏହି ଦାଦାବଟି ଆଦାୟ ଏବେଠାରୁ ଜୋରଦାର୍ ହେଉଥିବା ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି।
ଅକାମି ‘ଆଣ୍ଟି ଏକ୍ସଟର୍ସନ ଟାସ୍କ୍ ଫୋର୍ସ’
‘‘ଆଉ ଏଥର କ୍ଷମା ନାହିଁ; ଦାଦାବଟିକୁ ନା। ଆମେ ଦାଦାବଟି ବିରୋଧରେ ନେଉଥିବା କାର୍ଯ୍ୟାନୁଷ୍ଠାନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବୁ। ଅତିରିକ୍ତ ପୁଲିସ କମିସନର୍ଙ୍କ ନେତୃତ୍ବରେ ‘ଆଣ୍ଟି ଏକ୍ସଟର୍ସନ ଟାସ୍କ୍ ଫୋର୍ସ’ କାମ କରିବ। ଏହି ଟାସ୍କଫୋର୍ସକୁ କ୍ୟୁଏଟି ସହାୟତା କରିବ’’। ଏଇଟା ହେଉଛି କମିସନରେଟ୍ ପୁଲିସର ଖୋଳପା। ଆଉ ବାସ୍ତବ ସ୍ଥିତି ପରଖିବା ପରେ କିଛି ଭିନ୍ନ ଚିତ୍ର ବୟାନ କରୁଛି। ୨୦୨୦ ଅକ୍ଟୋବରରେ ଦାଦାଙ୍କୁ ସାବାଡ୍ କରିବା ପାଇଁ ତତ୍କାଳୀନ ଡିଜି ଅଭୟ, ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ଓ ଅତିରିକ୍ତ ପୁଲିସ କମିସନର୍ ରେଖା ଲୋହାନି ଏଭଳି କିଛି ଯୋଜନାର ପରିକଳ୍ପନା କରିଥିଲେ। ମାତ୍ର କେଇ ମାସର ବ୍ୟବଧାନରେ ଏବେ ଏହି ଯୋଜନା ଅକାମି ହୋଇଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ ଜାରି ହୋଇଥିବା ‘୯୯୩୮୯୧୦୦୦୦’ ନମ୍ବରକୁ ଯୋଗାଯୋଗ କଲେ ମହଜୁଦ୍ ନଥିବା ଉତ୍ତର ଆସୁଛି। ଏପରିକି ହ୍ବାଟ୍ସଆପ୍ ଓ ଟେଲିଗ୍ରାମ୍ରେ ଯୋଗାଯୋଗ କଲେ ମଧ୍ୟ କିଛି ଉତ୍ତର ମିଳୁନାହିଁ। ଟେଲିଗ୍ରାମ୍ରେ ଉପଲବ୍ଧ ଥିବା ଆକାଉଣ୍ଟ୍ରୁ ଜଣାପଡ଼ିଛି, ଗତ ଜୁନ୍ ୧୭ ତାରିଖରୁ ଏହା ସକ୍ରିୟ ହୋଇନାହିଁ। ନା କେହି ବ୍ୟବହାର କରୁଛନ୍ତି, ନା ଯୋଗାଯୋଗ କଲେ ଉତ୍ତର ମିଳୁଛି।
ଆଉ ଅପରପଟେ ଦାଦାଙ୍କୁ ସାବାଡ୍ କରିବା ପାଇଁ ଯେଉଁ ଟିମ୍ର ପରିକଳ୍ପନା କରାଯାଇଥିଲା, ସେ ବାବଦରେ ବି କୌଣସି ତଥ୍ୟ ନାହିଁ। ଏପରିକି ସହଯୋଗ କରିବା ପାଇଁ କ୍ୟୁଏଟି ବି କେବେଠାରୁ କବର ନେଇସାରିଲାଣି। ଫଳରେ ଲୋକେ ଡରିମରି ଦାଦାଙ୍କୁ ଟଙ୍କା ଦେଇ ଶରଣ ପଶୁଛନ୍ତି।
କେତେ ଜଣଙ୍କୁ ପୁରସ୍କୃତ କରିଛି କମିସନରେଟ୍ ପୁଲିସ?
‘ଦାଦା ଓ ଅସାମାଜିକ ବ୍ୟକ୍ତିମାନେ ଆଇନ ଆଖିରେ ଧୂଳିକଣା ଭଳି। ତେଣୁ ତାଙ୍କୁ ଦାଦାବଟି ନୁହେଁ, ଦୃଢ଼ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ।’ କମିସନରେଟ୍ ପୁଲିସ ଜାରି କରିଥିବା ବିଜ୍ଞପ୍ତି ମଧ୍ୟରେ ଏହା ଏକ ଧାଡ଼ି। କେବଳ ଏହିଭଳି ଗୋଟିଏ ଧାଡ଼ି ନୁହେଁ ୬ଟି ପଏଣ୍ଟ କରାଯାଇଥିଲା। ଏଥିରେ ସ୍ପଷ୍ଟ ରୂପେ ଉଲ୍ଲେଖ ଥିଲା, ଦାଦାଙ୍କ ବିରୋଧରେ ଯେଉଁମାନେ ଖବର ଦେବେ, ସେମାନଙ୍କ ନାଁ ଗୋପନୀୟ ରଖାଯିବ। ଏହାସହ ଉକ୍ତ ଖବର ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାରେ ସଫଳ ହେଲେ, ସେମାନଙ୍କୁ ପୁରସ୍କୃତ କରାଯିବ। କେବଳ ଲୋକଙ୍କୁ ନୁହେଁ ବରଂ ଯେଉଁ ଥାନ ଅଧିକାରୀ ଦାଦାଙ୍କୁ ସାବାଡ୍ କରିବେ ସେମାନଙ୍କୁ ଉପଯୁକ୍ତ ଭାବେ ପୁରସ୍କୃତ କରାଯିବ। ମାତ୍ର ଏହି ଯୋଜନା ତିଆରି ହେବା ପରେ କେତେ ଜଣ ଖବରଦାତା ଓ ଥାନା ଅଧିକାରୀଙ୍କୁ ପୁରସ୍କୃତ କରାଗଲାଣି, ସେ ବାବଦରେ କିଛି ତଥ୍ୟ ନାହିଁ। ଫଳରେ ପୁଲିସଙ୍କ ମଧ୍ୟରେ ଦାଦାଙ୍କୁ ଧରିବାକୁ ନେଇ ସେଭଳି ଉତ୍ସାହ ପରିଲକ୍ଷିତ ହେଉନାହିଁ।
ଜନ୍ମଦିନ ବାହାନାରେ ମେଳି ବାନ୍ଧୁଛନ୍ତି
ରାଜଧାନୀରେ ମୁଣ୍ଡ ଟେକିଥିବା ଏକ ନୂଆ ଗୋଷ୍ଠୀ ଗତ କିଛି ମାସ ତଳେ ମାରଣାସ୍ତ୍ର ଧରି ରାଜରାସ୍ତାରେ ଆତଙ୍କ ଖେଳାଇଥିଲେ। ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ସହ ସେମାନଙ୍କ ଘରୁ ମାରଣାସ୍ତ୍ର ଜବତ କରିଥିଲା। ଗିରଫ ହୋଇ ଜାମିନ୍ରେ ଜେଲ୍ରୁ ଆସିବା ପରେ ଅଭିଯୁକ୍ତମାନେ ଏବେ ପୁଣି ମୁଣ୍ଡ ଟେକିଛନ୍ତି। ଜନ୍ମଦିନ ପାଳନ ଆଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ଜାଗାରେ ଆଡ଼ା ଜମାଉଛନ୍ତି। ପୂର୍ବ ଭଳି ରାସ୍ତାରେ ଗାଡ଼ି ଧରି ଉତ୍ପାତ କରୁଛନ୍ତି। ଆଉ ଥାନା ଅଧିକାରୀ ସେ ସବୁକୁ ସମୀକ୍ଷା କରିବେ କ’ଣ, ସେମାନଙ୍କ ପାଖରେ ଏ ବାବଦରେ ସାମାନ୍ୟତମ ସୁରାକ୍ ବି ନଥିବା ଜଣାପଡ଼ିଛି।