ଭୁବନେଶ୍ବର: ପୁଲିସ ଉପରକୁ ଏକ ଅପରାଧୀ ଗ୍ୟାଙ୍ଗ ଗୁଳିମାଡ କରିଛି। କିଛି ଦିନ ହେଲା ରାଜଧାନୀରେ ଲଗାତର ଅପରାଧ ଘଟୁଥିବାବେଳେ ଆଜିର ଗୁଳିମାଡ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖଣ୍ଡଗିରି ପୁଲିସ ଥାନା ଅନ୍ତର୍ଗତ ବରମୁଣ୍ଡା ହାଇସ୍କୁଲ ପଡିଆରେ ପ୍ରାୟ ରାତି ସାଢ଼େ ୪ଟାରେ ଏଭଳି ଅଘଟଣ ଘଟିଛି। ଏଭଳି ଗୁଳିମାଡ କରି ଅପରାଧୀମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।
ଉକ୍ତ ପଡିଆରେ କୁଖ୍ୟାତ ଦୁର୍ବୃତ୍ତ ଚକରା ବାରିକଙ୍କ ନେତୃତ୍ବରେ ତା’ର ୬/୭ଜଣ ସହଯୋଗୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ କୌଣସି ଏକ ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ଖଣ୍ଡଗିରି ପୁଲିସର ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ସେଠାରେ ପହଞ୍ଚିଥିଲା। ପୁଲିସକୁ ଦେଖି ପ୍ରଥମେ ଦୁର୍ବୃତ୍ତମାନେ ବୋମାମାଡ କରିଥିଲେ। ସେଠାରେ ନିଆଁ ଜଳିଥିଲା। କିନ୍ତୁ ପୁଲିସ ଏହାକୁ ଖାତିର ନକରି ଦୁର୍ବୃତ୍ତଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲା। ତେବେ ଦୁର୍ବୃତ୍ତ ଓ ପୁଲିସ ଭିତରେ ଗୁଳିବିନିମୟ ବେଳେ ଅନ୍ଧାରର ସୁଯୋଗ ଦେଖି ୬/୭ଜଣ ଅପରାଧୀ ଫେରାର ହୋଇଯାଇଥିଲେ। କୁଖ୍ୟାତ ଅପରାଧୀ ଚକରା ବି ଖସିଯିବାକୁ ବସିଥିବାବେଳେ ପୁଲିସ ଗୁଳିମାଡରେ ସେ ଘାଇଲା ହୋଇଯାଇଛି। ତେବେ ତା’ର କେଉଁଠି ଗୁଳି ବାଜିଛି ସ୍ପଷ୍ଟ ହୋଇନଥିବାବେଳେ ସେ ଗୁରୁତର ହୋଇଛି ବୋଲି ପୁଲିସ କହିଛି। ବୋମା ନିଆଁକୁ ପୁଲିସ ଟିମ ନିୟନ୍ତ୍ରଣ କରିବା ସହିତ ଚକରାକୁ ମେଡିକାଲରେ ଭର୍ତ୍ତି କରିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ରାଜଧାନୀ ଅସୁରକ୍ଷିତ ହୋଇପଡିଛି। ପୁଳା ପୁଳା ଅପରାଧୀ ରାତି ଦିନ ବିଚରଣ କରୁଛନ୍ତି। ପୁଲିସ ଆଗରେ ସେମାନେ ବିଭିନ୍ନ ଅପରାଧ ଘଟାଇ ଫେରାର ହୋଇଯାଉଛନ୍ତି। ବିଶେଷ କରି ସନ୍ଧ୍ୟାରୁ ସକାଳ ଯାଏ ରାଜଧାନୀ ଅପରାଧୀଙ୍କ ଚରାଭୂଇଁ ପାଲଟି ଗଲାଣି। ଛିନତାଇଠାରୁ ଆରମ୍ଭ କରି ମୋବାଇଲ ସହ ବନ୍ଧୁକ ମୁନରେ ଟଙ୍କା ଲୁଟପାଟ ଭଳି ଘଟଣା ଘଟାଇ ଚାଲିଛନ୍ତି। ପୁଲିସ ସେମାନଙ୍କୁ ଧରିବାକୁ ଜାଲ ବିଛାଉଥିଲେ ବି ପୁଲିସକୁ ଚ୍ୟାଲେଞ୍ଜ ଦେଇ ସେମାନେ ଏଭଳି କାଣ୍ଡ ଘଟାଇ ଚାଲିଛନ୍ତି। ସମ୍ପୂର୍ଣ୍ଣ ରାଜଧାନୀ ଅସୁରକ୍ଷିତ ହୋଇପଡିଥିବାବେଳେ ଲୋକେ ଭୟଭୀତ ହୋଇପଡିଛନ୍ତି। ଲୋକମାନେ ନିଜକୁ ରାସ୍ତାଘାଟରେ ଯିବାକୁ ଅସୁରକ୍ଷିତ ମନେ କରୁଛନ୍ତି। ରାଜଧାନୀ ପୁଲିସ ଉପରୁ ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି।
ଗତ ଦୁଇ ମାସ ତଳେ ଗୋଟିଏ ଦିନରେ ସକାଳ ସମୟରେ ଭୁବନେଶ୍ବରର ଆରମ୍ଭ କୁହାଯାଉଥିବା ଗ୍ୟାରେଜ ଛକରୁ ଭୁବନେଶ୍ବରର ଶେଷ କୁହାଯାଉଥିବା ନୂଆଗାଁ ଛକ ଭିତରେ ପ୍ରାୟ ୬ଟି ସ୍ଥାନରେ ଛିନତାଇ ହୋଇଥିଲା। ସକାଳୁ ମର୍ଣ୍ଣିଂ ୱାକ କରୁଥିବା ଲୋକେ ଅପରାଧୀଙ୍କ ଶିକାର ହୋଇଥିଲେ। ତା’ ପରଠାରୁ ଲଗାତର ରାଜଧାନୀରେ ଏହା ବଢ଼ିଚାଲିଛି। ବୁଧବାର ରାତିର ଗୁଳିମାଡ ଘଟଣା ପୁଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜକୁ ସ୍ପଷ୍ଟ କରୁଛି। ତେଣୁ ପୁଲିସ ଅପରାଧୀଙ୍କୁ ଖୋଜି ବାହାର ନ କଲେ ଆଗାମୀ ଦିନରେ ଅବସ୍ଥା ଅସମ୍ଭାଳ ହୋଇପଡିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/୪୮.jpg)