କାମରେ ଲାଗୁନି ନିର୍ମାଣ ଶ୍ରମିକଙ୍କ ଭଡ଼ା ଘର : ତିନି ମାସ ହେଲା ଉଦ୍‌ଘାଟନ ହୋଇ ପଡ଼ିରହିଛି ‘ଆଶ୍ରୟ’

ଭୁବନେଶ୍ବର : ନିର୍ମାଣ ଶ୍ରମିକଙ୍କୁ ବହୁତ କମ୍‌ ଭଡ଼ାରେ ଘର ଯୋଗାଇ ଦେବା, ଘର ନିକଟରେ ୫ଟଙ୍କାରେ ଭାତ ଡାଲମା ଖାଇବାକୁ ଦେବା, ବିଶୁଦ୍ଧ ପିଇବା ପାଣି ଯୋଗାଇବା ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ଖାରବେଳ ‌ନଗରରେ ନିର୍ମାଣ ହୋଇଛି ‘ଆଶ୍ରୟ’। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବାର ତିନି ମାସ ପରେ ବି ଏହା କାମରେ ଲାଗୁନି।

ରାଜଧାନୀକୁ ଦୈନିକ ଶହଶହ ନିର୍ମାଣ ଶ୍ରମିକ ବିଭିନ୍ନ କାର୍ଯ୍ୟ ସନ୍ଧାନରେ ଆସୁଥିବାବେଳେ ସେମାନଙ୍କ ରହିବା ପାଇଁ ଘର ନଥିବାରୁ ବିଭିନ୍ନ ବସ୍ତିି ଅଞ୍ଚଳରେ ରହୁଛନ୍ତି ନଚେତ୍ ରାସ୍ତା କଡ଼ରେ ଶୋଉଛନ୍ତି। ଏପରିକି ରାଜଧାନୀରେ ମୁଣ୍ଡ ‌ଗୁଞ୍ଜିବା ପାଇଁ ଦିନକୁ ଦିନ ନୂଆ ନୂଆ ବସ୍ତି ଗଢ଼ି ଉଠୁଛି। ରାଜଧାନୀରେ ଗଢ଼ି ଉଠିଥିବା ନୂଆ ବସ୍ତି ଉପରେ ରୋକ୍ ଲଗାଇବା ଏବଂ ନିର୍ମାଣ ଶ୍ରମିକଙ୍କ ପାଇଁ କମ୍‌ ଦେୟରେ ସାମୟିକ ରହଣି ବ୍ୟବସ୍ଥା କରିବା ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ଖାରବେଳ ନଗରରେ ନିର୍ମାଣ ହୋଇଛି ‘ଆଶ୍ରୟ’। ଏଠାରେ ନିର୍ମାଣ ଶ୍ରମିକ ମାନେ ଦୈନିକ ବହୁତ କମ୍‌ ଟଙ୍କା ଦେଇ ଯେପରି ଘର ଭଡ଼ା ନେଇପାରିବେ ସେଥିପାଇଁ ଏହି ପ୍ରକଳ୍ପ ହୋଇଛି। ହେଲେ ଏହି ପ୍ରକଳ୍ପ ଉଦ୍‌ଘାଟନ ହୋଇ ଭୂତ କୋଠି ଭଳି ପଡ଼ିରହିଛି।

ଏଠାରେ ପ୍ରଥମ ଓ ଦ୍ବିତୀୟ ମହଲାରେ ୨୦୦ଜଣ ନିର୍ମାଣ ଶ୍ରମିକ ରହିବାର ବ୍ୟବସ୍ଥା ହୋଇଥିବାବେଳେ ଏଥିପାଇଁ ସମସ୍ତ ସୁବିଧା ସୁଯୋଗ ଥିବା କୋଠରିମାନ ନିର୍ମାଣ ହୋଇଛି। ଏହାବାଦ୍ ତଳ ମହଲାରେ ବାସହୀନମାନଙ୍କ ପାଇଁ ୫୦ ଶଯ୍ୟାର ବ୍ୟବସ୍ଥା ହୋଇଛି। ଯେଉଁମାନେ ଏଠାରେ ମାଗଣାରେ ରହିବେ। ସମସ୍ତଙ୍କ ପାଇଁ ଶୌଚାଳୟ ବି ଏହା ଭିତରେ ନିର୍ମାଣ ହୋଇଛି। ଏହାବାଦ୍ କମ୍‌ ଖର୍ଚ୍ଚରେ ଯେପରି ନିର୍ମାଣ ଶ୍ରମିକମାନଙ୍କୁ ଖାଇବାକୁ ଯୋଗାଇ ହେବ ସେଥିପାଇଁ ଏଠାରେ ଏକ ଆହାର କେନ୍ଦ୍ର ଖୋଲିବାକୁ ଯୋଜନା ହୋଇଛି। ବିଶୁଦ୍ଧ ପାଣି ଯୋଗାଇବା ପାଣି ଏଟିଏମ୍‌ ବି ବସିବ। ହେଲେ ଏହି ‘ଆଶ୍ରୟ’ ତ ଖୋଲିଲେ ଯାହା ହେବ।

ଏନେଇ ବିଏସ୍‌ସିଏଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ନିର୍ମାଣ ଶ୍ରମିକଙ୍କୁ ଭଡ଼ାରେ ଘର ଯୋଗାଇବା ପାଇଁ ନିର୍ମାଣ ହୋଇଥିବା ‘ଆଶ୍ରୟ’ ଉଦ୍‌ଘାଟନ ହୋଇଥିଲେ ବି ଏହାକୁ ବ୍ୟବହାର କରାଯାଇପାରୁନି। କାରଣ ଏହି ପ୍ରକଳ୍ପର ପରିଚାଳନା ଦାୟିତ୍ବ ଏକ ଘରୋଇ ସଂସ୍ଥାକୁ ଦିଆଯିବ। ଯିଏ ନିର୍ମାଣ ଶ୍ରମିକ ମାନଙ୍କଠାରୁ ଭଡ଼ା ଆଦାୟ କରିବା ସହ ଏହାର ରକ୍ଷଣାବେକ୍ଷଣ କରିବ। ଏଥିପାଇଁ ଏକ୍ସ‌ପ୍ରେସନ୍ ଅଫ୍‌ ଇଣ୍ଟରେଷ୍ଟ (ଇଓଆଇ)ଜାରି ହେବ। ସାଧାରଣ ନିର୍ବାଚନ ଏବଂ ବାତ୍ୟା ଯୋଗୁଁ ଏହି ଇଓଆ‌ଇ ଜାରି ହୋଇପାରିନି। ଖୁବ୍ ଶୀଘ୍ର ଏନେଇ ପଦକ୍ଷେପ ନିଆଯିବା ସହ ଏହାକୁ କାର୍ଯ୍ୟକ୍ଷମ କରାଯିବ।

ସୂଚନାଯୋଗ୍ୟ ଯେ, ଭୁବ‌େନଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌, ବିଏମ୍‌ସି ଓ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ବାରା ୫କୋଟି ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ମେ ୧, ୨୦୧୭ରେ କରିଥିବାବେଳେ ମାର୍ଚ୍ଚ ୬, ୨୦୧୯ରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଛନ୍ତି। ନିର୍ବାଚନ ପୂର୍ବରୁ ତରବରିଆ ଭ‌ାବେ ଏହି ପ୍ରକଳ୍ପ ଉଦ୍‌ଘାଟନ ହୋଇଥିଲେ ହେଁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି।

ସମ୍ବନ୍ଧିତ ଖବର