ଧଉଳି : ପିପିଲି ଥାନା ଅଧୀନ ଉତ୍ତରା ଫାଣ୍ଡିରେ କାର୍ଯ୍ୟରତ ହାବିଲଦାର ଜୋଲେନ କୁଜୁର (୪୮)ଙ୍କର ଆଜି ଅସ୍ବାଭାବିକ ମୃତ୍ୟୁ ହୋଇଛି। ତାଙ୍କ ଘର ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ। ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଯାଇଥିଲା ଓ ଏହା ହିଁ ତାଙ୍କର ମୃତ୍ୟୁର କାରଣ ବୋଲି ଉତ୍ତରା ଫାଣ୍ଡି ଅଧିକାରୀ ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି। ଫାଣ୍ଡି ପୁଲିସ୍ ଶବକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଖବର ପ୍ରଚାରିତ ହେବା ପରେ ପିପିଲି ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ସମେତ ପୁରୀ ଜିଲ୍ଲା ପୁଲିସ୍ର ବରିଷ୍ଠ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚି ତାଙ୍କର ଶେଷଦର୍ଶନ କରିଥିଲେ। ଶ୍ରୀ କୁଜୁର ଆଜି ଦିନ ୧୧ଟାରେ ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ଉତ୍ତରା ଛକ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ସେଠାରେ ସେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ଫାଣ୍ଡିକୁ ପଳାଇ ଆସିଥିଲେ। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଫାଣ୍ଡି ଅଧିକାରୀ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଅପରାହ୍ନ ପ୍ରାୟ ୨ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବର୍ଷେ ହେଲା କୁଜୁର କନେଷ୍ଟବଳରୁ ହାବିଲଦାର ପଦକୁ ପଦୋନ୍ନତି ପାଇଥିଲେ। ଏନେଇ ଉତ୍ତରା ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ଉତ୍ତରା ଫାଣ୍ଡି ହାବିଲଦାରଙ୍କ ଅସ୍ୱାଭାବିକ ମୃତ୍ୟୁ
/sambad/media/post_attachments/wp-content/uploads/2020/06/dead-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)