ଭୁବନେଶ୍ୱର : ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଅନ୍ ୱାଇଣ୍ଡ-୨୦୧୭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହିତ ପ୍ରାୟ ୨୫ ହଜାର ଲୋକଙ୍କ ସମାଗମ ହୋଇଥିଲା।
ନାଲ୍କୋର ସିଏମ୍ଡି ତପନ୍ କୁମାର ଚାନ୍ଦ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଲେ, ଏହିଭଳି କାର୍ଯ୍ୟକ୍ରମ ପିଲାମାନଙ୍କୁ ଭବିଷ୍ୟତରେ ବଡ଼ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ପ୍ରତିଯୋଗିତାପୂର୍ଣ୍ଣ ମନୋଭାବ ସୃଷ୍ଟି କରିବାରେ ସହାୟକ ହେବ। ଏହି ଅବସରରେ ଫୁଡ୍, ଫାଷ୍ଟଫୁଡ, ଗେମ୍, ଆଡଭେଞ୍ଚର୍, ହରର୍, ଟୟ ଟ୍ରେନ୍, ବଙ୍ଗି ଜମ୍ପିଙ୍ଗ୍, ସେଭେନ୍ ଅପ୍ ସେଭେନ୍ ଡାଉନ୍ ଏବଂ ଛୋଟପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଖେଳସାମଗ୍ରୀକୁ ନେଇ ୧୧୦ଟି ଷ୍ଟଲ୍ ଖୋଲିଥିଲା। ସଂଧ୍ୟାରେ ବଲିଉଡ୍ କଣ୍ଠଶିଳ୍ପୀ ରବି ଶୁକ୍ଳା ସଂଗୀତ ପରିବେଷଣ କରିଥିଲେ।
ଚେୟାରମ୍ୟାନ୍ ଡ. ବିଜୟ କୁମାର ସାହୁ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମ ଉଦ୍ୟୋଗପତି ହେବାର ଶିକ୍ଷା ଦେଇଥାଏ। ଏଥିରୁ ମିଳୁଥିବା ଅର୍ଥର କିଛି ଅଂଶକୁ ସମାଜ ମଙ୍ଗଳ ଏବଂ ଗରିବ ପିଲାମାନଙ୍କ ସହାୟତା ଏବଂ ଆଖପାଖ ଗ୍ରାମାଞ୍ଚଳରେ ୧୦୦ ଲାଇବ୍ରେରି ପ୍ରତିଷ୍ଠାରେ ବିନିଯୋଗ କରାଯିବ ବୋଲି ସେ କହିଥିଲେ।
ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୋମ୍ୟା ସମ୍ଭାବୀଙ୍କ ପିତାମାତା ରାଜୀବ ରଞ୍ଜନ ଏବଂ ମଧୁ କୁମାରୀଙ୍କୁ ହୋଲିଷ୍ଟିକ୍ ପ୍ୟାରେଣ୍ଟିଙ୍ଗ୍ ସମ୍ମାନ ପ୍ରଦାନ କରାଯାଇଥିଲା। ବିଜ୍ନେସ୍ ମଡେଲ୍ ପ୍ରତିଯୋଗିତାର ୧୧ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ବିଜ୍ନେସ୍ ମଡେଲ୍ ସମ୍ମାନ ପ୍ରଦାନ କରାଯାଇଥିଲା।
ସ୍କୁଲର ଭାଇସ୍ ଚେୟାରମ୍ୟାନ୍ ଶିଳ୍ପୀ ସାହୁ, ଅଧ୍ୟକ୍ଷ ହରିଶ୍ ସାନ୍ଧୁଜା, ଉପାଧ୍ୟକ୍ଷ ନୀଳକଣ୍ଠ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏକାଦଶ ଶ୍ରେଣୀର ବାଣିଜ୍ୟ ଓ କଳା ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।