ଭୁବନେଶ୍ୱର: ବୟସ ତାଙ୍କର ଅଧିକ ନୁହେଁ, ମାତ୍ର ୨୨ ବର୍ଷ। ଚଳିତ ବର୍ଷ ହିଁ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ହିନ୍ଦୁସ୍ଥାନୀ ଭୋକାଲ୍ରେ ସ୍ନାତକ ଶେଷ କରିଛନ୍ତି। କିନ୍ତୁ ଶାସ୍ତ୍ରୀୟ ସଙ୍ଗୀତକୁ ନେଇ ବୈଷ୍ଣବୀ ଘୋଷଙ୍କର ସ୍ବପ୍ନ ଚକିତ କରିବାଭଳି। ସେ କହନ୍ତି, ଶାସ୍ତ୍ରୀୟ ସଙ୍ଗୀତ ଭାରତୀୟ ସଂସ୍କୃତି ଓ ଇତିହାସର ଏକ ସ୍ୱତନ୍ତ୍ର ଅଂଶ। ସେଥିପାଇଁ ପୂର୍ବେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିଲା। କିନ୍ତୁ ସମୟକ୍ରମେ ବିଭିନ୍ନ କାରଣରୁ ଲୋକେ ଆଧୁନିକ ସଙ୍ଗୀତ ଆଡ଼କୁ ଆକର୍ଷିତ ହେଲେ ଓ ଶାସ୍ତ୍ରୀୟ ସଙ୍ଗୀତ ସଂସ୍ପର୍ଶରୁ ମିଳୁଥିବା ବିସ୍ତୃତ ସୁପଳରୁ ବଞ୍ଚିତ ହେଲେ। ତଥାପି ସୁର ଓ ତାଳର ଠିକ୍ ମିଶ୍ରଣ ପାଇଁ ଆଜି ମଧ୍ୟ ଲୋକେ ଯେକୌଣସି ସଙ୍ଗୀତ ଶିକ୍ଷା ଲାଭ କରିବା ପୂର୍ବରୁ ପ୍ରଥମେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରୁଛନ୍ତି। କିନ୍ତୁ ସ୍ବୀକାର କରିବାକୁ ପଡ଼ିବ ଯେ ଆଧୁନିକ ସଙ୍ଗୀତ ଅପେକ୍ଷା ଏହାର ଲୋକପ୍ରିୟତା କମିଯାଉଛି। ଏହି ଲୋକପ୍ରିୟତାକୁ ପୁଣି ଉଦ୍ଜୀବିତ କରିବା ପାଇଁ ସେ ସାରା ଜୀବନ ଚେଷ୍ଟା କରିବେ ବୋଲି କହନ୍ତି ବୈଷ୍ଣବୀ। ସଙ୍ଗୀତ ପ୍ରତି ତାଙ୍କର ନିଷ୍ଠା, ସାଧନା ଏବଂ ଉଚ୍ଚକୋଟୀର ପ୍ରଦର୍ଶନ ଦେଖି ମହାବିଦ୍ୟାଳୟର ଅଧ୍ୟାପକ ତଥା ଅଧ୍ୟାପିକା ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ ସଂପର୍କରେ ଖୁବ୍ ଆଶାବାଦୀ ଅଛନ୍ତି।
ବୈଷ୍ଣବୀ ମାତ୍ର ୪ ବର୍ଷ ବୟସରୁ ଗୁରୁ ନିତ୍ୟାନନ୍ଦ ବାରିକଙ୍କ ଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ବୈଷ୍ଣବୀଙ୍କ କହନ୍ତି, ପିଲାଦିନେ ସେ ଥରେ ମୟୂରଭଞ୍ଜ ସ୍ଥିତ ତାଙ୍କ ମାମୁଘର ଗାଁକୁ ରଜରେ ବୁଲିବା ପାଇଁ ଯାଇଥିଲେ। ସେଠାରେ ଝିଅମାନଙ୍କ ମଧ୍ୟରେ ସଙ୍ଗୀତ ପ୍ରତିଯୋଗିତା ହେଉଥିଲା। ସେ ସେଠାରେ ଏକ ଭଜନ ପରିବେଷଣ କରି ପ୍ରଥମସ୍ଥାନ ଅଧିକାର କରିଥିଲେ। ସେହିଦିନଠାରୁ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଛି ବୋଲି କୁହାଯାଇପାରେ। ପିଲାଟି ଦିନରୁ ବୈଷ୍ଣବୀଙ୍କର ସଙ୍ଗୀତ ପ୍ରତି ଏତେ ଭଲ ପାଇବା ଆରମ୍ଭ ହୋଇଯାଇଥିଲା ଯେ ଖେଳଛୁଟି ବେଳେ ଅନ୍ୟ ସାଙ୍ଗମାନେ ଖେଳୁଥିବା ସମୟରେ ସେ ବସି ସ୍କୁଲପାଠ ସାରି ଦେଉଥିଲେ। କାରଣ ସନ୍ଧ୍ୟାବେଳେ ତାଙ୍କର ସଙ୍ଗୀତ ଶିକ୍ଷା କରିବାର ଥିଲା। ବୈଷ୍ଣବୀ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ‘ପ୍ରାର୍ଥନା’ ଚ୍ୟାନେଲରେ ପ୍ରସାରିତ ରିୟଲିଟି ସୋ ‘ପ୍ରଥମ ସ୍ୱର’ର ବିଜେତା ହୋଇଥିଲେ। ଏହାପରେ ସେହି ଚ୍ୟାନେଲ୍ରେ ପ୍ରସାରିତ ‘ଭଜନ ଅନ୍ତାକ୍ଷରୀ’, ‘ଭଏସ ଅଫ୍ ଓଡ଼ିଶା ଜୁନିୟର’ ଓ ଜି ଟିଭିରେ ପ୍ରସାରିତ ‘ସାରେ ଗାମା ପା’ରେ ମଧ୍ୟ ବେଶ୍ ଭଲ ପ୍ରଦର୍ଶନ କରି ଦୃଷ୍ଟିଆକଷର୍ଣ କରିଥିଲେ। ବୈଷ୍ଣବୀଙ୍କ କହିବା ଅନୁଯାୟୀ, ତାଙ୍କର ପରିବାରରେ ସଙ୍ଗୀତର ଏକ ପରଂପରା ରହିଛି। ତାଙ୍କ ଅଜା ଗୀତିକାର, ବାପା ଓ ଭାଇ ମଧ୍ୟ ଗୀତ ଗାଆନ୍ତି। ବାପା ନିଜେ ଯେହେତୁ ବିଭିନ୍ନ କାରଣରୁ ସଙ୍ଗୀତ ପ୍ରତି ବିଶେଷ ସମୟ ଦେଇ ପାରିନଥିଲେ ଓ ବିଧିବଦ୍ଧ କଣ୍ଠଶିଳ୍ପୀ ହୋଇ ପାରିଲେ ନାହିଁ, ତେଣୁ ସେ ଝିଅକୁ ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ କରିବାକୁ ସ୍ବପ୍ନ ଦେଖିଥିଲେ ଏବଂ ସେଦିଗରେ ଉଦ୍ୟମ ଜାରି ରଖିଛନ୍ତି।