ଲାଗିବ ଅତ୍ୟାଧୁନିକ ସିସିଟିଭି କ୍ୟାମେରା, ପୁଲିସ-ବିଏସ୍‌ସିଏଲ୍‌ ଟିମ୍‌ ଯିବ ହାଇଦ୍ରାବାଦ୍‌

ଭୁବନେଶ୍ବର: ଆଉ ଖସି ପାରିବେନି ଲୁଟେରା, ଟ୍ରାଫିକ୍‌ ଉଲ୍ଲଂଘନକାରୀ। ସିସିଟିଭି କ୍ୟାମେରା ସିଷ୍ଟମ୍‌କୁ ନବୀକରଣ କରିବାକୁ ଯାଉଛି କମିସନରେଟ୍‌ ପୁଲିସ। ଅତ୍ୟାଧୁନିକ ଭିଡିଓ ଆନାଲିଟିକ୍ସ ଓ ଫେସ୍‌ ଡିଟେକ୍ସନ ବ୍ୟବସ୍ଥା ସହ ଖଞ୍ଜାହେବାକୁ ଯାଉଛି ହାଇ ଡେଫିନେସନ କ୍ୟାମେରା। ଏ ସବୁ ବ୍ୟବସ୍ଥା କେମିତି ଚାଲିଛି ଜାଣିବା ପାଇଁ ଖୁବ୍‌ ଶୀଘ୍ର ଉଭୟ କମିସନରେଟ୍‌ ପୁଲିସ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର ଏକ ମିଳିତ ଟିମ୍‌ ହାଇଦ୍ରାବାଦ୍‌ ଯିବ। ସେଠାରେ ଥିବା ସିସିଟିଭି ବ୍ୟବସ୍ଥାକୁ ପରଖିବା ପରେ ଏଠାରେ କାର୍ଯ୍ୟକ୍ଷମ ହେବ ଏହି ଅତ୍ୟାଧୁନିକ ବ୍ୟବସ୍ଥା। ଗତ ଅକ୍ଟୋବର ମାସରେ ବସିଥିବା ବିଏସ୍‌ସିଏଲ୍‌ ବୋର୍ଡ ବୈଠକରେ ସିସିଟିଭି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କମିସନର ସୁଧାଂଶୁ ଷଡ଼ଙ୍ଗୀ ପ୍ରସ୍ତାବ ଦେଇଥିଲେ। ଅପରାଧକୁ ରୋକିବା ଏବଂ ବିଭିନ୍ନ ମାମଲାର ଅନୁସନ୍ଧାନ ପାଇଁ ସିସିଟିଭି କ୍ୟାମେରା ସିଷ୍ଟମରେ ଅତ୍ୟାଧୁନିକ ଜ୍ଞାନକୌଶଳ ଗ୍ରହଣ କରିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେ ଏହି ପ୍ରସ୍ତାବ ଦେଇଥିଲେ। ଯେ ହେତୁ ହାଇଦ୍ରାବାଦରେ ଏକ ଆଧୁନିକ ସିସିଟିଭି କ୍ୟାମେରା ବ୍ୟବସ୍ଥା ରହିଛି, ସେଥିପାଇଁ ଏକ ପ୍ରତିନିଧିମଣ୍ଡଳୀ ଏହି ସହର ପରିଦର୍ଶନ କରିବାକୁ ସ୍ଥିର ହୋଇଛି ବୋଲି ସୂଚନା ଦେଇଛନ୍ତି କମିସନର ସୁଧାଂଶୁ ଷଡ଼ଙ୍ଗୀ।

ଯଦିଓ କ୍ୟାମେରା ଲାଗିଛି ହେଲେ ଅନେକ ସମୟରେ ଅପରାଧୀ ଚିହ୍ନା ପଡ଼ୁନି। ଟ୍ରାଫିକ୍‌ ଉଲ୍ଲଂଘନକାରୀକୁ ଚିହ୍ନଟ କରି ଆପେ ଚାଲାଣ ପ୍ରସ୍ତୁତ କରିବା ବ୍ୟବସ୍ଥା (ଟିଭିଡିଏସ୍‌) ମଧ୍ୟ କାମ କରୁନି। କର୍ମଚାରୀ କମ୍ପ୍ୟୁଟର ସାମ୍ନାରେ ବସି ସ୍କ୍ରିନ୍‌ରୁ ଉଲ୍ଲଂଘନକାରୀକୁ ଚିହ୍ନଟ କରି ଘରକୁ ଚାଲାଣ ପଠାଉଛନ୍ତି। ଏ ସବୁ ବ୍ୟବସ୍ଥାରେ ଉନ୍ନତି ଆଣିବା ଜରୁରୀ ହୋଇଛି। ଭିଡିଓ ଆନାଲିଟିକ୍ସ ଓ ମୁହଁ ଚିହ୍ନଟ ବ୍ୟବସ୍ଥା ଥିବା ସିସିଟିଭି କ୍ୟାମେରା ଅପରାଧୀକୁ ଟ୍ରାକ୍ କରିବାରେ ସହାୟକ ହେବ। ଏଥିପାଇଁ ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରିବାର ଆବଶ୍ୟକତା ନାହିଁ। ସନ୍ଦିଗ୍ଧର ମୁହଁ ଥରେ କଏଦ୍‌ ହେଲେ ସେ କୁଆଡ଼େ କୁଆଡ଼େ ଗଲା ଭିଡିଓ ଆନାଲିଟିକ୍ସ ବ୍ୟବସ୍ଥା ସୂଚେଇଦେବ। ସେଥିପାଇଁ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଯଦି ସମଗ୍ର ସହରକୁ ସିସିଟିଭି କ୍ୟାମେରା ନଜରରେ ରଖିବାକୁ ହୁଏ ତେବେ ଅତି କମରେ ୫୦୦୦ କ୍ୟାମେରାର ଆବଶ୍ୟକତା ରହିଛି। କିନ୍ତୁ ଏବେ ପୁଲିସର ମାତ୍ର ୧୩୦ଟି ସିସିଟିଭି କ୍ୟାମେରା ଲାଗିଥିବା ବେଳେ ବିଏସ୍‌ସିଏଲ୍‌ରେ ୬୦୦ କ୍ୟାମେରା ରହିଛି। ଅନେକ ଛିନ୍‌ତାଇ ଓ ଅନ୍ୟାନ୍ୟ ଅପରାଧରେ ଏହି କ୍ୟା‌ମେରା ହିଁ ପୁଲିସକୁ ସଫଳତା ଦେଇଛି। ଶ୍ରୀ ଷଡ଼ଙ୍ଗୀଙ୍କ ସୂଚନା ମୁତାବକ, ଖୁବ୍‌ଶୀଘ୍ର ଏକ ଟିମ୍‌ ହାଇଦ୍ରାବାଦ ଯାଇ ଏହି ବ୍ୟବସ୍ଥାର ଅନୁଧ୍ୟାନ କରିବ। ପ୍ରତ୍ୟେକ ଜାଗାକୁ କମିସନରେଟ୍‌ ପୁଲିସ ନଜରରେ ରଖିବାକୁ ହେଲେ ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ଅଧିକ କ୍ୟାମେରାର ଆବଶ୍ୟକତା ରହିଛି। ତେବେ ପୂର୍ବରୁ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଓ ସାଧାରଣ ନାଗରିକଙ୍କୁ ନିଜ ନିଜ ଘରେ କ୍ୟାମେରା ସଂସ୍ଥାପନ କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ କୁହ‌ାଯାଇଥିଲା। ଏଥିରେ ବେଶ୍‌ ଭଲ ରେସ୍‌ପନ୍‌ସ ମିଳିଥିଲା। ତଥାପି ଜନସାଧାରଣଙ୍କର ଆହୁରି ସହଯୋଗ ଆବଶ୍ୟକତା ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର