ଭୁବନେଶ୍ୱର: ଓଡ଼ିଆ ଜାତିର ପ୍ରେମ, ଭାବ ଓ ଶବ୍ଦର ସମ୍ରାଟ ହେଉଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ଭଞ୍ଜ ନଥିଲେ, ଓଡ଼ିଆ ସାହିତ୍ୟର ଉପବନ ମରୁଭୂମି ପାଲଟି ଯାଇଥା’ନ୍ତା। ଭଞ୍ଜଙ୍କ ପ୍ରଭାବ କେବଳ ଉତ୍କଳୀୟ ଜନଜୀବନରେ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟରେ ଅନୁଭୂତ ହୁଏ। ଭଞ୍ଜ ସାହିତ୍ୟ ଯଦି ଆଜି ସାରା ବିଶ୍ୱରେ ପ୍ରସିଦ୍ଧ ହୋଇପାରିଛି, ତାହାର ପ୍ରମୁଖ ଉପଦାନ ହେଉଛି ଓଡ଼ିଶୀ ସଂଗୀତ ଓ ନୃତ୍ୟ। ଉପେନ୍ଦ୍ର ଭଞ୍ଜ ତାଙ୍କର ସମସ୍ତ କାବ୍ୟରାଜିରେ ନାରୀଙ୍କୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇଛନ୍ତି। ଚିରସଂଧାନ ପକ୍ଷରୁ ବୁଦ୍ଧ ମନ୍ଦିରରେ ଆୟୋଜିତ ରାଜ୍ୟସ୍ତରୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀରେ ଯୋଗଦେଇ ଅତିଥିମାନେ ଏଭଳି କହିଛନ୍ତି।

Advertisment

ଅନୁଷ୍ଠାନର ସଂପାଦକ ପାର୍ଥସାରଥୀ ଅଜୟ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା କଳାକାର ପ୍ରଶାନ୍ତ ନନ୍ଦ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ଉପସଭାପତି ମନ୍ମଥ କୁମାର ଶତପଥୀ, ନନ୍ଦିଘୋଷ ଟିଭି ସଂପାଦକ ଶିଶିର ଭଟ୍ଟମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ଭଟ୍ଟମିଶ୍ରଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିଭଳି ଲେଖକ ତ୍ରିନାଥ ନାୟକଙ୍କୁ ‘ଭଞ୍ଜ ପ୍ରତିଭା ସମ୍ମାନ-୨୦୨୩’, ସମାଜସେବୀ ଆଶାଲତା ଦାଶ, ଓଡ଼ିଶୀ ନୃତ୍ୟଶିଳ୍ପୀ ସିନ୍ଦୁ ବ୍ରାଉନ୍‌, ଗବେଷିକା କବିତା ମିଶ୍ର ଓ କବୀ ଦୀପ୍ତି ମହାନ୍ତିଙ୍କୁ ‘ସନ୍ଧାନ ସମ୍ମାନ-୨୦୨୩’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଞ୍ଜରୀ ସ୍ୱାଇଁ ଭଞ୍ଜ ସଂଗୀତ ପରିବେଷଣ କରିଥିଲେ। ମାନପତ୍ର ପାଠ କରିଥିଲେ ଚିନ୍ତନ ବର୍ମା। କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସହସଂପାଦକ ପି. ଅଭୟ କୁମାର, ପ୍ରକାଶିକା ରେଣୁବାଳା ପ୍ରମୁଖ ସହଯୋଗ କରିଥିଲେ। ସୁରେଶ ମନ୍ତ୍ରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ନୀଳମଣି ମିଶ୍ର ଧନ୍ୟବାଦ ଦେଇଥିଲେ।